ବ୍ୟୟମଞ୍ଜୁରୀ ବିଲ୍ ପାରିତ, ସରିଲା ବିଧାନସଭା ଅଧିବେଶନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୧ଲକ୍ଷ ୬ହଜାର ୪୯୮କୋଟି ଟଙ୍କାର ଲେଖାନୁଦାନକୁ ଆଜି ଗୃହର ମଞ୍ଜୁରୀ ମିଳିବା ସହ ବିଧାନସଭାର ୬ଦିନିଆ ଅଧିବେଶନ ଅନିର୍ଦ୍ଦିଷ୍ଟ କାଳ ନିମନ୍ତେ ମୁଲତବୀ ଘୋଷଣା ହୋଇଛି । ମାର୍ଚ୍ଚ ୨୫ତାରିଖରୁ ଆରମ୍ଭ ହୋଇଥିବା ବିଧାନସଭାର ଏହି ଅଧିବେଶନରେ ରାଜ୍ୟର ବିଭିନ୍ନ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବା ପରିବର୍ତ୍ତେ ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ବିଧାୟକମାନେ ରକ୍ଷଣାତ୍ମକ ମୁଡ୍‌ରେ ରହିଥିଲେ । ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ୍ […]

Odisha Assembly

Ordigital Desk
  • Published: Thursday, 31 March 2022
  • , Updated: 31 March 2022, 07:13 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୧ଲକ୍ଷ ୬ହଜାର ୪୯୮କୋଟି ଟଙ୍କାର ଲେଖାନୁଦାନକୁ ଆଜି ଗୃହର ମଞ୍ଜୁରୀ ମିଳିବା ସହ ବିଧାନସଭାର ୬ଦିନିଆ ଅଧିବେଶନ ଅନିର୍ଦ୍ଦିଷ୍ଟ କାଳ ନିମନ୍ତେ ମୁଲତବୀ ଘୋଷଣା ହୋଇଛି ।

ମାର୍ଚ୍ଚ ୨୫ତାରିଖରୁ ଆରମ୍ଭ ହୋଇଥିବା ବିଧାନସଭାର ଏହି ଅଧିବେଶନରେ ରାଜ୍ୟର ବିଭିନ୍ନ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବା ପରିବର୍ତ୍ତେ ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ବିଧାୟକମାନେ ରକ୍ଷଣାତ୍ମକ ମୁଡ୍‌ରେ ରହିଥିଲେ । ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ୍ ଓ ଲେଖାନୁଦାନ ବ୍ୟୟମଞ୍ଜୁରୀ ବିଲ୍ ପାରିତ ପାଇଁ ମାତ୍ର ୬ଦିନ ଗୃହ କାର୍ଯ୍ୟ ବସିଥିଲେ ବି ଗୃହର ନେତା ତଥା ନବୀନ ପଟ୍ଟନାୟକ ଶେଷ ୩ଦିନ ଅନୁପସ୍ଥିତ ରହିଥିଲେ । ବିରୋଧୀ ଦଳ ନେତା ପ୍ରଦୀପ କୁମାର ନାୟକ ମଧ୍ୟ ଅସୁସ୍ଥତା ପାଇଁ ଗୃହରେ ଅନୁପସ୍ଥିତ ଥିଲେ ।

ବିଧାନସଭା ସଚିବାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆଜି ବିଧାନସଭାରେ ବ୍ୟୟମଞ୍ଜୁରୀ ବିଲ୍ (ଲେଖାନୁଦାନ) ଆଗତ ହେବା ସହ ଏହା ଉପରେ ଆଲୋଚନା ହେବାପରେ ତାହା ଗୃହର ଅନୁମୋଦନ ଲାଭ କରିଛି । ଏହି ୬ଦିନିଆ ଅଧିବେଶନରେ ୫ଟି ସରକାରୀ ବିଲ୍ ଉପସ୍ଥାପନ ହେବା ସହ ତାହା ପାରିତ ହୋଇଛି । ୫ଟି ସିଏଜି ରିପୋର୍ଟ, ୨୨ଟି ବାର୍ଷିକ ରିପୋର୍ଟ ମଧ୍ୟ ଗୃହରେ ଉପସ୍ଥାପିତ ହୋଇଛି । ୪ଟି ଅଧ୍ୟାଦେଶକୁ ମଧ୍ୟ ଗୃହରେ ଆଗତ କରାଯାଇଥିଲା । ଏହି ଅଧିବେଶନରେ ମାତ୍ର ଦୁଇଟି ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇପାରିଛି । ଧାନକିଣାରେ ବ୍ୟାପକ ଅନିୟମିତତା ଓ ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ବିରୋଧୀ ଦଳର ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିବାବେଳେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଶ୍ରୀମନ୍ଦିର ସୁରକ୍ଷା ପ୍ରସଙ୍ଗରେ ଗୃହରେ ବିବୃତ୍ତି ରଖିଥିଲେ ।

ଆଇନଶୃଙ୍ଖଳାକୁ ନେଇ ଗୃହରେ ହୋ-ହାଲ୍ଲା ସତ୍ତ୍ୱେ ତା’ର ପ୍ରଭାବ ସରକାର କିମ୍ବା ଶାସକ ଦଳ ଉପରେ ଅନୁଭୂତ ହୋଇନି । ମାନସ ସ୍ୱାଇଁ ହତ୍ୟା ମାମଲା, ଗଞ୍ଜାମରେ ୪ଜଣଙ୍କୁ ହତ୍ୟା ପ୍ରସଙ୍ଗ ଗୃହରେ ଆଲୋଚନା ପରିସରରେ ରହିଥିଲା । ମାର୍ଚ୍ଚ ୩୦ ତାରିଖରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ୍ ଓ ୪ମାସିଆ ଲେଖାନୁଦାନ ପ୍ରସ୍ତାବ ଆଗତ କରିଥିଲେ । ଦୀର୍ଘ ପ୍ରାୟ ଏକ ବର୍ଷ ପରେ ବିଧାନସଭାକୁ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହ କାର୍ଯ୍ୟରେ ପ୍ରତ୍ୟକ୍ଷ ଭାବେ ସାମିଲ ହୋଇଥିଲେ । ଏହି ୬ଦିନିଆ ଅଧିବେଶନରେ ରାଜ୍ୟ ସ୍ୱାର୍ଥ ସମ୍ବଳିତ ଅନେକ ପ୍ରସଙ୍ଗ ଥିଲେ ମଧ୍ୟ ବିରୋଧୀ ଦଳ ସଦସ୍ୟମାନେ ପ୍ରଭାବୀ ଢଙ୍ଗରେ ତାକୁ ଉପସ୍ଥାପନ କରି ସରକାରଙ୍କୁ ଘେରିବାରେ ସକ୍ଷମ ହୋଇନଥିବା ଦେଖାଯାଇଛି ।

ସୂଚନାଯୋଗ୍ୟ, ମାର୍ଚ୍ଚ ୨୫ରୁ ୩୧ତାରିଖ ପର୍ଯ୍ୟନ୍ତ ବିଧାନସଭାର ଅଧିବେଶନ ବସିଥିଲା ।

Related story