ରାଜସ୍ୱପ୍ରାପ୍ତି କମିବ, କେନ୍ଦ୍ର ଭରସାରେ ରାଜ୍ୟର 'ଗୋଲାପୀ' ଅର୍ଥନୀତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଜେଟର କଳେବରରେ କ୍ରମାଗତ ବୃଦ୍ଧି କରି ରାଜ୍ୟ ସରକାର ନିଜର ଅର୍ଥନୀତି ସୁଦୃଢ଼ ଥିବାର ‘ଗୋଲାପୀ’ ଚିତ୍ର ଆଙ୍କିବାରେ ଲାଗିଛନ୍ତି। ମାତ୍ର ବାସ୍ତବତା ହେଉଛି କେନ୍ଦ୍ର ସରକାରଙ୍କ ଅନୁଦାନ ଓ ଟିକସ ହିଁ ରାଜ୍ୟ ସରକାରଙ୍କ ରାଜସ୍ୱପ୍ରାପ୍ତିର ମୁଖ୍ୟ ସ୍ରୋତ ହୋଇଛି। ଗତ ଆର୍ଥିକ ବର୍ଷ ତୁଳନାରେ ରାଜ୍ୟର ଉଭୟ ଟିକସ ଓ ଅଣଟିକସ ରାଶି ଚଳିତ ଆର୍ଥିକ ବର୍ଷରେ ହ୍ରାସ ପାଇବ ବୋଲି ବଜେଟରେ ଆକଳନ କରାଯାଇଥିବାବେଳେ କେନ୍ଦ୍ର ସରକାରଙ୍କ ଅନୁଦାନ ଅଧିକ […]

bbsr

bbsr

Manoranjan Sial
  • Published: Friday, 28 June 2019
  • Updated: 28 June 2019, 09:47 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଜେଟର କଳେବରରେ କ୍ରମାଗତ ବୃଦ୍ଧି କରି ରାଜ୍ୟ ସରକାର ନିଜର ଅର୍ଥନୀତି ସୁଦୃଢ଼ ଥିବାର 'ଗୋଲାପୀ' ଚିତ୍ର ଆଙ୍କିବାରେ ଲାଗିଛନ୍ତି। ମାତ୍ର ବାସ୍ତବତା ହେଉଛି କେନ୍ଦ୍ର ସରକାରଙ୍କ ଅନୁଦାନ ଓ ଟିକସ ହିଁ ରାଜ୍ୟ ସରକାରଙ୍କ ରାଜସ୍ୱପ୍ରାପ୍ତିର ମୁଖ୍ୟ ସ୍ରୋତ ହୋଇଛି। ଗତ ଆର୍ଥିକ ବର୍ଷ ତୁଳନାରେ ରାଜ୍ୟର ଉଭୟ ଟିକସ ଓ ଅଣଟିକସ ରାଶି ଚଳିତ ଆର୍ଥିକ ବର୍ଷରେ ହ୍ରାସ ପାଇବ ବୋଲି ବଜେଟରେ ଆକଳନ କରାଯାଇଥିବାବେଳେ କେନ୍ଦ୍ର ସରକାରଙ୍କ ଅନୁଦାନ ଅଧିକ ରହିବ ବୋଲି ଜଣାପଡ଼ିଛି।

ଗତ ଆର୍ଥିକ ବର୍ଷ ରାଜ୍ୟ ବଜେଟ୍ ପରିମାଣ ୧ଲକ୍ଷ ୨୦ହଜାର ୧୨୫କୋଟି ଟଙ୍କା ଥିବାବେଳେ ଚଳିତ ଆର୍ଥିକ ବର୍ଷର ବଜେଟ ପରିମାଣ ୧ଲକ୍ଷ ୩୯ହଜାର କୋଟି ଟଙ୍କାକୁ ବୃଦ୍ଧି ପାଇଛି। ତେଣୁ ପରିମାଣ ପ୍ରାୟ ୧୫.୮ ପ୍ରତିଶତ ବଢ଼ିଛି କିନ୍ତୁ ଏଥିରେ ରାଜ୍ୟର ରାଜସ୍ୱ ତୁଳନାରେ କେନ୍ଦ୍ର ସରକାରଙ୍କ ରାଜସ୍ୱ ଭାଗିଦାରୀ ଅଧିକ ବୋଲି ଜଣାପଡ଼ିଛି। ଚଳିତ ବଜେଟର ଆକଳନ ଅନୁସାରେ ରାଜ୍ୟର ରାଜସ୍ୱ (ଟିକସ ଓ ଅଣଟିକସ) ବାବଦକୁ ମାତ୍ର ୪୫,୫୦୦କୋଟି ଟଙ୍କା ମିଳିବାର ଥିବାବେଳେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ଅନୁଦାନ ଓ ଟିକସ ବାବଦରେ ୬୯,୭୬୬କୋଟି ଟଙ୍କା ମିଳିବ । ଅର୍ଥାତ୍ ଏହି ରାଜସ୍ୱ ପ୍ରାପ୍ତି ବା ବଜେଟ୍ ଆୟରେ ରାଜ୍ୟ ସରକାରଙ୍କ ରାଜସ୍ୱର ଭାଗିଦାରୀ ହେଉଛି ମୋଟ ଜିଏସଡିପିର ମାତ୍ର ୮.୪% । ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ଭାଗିଦାରୀ ହେଉଛି ମୋଟ ଜିଏସଡିପିର ୧୨.୯% ।

ସେହିପରି ୨୦୧୮-୧୯ ବଜେଟରେ ରାଜ୍ୟ ସରକାର ନିଜର ଟିକସ ଓ ଅଣଟିକସ ବାବଦରେ ୪୦,୫୦୦କୋଟି ଟଙ୍କା ପାଇଥିବାବେଳେ କେନ୍ଦ୍ର ସରକାରଙ୍କ ଟିକସ ଓ ଅନୁଦାନ ବାବଦରେ ୬୧,୩୮୨ କୋଟି ଟଙ୍କା ପାଇଥିଲେ। ଗତବର୍ଷ ଓ ଚଳିତବର୍ଷ ମଧ୍ୟରେ କେନ୍ଦ୍ର ଓ ରାଜ୍ୟର ରାଜସ୍ୱ ପ୍ରାପ୍ତିର ତୁଳନା କଲେ ରାଜ୍ୟର ଟିକସ ଓ ଅଣଟିକସ ସଂଗ୍ରହ ଅପେକ୍ଷାକୃତ ପଛରେ ରହିଛି। ୨୦୧୮-୧୯ ବର୍ଷ ବଜେଟରେ ରାଜ୍ୟର ରାଜସ୍ୱ ମୋଟ ଜିଏସଡିପିର ୮.୩ % ଥିବାବେଳେ ଚଳିତ ବଜେଟରେ ମାତ୍ର ୦.୧% ବୃଦ୍ଧିର ଆକଳନ କରାଯାଇଛି। କିନ୍ତୁ କେନ୍ଦ୍ରର ରାଜସ୍ୱ ଭାଗିଦାରୀ ରାଜ୍ୟ ଗତବର୍ଷ ରାଜ୍ୟ ବଜେଟର ୧୨.୬% ଥିବା ବେଳେ ଚଳିତ ବଜେଟରେ ଏଥିରେ ୦.୩% ବୃଦ୍ଧିର ଆକଳନ କରାଯାଇଛି।

ଗତ କିଛିବର୍ଷ ହେଲା ନିଜର ବଜେଟ କଳେବରକୁ ବଢ଼ାଇ ଚାଲିଥିବା ରାଜ୍ୟ ସରକାର ବାସ୍ତବରେ କେନ୍ଦ୍ର ସରକାରଙ୍କଠୁ ଟିକସ ଓ ଅନୁଦାନ ବାବଦରେ ଅଧିକ ଅର୍ଥ ପାଉଛନ୍ତି। ଅର୍ଥାତ୍ କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାର କ୍ଷମତାସୀନ ହେବାପରଠୁ ରାଜ୍ୟକୁ କେନ୍ଦ୍ରୀୟ ଅନୁଦାନ ଓ ଟିକସ ବାବଦରେ ଅପେକ୍ଷାକୃତ ଅଧିକ ଅର୍ଥ ମିଳିବାରେ ଲାଗିଛି। ତଥ୍ୟ ଅନୁସାରେ କେନ୍ଦ୍ରୀୟ ଟିକସ ଓ ଅନୁଦାନ ବାବଦରେ ୨୦୧୪-୧୫ରେ ୨୯,୦୯୮ କୋଟି ଟଙ୍କା ପାଇଥିବା ଓଡ଼ିଶା ୨୦୧୬-୧୭ରେ ୩୭୬୮୫ କୋଟି ଟଙ୍କା, ୨୦୧୬-୧୭ରେ ୪୩୪୦୩କୋଟି ଟଙ୍କା, ୨୦୧୭-୧୮ରେ ୪୮,୮୯୨କୋଟି ଟଙ୍କା, ୨୦୧୮-୧୯ରେ ୬୧,୩୮୨ କୋଟି ଟଙ୍କା ପାଇଥିବାବେଳେ ଚଳିତ ଆର୍ଥିକ ବର୍ଷରେ ୬୯,୭୬୬ କୋଟି ଟଙ୍କା ପାଇବ ବୋଲି ଆକଳନ କରାଯାଇଛି।

୨୦୧୮-୧୯ ତୁଳନାରେ ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ସରକାରଙ୍କ ଅଣଟିକସ ୧୧%ରୁ ୧୦.୮%କୁ ଓ ଟିକସ ୨୮.୭%ରୁ ୨୮.୬ ପ୍ରତିଶତକୁ ହ୍ରାସ ପାଇବ ବୋଲି ବଜେଟରେ ଆକଳନ କରାଯାଇଛି। ଅନ୍ୟପକ୍ଷରେ କେନ୍ଦ୍ରୀୟ ଅନୁଦାନ ଗତବର୍ଷ ୨୫.୫% ଥିବାବେଳେ ଚଳିତ ବଜେଟରେ ଏହା ୨୬.୫%କୁ ବୃଦ୍ଧି ପାଇବ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos