ସାଲେପୁର (ମନୋଜ ଆଚାର୍ଯ୍ୟ): ବିଜେପି ନେତା ତଥା ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳ ହତ୍ୟା ମାମଲାରେ ପୁଲିସ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି। ହେଲେ ହତ୍ୟାକାଣ୍ଡର ରହସ୍ୟ ଖୋଲିନି ପୁଲିସ। ତଦନ୍ତ ଚାଲୁଛି ବୋଲି କହି ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନକୁ ଏଡାଇ ଯାଇଛନ୍ତି କଟକ ଗ୍ରାମାଞ୍ଚଳ ଏସ୍ପି ବି. ଯୁଗଳ କିଶୋର।
ଏସ୍ପିଙ୍କ କହିବା ଅନୁସାରେ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ହେଉଛି ଜଙ୍କୋଟି ଗାଁର ପଞ୍ଚାନନ ସେଠୀ। ସେ ସେହି ଜଙ୍କୋଟି ଗାଁର ଅରବିନ୍ଦ ଖଟୁଆ ଓ ନୃତ୍ତଙ୍ଗ ଗାଁର ଖିତିଶ ଆଚାର୍ଯ୍ୟ ଏବଂ ଲଳିତ ମୋହନ ବରାଳଙ୍କ ସହ ମିଶି ହତ୍ୟାକାଣ୍ଡ ଘଟାଇଛି। ତେବେ ଏମାନେ କାହିଁକି ଓ କେଉଁ କାରଣ ପାଇଁ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କୁ ନିର୍ମମ ହତ୍ୟା କଲେ? ରାଜନୈତିକ ଶତ୍ରୁତା ନା କାହା ଇଙ୍ଗିତରେ ଏହି ଜଘନ୍ୟ କାଣ୍ଡ ଘଟାଇଲେ? ସେନେଇ କିନ୍ତୁ ସାମ୍ବାଦିକଙ୍କ କୌଣସି ପ୍ରଶ୍ନର ଉତ୍ତର ଦେଇନଥିଲେ ଏସ୍ପି। କହିଥିଲେ ତଦନ୍ତ ଚାଲୁ ରହିଛି, ପରବର୍ତ୍ତୀ ସମୟରେ ଅଧିକ ସୂଚନା ଦେବେ ବୋଲି ଏସ୍ପି କହିଛନ୍ତି।
ଆଜି ଦିନ ପାଖାପାଖି ସାଢ଼େ ଗୋଟାଏ ବେଳେ ମୁଖ୍ୟ ଅଭିଯୁକ୍ତ ପଞ୍ଚାନନ ସେଠୀକୁ ଧରି ହତ୍ୟାକାଣ୍ଡ ସ୍ଥଳରେ ନେଇଥିଲା ମାହାଙ୍ଗା ପୁଲିସ। ପ୍ରଥମେ ଜଙ୍କୋଟି-ନୃତ୍ତଙ୍ଗ ମଝି ରାସ୍ତାର ମର୍ଡର ପ୍ଲେସ୍ରେ ପଞ୍ଚାନନକୁ ଗାଡ଼ିରୁ ଓହ୍ଲାଇ ଏକ ବିଦ୍ୟୁତ ଖୁଣ୍ଟ ପାଖକୁ ନେଇଥିଲା। ଯେଉଁଠି ନୃଶଂସ ହତ୍ୟା ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ପ୍ରଥମେ ତାର କାଟି ଲାଇଟ୍ ଅଫ୍ କରିଥିବା କହିଥିଲା। ତା’ପରେ ସେଠୁ ପ୍ରାୟ ୧ କିଲୋମିଟର ଦୂର ଜଙ୍କୋଟି କେନାଲ ବନ୍ଧ ନିକଟ ଏକ ବୁଦୁବୁଦିକା ଜଙ୍ଗଲିଆ ସ୍ଥାନକୁ ହତ୍ୟାକାରୀକୁ ନିଆଯାଇଥିଲା। ଯେଉଁଠି ମୁଖ୍ୟଅଭିଯୁକ୍ତ ଲୁଚାଇ ରଖିଥିଲା ହତ୍ୟାରେ ବ୍ୟବହୃତ ଖଣ୍ଡା। ପୁଲିସ ତାକୁ ମଧ୍ୟ ଜବତ କରିଥିଲା।
ଏଣେ ମାହାଙ୍ଗା ଡବଲ ମର୍ଡର ଘଟଣାରେ ଏଫଆଇଆରରେ ନାଁ ଥିବା ସ୍ଥାନୀୟ ବିଧାୟକ ତଥା ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଓ ଗିରଫ ଦାବିରେ ଲଢ଼େଇ ମୁଦ୍ରାକୁ ଓହ୍ଲାଇଛନ୍ତି ବିରୋଧୀ। ପୂର୍ବ ଘୋଷଣା ମୁତାବକ ଆଜି ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ରାଜ୍ୟର ବିଭିନ୍ନ ଥାନା ଆଗରେ ହୋଇଛି ବିକ୍ଷୋଭ। ନୟାଗଡ଼, କେନ୍ଦ୍ରାପଡ଼ା, ଢେଙ୍କାନାଳ, ରାଉରକେଲା ଓ ସମ୍ବଲପୁରରେ କୁଶପୁତ୍ତଳିକା ଦାହ କରାଯାଇଥିଲା। ତା’ସହ ଆସନ୍ତାକାଲି ସବୁ ଏସ୍ପି ଅଫିସ୍ ଓ ୮ରେ ଡିଜି ଅଫିସ୍ ଘେରାଉ ପାଇଁ ମଧ୍ୟ ସ୍ଥିର ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।