କରୋନା ପାଇଁ ୫୦ ଲକ୍ଷ ଟଙ୍କାର ସହାୟତା ରାଶିରେ ସାମିଲ ହେଲେ ସରପଞ୍ଚ
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନାର ମୁକାବିଲାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ସରପଞ୍ଚମାନଙ୍କୁ ୫୦ଲକ୍ଷ ଟଙ୍କାର ସହାୟତା ରାଶିରେ ସାମିଲ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଘୋଷଣା କରିଛନ୍ତି।
ଆଜି ଟ୍ୱିଟ୍ ମାଧ୍ୟମରେ ଏହି ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ତୃଣମୂଳସ୍ତରରେ କରୋନା ମୁକାବିଲା ପାଇଁ ସରପଞ୍ଚମାନେ ଅସ୍ଥାୟୀ ମେଡିକାଲ ସେଣ୍ଟର, କ୍ୱାରେଣ୍ଟାଇନ ସେଣ୍ଟର ଓ ଅନ୍ୟ ସୁବିଧାଗୁଡ଼ିକର ସୁପରିଚାଳନାରେ ଉତ୍ସର୍ଗୀକୃତ ଭାବେ ମହତ୍ୱପୂର୍ଣ୍ଣ କାର୍ଯ୍ୟ କରୁଛନ୍ତି। ସେମାନେ ଆଗ ଧାଡ଼ିର ଯୋଦ୍ଧା। ସେମାନଙ୍କର ପରିବାରର ସ୍ୱାର୍ଥ ପାଇଁ ପୂର୍ବଘୋଷିତ ୫୦ଲକ୍ଷ ଟଙ୍କା ସହାୟତା ରାଶିରେ ସେମାନଙ୍କୁ ସାମିଲ କରାଯାଇଛି। ଏହାବ୍ୟତୀତ ବେସରକାରୀ ଓ ସରକାରୀ କ୍ଷେତ୍ରରେ ଯେକୌଣସି ବ୍ୟକ୍ତି କରୋନା ମୁକାବିଲା କାର୍ଯ୍ୟରେ ନିୟୋଜିତ ଅଛନ୍ତି ସେମାନେ ମଧ୍ୟ କରୋନା ଯୋଦ୍ଧା ଓ ସେମାନଙ୍କ ପରିବାରକୁ ବି ଏହି ସହାୟତା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।
ତୃଣମୂଳସ୍ତରରେ କରୋନା ମୁକାବିଲା ପାଇଁ ସରପଞ୍ଚମାନେ ଟିଏମସି, ସଙ୍ଗରୋଧ କେନ୍ଦ୍ର ଓ ଅନ୍ୟ କୋଭିଡ ସୁବିଧାଗୁଡ଼ିକର ସୁପରିଚାଳନାରେ ଉତ୍ସର୍ଗୀକୃତ ଭାବେ ମହତ୍ୱପୂର୍ଣ୍ଣ କାର୍ଯ୍ୟ କରୁଛନ୍ତି। ସେମାନେ ଆମ ଆଗ ଧାଡ଼ିର ଯୋଦ୍ଧା। ସେମାନଙ୍କ ପରିବାରର ହିତ ପାଇଁ ପୂର୍ବ ଘୋଷିତ ₹୫୦ ଲକ୍ଷ ସହାୟତା ରାଶିରେ ସେମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି।
— Naveen Patnaik (@Naveen_Odisha) May 14, 2020
ସୂଚନାଯୋଗ୍ୟ, ରାଜ୍ୟର ୬୭୯୮ଟି ପଞ୍ଚାୟତରେ ପ୍ରାୟ ୧୪ ହଜାରରୁ ଅଧିକ କ୍ୱାରେଣ୍ଟାଇନ କେନ୍ଦ୍ର ରହିଛି ଓ ସ୍ଥାନୀୟ ସରପଞ୍ଚମାନେ ଏହାର ଦାୟିତ୍ୱରେ ରହିଛନ୍ତି। ରାଜ୍ୟ ସରକାର ପୂର୍ବରୁ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।