ପଞ୍ଚାୟତ ଝଟକା ପରେ ନବୀନ ଗଢ଼ୁଛନ୍ତି ନୂଆ ଟିମ୍‌!

ଭୁବନେଶ୍ୱର: ପଞ୍ଚାୟତ ଝଟକା ପରେ ନବୀନ ପଟ୍ଟନାୟକ ଗଢ଼ୁଛନ୍ତି ନୂଆ ଟିମ୍‌। ଏନେଇ ଆରମ୍ଭ ହୋଇଛି କସରତ। ବିଜେଡି ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଚଳିତ ମାସ ଶେଷ କିମ୍ୱା ମେ’ ପ୍ରଥମ ସପ୍ତାହରେ ମନ୍ତ୍ରିମଣ୍ଡଳରେ ବଡ଼ ଧରଣର ଅଦଳବଦଳ ହୋଇପାରେ। ପାୱାର କରିଡ଼ର ଚର୍ଚ୍ଚା ଅନୁଯାୟୀ ଲାଲବିହାରୀ ହିମିରିକା, ଯୋଗେନ୍ଦ୍ର ବେହେରା, ଉଷାଦେବୀ, ସୁଦାମ ମାରାଣ୍ଡି, ଦେବୀ ମିଶ୍ରଙ୍କ ଭଳି ବରିଷ୍ଠ ମନ୍ତ୍ରୀ ନବୀନଙ୍କ ଟିମ୍‌ରୁ ବାଦ ପଡ଼ିବାର ଆଶଙ୍କା ରହିଛି। ସେହିପରି ମନ୍ତ୍ରୀ ସଞ୍ଜୟ […]

Naveen_Patnaik

Rakesh Mallick
  • Published: Wednesday, 19 April 2017
  • , Updated: 20 April 2017, 07:37 AM IST

ଭୁବନେଶ୍ୱର: ପଞ୍ଚାୟତ ଝଟକା ପରେ ନବୀନ ପଟ୍ଟନାୟକ ଗଢ଼ୁଛନ୍ତି ନୂଆ ଟିମ୍‌। ଏନେଇ ଆରମ୍ଭ ହୋଇଛି କସରତ। ବିଜେଡି ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଚଳିତ ମାସ ଶେଷ କିମ୍ୱା ମେ’ ପ୍ରଥମ ସପ୍ତାହରେ ମନ୍ତ୍ରିମଣ୍ଡଳରେ ବଡ଼ ଧରଣର ଅଦଳବଦଳ ହୋଇପାରେ।

ପାୱାର କରିଡ଼ର ଚର୍ଚ୍ଚା ଅନୁଯାୟୀ ଲାଲବିହାରୀ ହିମିରିକା, ଯୋଗେନ୍ଦ୍ର ବେହେରା, ଉଷାଦେବୀ, ସୁଦାମ ମାରାଣ୍ଡି, ଦେବୀ ମିଶ୍ରଙ୍କ ଭଳି ବରିଷ୍ଠ ମନ୍ତ୍ରୀ ନବୀନଙ୍କ ଟିମ୍‌ରୁ ବାଦ ପଡ଼ିବାର ଆଶଙ୍କା ରହିଛି। ସେହିପରି ମନ୍ତ୍ରୀ ସଞ୍ଜୟ ଦାସବର୍ମା, ଅରୁଣ ସାହୁ ଓ ପ୍ରଣବ ପ୍ରକାଶ ଦାସଙ୍କ ଭଳି ପାୱାରଫୁଲ୍‌ ଯୁବ ମନ୍ତ୍ରୀ ମଧ୍ୟ ମନ୍ତ୍ରିମଣ୍ଡଳରୁ ବାଦ ପଡ଼ିବାକୁ ନେଇ ଚର୍ଚ୍ଚା ହେଉଛି। ବିଶେଷକରି ପଞ୍ଚାୟତ ନିର୍ବାଚନରେ ଖରାପ ପ୍ରଦର୍ଶନ କରିଥିବା ମନ୍ତ୍ରୀଙ୍କୁ ନବୀନ ବିଦା କରିବାର ଯଥେଷ୍ଟ ସମ୍ଭାବନା ରହିଛି। ତେବେ ଯେଉଁ ଜିଲ୍ଲାରେ ମନ୍ତ୍ରୀଙ୍କ ବିକଳ୍ପ ନଥିବ ସେଠାରେ ସାଙ୍ଗଠନିକ ଦୃଷ୍ଟିରୁ ପରିବର୍ତ୍ତନ କରାଇନପାରେ। ତାହା ସହ ଯୁବମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ ଦେଇ ସାଙ୍ଗଠନିକ କାମରେ ଲଗାଯାଇ ପାରନ୍ତି ବୋଲି ଆଲୋଚନା ହେଉଛି।

ବିଜେଡି ମୁଖପାତ୍ର ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି,“ମନ୍ତ୍ରିମଣ୍ଡଳ ଅଦଳବଦଳ ହେବ କି ନାହିଁ ତାହା ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଉପରେ ନିର୍ଭର କରୁଛି। ତେବେ ଭବିଷ୍ୟତରେ ମନ୍ତ୍ରିମଣ୍ଡଳ ଅଦଳବଦଳ ହୋଇପାରେ।”

ପଞ୍ଚାୟତ ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ତୃତୀୟ ମହଲାର ଟିମ୍‌ ପରିବର୍ତ୍ତନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ସୁରଞ୍ଜନ ଶତପଥୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍‌ ନ ଥିବାରୁ ତାଙ୍କ ସ୍ଥାନରେ ବରିଷ୍ଠ ଓଏଏସ୍‌ ଅଫିସର ଅବନୀକାନ୍ତ ପଟ୍ଟନାୟକଙ୍କୁ ନିଯୁକ୍ତି ମିଳିଛି। ସେପଟେ ଆଇପିଏସ୍‌ ଅଫିସର ଡି.ଏସ୍‌. କୁଟ୍ଟେଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଓଏସ୍‌ଡି ଭାବେ ନିଯୁକ୍ତି ମିଳିଛି। ସେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ସହଯୋଗ କରିବେ। ଅନ୍ୟପକ୍ଷରେ କିଛି ମାସ ତଳେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ରାଜେଶ ବର୍ମାଙ୍କୁ ନିଯୁକ୍ତି ମିଳିଥିଲା।

ସାଙ୍ଗଠନିକ କ୍ଷେତ୍ରରେ ବିଜେଡି ଏହାର ଯୁବ ଓ ଛାତ୍ର ମଙ୍ଗୁଆଳଙ୍କୁ ପରିବର୍ତ୍ତନ କରିଛି। ଆଗକୁ ନୂଆ ରାଜନୈତିକ ଟିମ୍‌ ଗଠନ କରିବେ ମୁଖ୍ୟମନ୍ତ୍ରୀ। ନୂଆ ଟିମ୍‌ରେ କିଏ ରହିବେ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି।

Related story