‘ସୂଚନା ପ୍ରଦାନରେ ହସ୍ପିଟାଲଗୁଡ଼ିକ ମାନବିକ ଦୃଷ୍ଟିଭଙ୍ଗୀ ରଖନ୍ତୁ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ହସ୍ପିଟାଲଗୁଡ଼ିକରେ ଭର୍ତ୍ତି ହେଉଥିବା କୋଭିଡ୍ ସଂକ୍ରମିତ ରୋଗୀଙ୍କ ସମ୍ପର୍କରେ ସେମାନଙ୍କର ସମ୍ପର୍କୀୟଙ୍କୁ ସଠିକ୍ ସ୍ୱାସ୍ଥ୍ୟ ସୂଚନା ପ୍ରଦାନ ଦିଗରେ ହସ୍ପିଟାଲଗୁଡ଼ିକ ମାନବିକ ଦୃଷ୍ଟିଭଙ୍ଗୀ ରଖିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ କୋଭିଡ୍ ପରିସ୍ଥିତି ଏବେ ନିୟନ୍ତ୍ରଣାଧୀନ ରହିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଆଜି କୋଭିଡ୍ ପରିସ୍ଥିତିର ସମୀକ୍ଷା କରି କହିଥିଲେ ଯେ, କୋଭିଡରେ ପୀଡ଼ିତ ରୋଗୀମାନଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ଯେପରି ସେମାନଙ୍କର ସମ୍ପର୍କୀୟମାନେ […]

Naveen-patnaik

Naveen-patnaik

Ordigital Desk
  • Published: Tuesday, 18 May 2021
  • Updated: 18 May 2021, 08:31 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ହସ୍ପିଟାଲଗୁଡ଼ିକରେ ଭର୍ତ୍ତି ହେଉଥିବା କୋଭିଡ୍ ସଂକ୍ରମିତ ରୋଗୀଙ୍କ ସମ୍ପର୍କରେ ସେମାନଙ୍କର ସମ୍ପର୍କୀୟଙ୍କୁ ସଠିକ୍ ସ୍ୱାସ୍ଥ୍ୟ ସୂଚନା ପ୍ରଦାନ ଦିଗରେ ହସ୍ପିଟାଲଗୁଡ଼ିକ ମାନବିକ ଦୃଷ୍ଟିଭଙ୍ଗୀ ରଖିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ କୋଭିଡ୍ ପରିସ୍ଥିତି ଏବେ ନିୟନ୍ତ୍ରଣାଧୀନ ରହିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ଆଜି କୋଭିଡ୍ ପରିସ୍ଥିତିର ସମୀକ୍ଷା କରି କହିଥିଲେ ଯେ, କୋଭିଡରେ ପୀଡ଼ିତ ରୋଗୀମାନଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ଯେପରି ସେମାନଙ୍କର ସମ୍ପର୍କୀୟମାନେ ସଠିକ୍ ସୂଚନା ପାଇପାରିବେ ସେ ଦିଗରେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ସେଥିପାଇଁ ହେଲପ୍ ଡେସ୍କ ବ୍ୟବସ୍ଥାରେ ଉନ୍ନତି ଆଣିବା ସହିତ ସେଠାରେ ନିୟୋଜିତ କର୍ମଚାରୀମାନଙ୍କୁ ମାନବିକ ଦୃଷ୍ଟିଭଙ୍ଗୀ ନେଇ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଛନ୍ତି । ରାଜ୍ୟରେ କୋଭିଡ୍ ସ୍ଥିତି ଏବେ ନିୟନ୍ତ୍ରଣାଧୀନ ରହିଛି । ରାଜ୍ୟରେ ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ନୂଆ ଚିହ୍ନଟ ହେଉଥିବା ରୋଗୀଙ୍କଠୁ ଅଧିକ ରହିଛି ।

ଗତ ସପ୍ତାହରୁ କେତେକ ଜିଲ୍ଲାରେ ସଂକ୍ରମଣ କମିବା ମଧ୍ୟ ଆରମ୍ଭ କରିଛି। ରାଜ୍ୟରେ କୋଭିଡ୍ ପଜେଟିଭ୍ ହାର ମଧ୍ୟ କମିଛି। ଲୋକଙ୍କ ମଧ୍ୟରେ ସଚେତନତା ଓ ଲକଡାଉନ୍ ପାଇଁ ଏହା ସମ୍ଭବପର ହୋଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ସଂକ୍ରମଣ ହାରକୁ ସମ୍ପୂର୍ଣ୍ଣ କମାଇବା ପାଇଁ ରାଜ୍ୟ ସରକାର ଲକଡାଉନ୍ ଅବଧିକୁ ଆଉ ଦୁଇ ସପ୍ତାହ ବୃଦ୍ଧି କରିଛନ୍ତି। ଗତକାଲି ସର୍ବଦଳୀୟ ବୈଠକରେ ସେ ଘୋଷଣା କରିଥିବା ବିଭିନ୍ନ ପଦକ୍ଷେପକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ରାଜ୍ୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ମେ’ ୨୪ରୁ ଆରମ୍ଭ ହେବାକୁ ଥିବା ସର୍ଭେ ଯେପରି ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ହେବ, ତାକୁ ଆଖି ଆଗରେ ରଖି ଯୋଜନା ପ୍ରସ୍ତୁତ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ପଂଚାୟତ ଓ ଗାଁ କଲ୍ୟାଣ ସମିତିକୁ ସକ୍ରିୟ ଭାବେ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। କୋଭିଡ୍ ଗାଇଡଲାଇନ୍ ପାଳନ କରିବା ସହ ଅନାବଶ୍ୟକ ବାହାରେ ବୁଲିବା ବନ୍ଦ କରିଦେଲେ କରୋନା ଲଢ଼େଇକୁ ନିଶ୍ଚିତ ଜିତିପାରିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କୋଭିଡ୍ ଟିକା କେନ୍ଦ୍ରଗୁଡ଼ିକରେ ସାମାଜିକ ଦୂରତା ସୁନିଶ୍ଚିତ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି।

ସେହିପରି ମୁଖ୍ୟ ସଚିବ ସୁରେଶ ମହାପାତ୍ର କହିଥିଲେ ଯେ, ଲକଡାଉନର ସୁଫଳ ମିଳିଥିବାରୁ ଏହାକୁ ଆଉ ଦୁଇ ସପ୍ତାହ ବୃଦ୍ଧି କରାଯାଇଛି। ଜିଲ୍ଲାପାଳମାନେ ହେଲପ ଡେସ୍କଗୁଡ଼ିକୁ ଉତ୍ତମ ଭାବେ ତଦାରଖ କରୁଛନ୍ତି। ଅକ୍ସିଜେନ୍ ଲଜିଷ୍ଟିକ ବ୍ୟବସ୍ଥାର ୨୪ଘଣ୍ଟିଆ ତଦାରଖ କରାଯାଉଛି । ୨୪ରୁ ଘରକୁ ଘର ସର୍ଭେ ଆରମ୍ଭ କରାଯିବ। ଏହି ବୈଠକରେ ସ୍ୱାସ୍ଥ୍ୟ ସଚିବ, ପୁଲିସ ଡିଜି ଓ ବିଭିନ୍ନ ଜିଲ୍ଲା ଦାୟିତ୍ୱରେ ଥିବା କୋଭିଡ୍ ପର୍ଯ୍ୟବେକ୍ଷକମାନେ ସାମିଲ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos