ବନ୍ୟା କ୍ଷତି : ୧୧୦୦କୋଟିର ସହାୟତା ମାଗିଲା ରାଜ୍ୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗତମାସରେ ଆସିଥିବା ପ୍ରଳୟଙ୍କରୀ ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାବେଳେ ପ୍ରାୟ ୧୧୦୦କୋଟି ଟଙ୍କାର ସହାୟତା ଦେବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଓଡ଼ିଶା ଦାବି ରଖିଛି। ଏହି ସହାୟତା ରାଶି ସମେତ ବିପର୍ଯ୍ୟୟ ପ୍ରତିରୋଧ ନିମନ୍ତେ ସ୍ଥାୟୀ ପଦକ୍ଷେପ ପାଇଁ ଆବଶ୍ୟକ ଅର୍ଥ ମଧ୍ୟ ଚୂଡ଼ାନ୍ତ ସ୍ମାରକପତ୍ରରେ ସାମିଲ କରି କେନ୍ଦ୍ର ସରକାରଙ୍କୁ ୧୦ରୁ ୧୨ ଦିନ ମଧ୍ୟରେ  ପ୍ରଦାନ କରାଯିବ ବୋଲି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା […]

567

567

Tapas Behera
  • Published: Thursday, 17 September 2020
  • Updated: 17 September 2020, 08:54 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗତମାସରେ ଆସିଥିବା ପ୍ରଳୟଙ୍କରୀ ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାବେଳେ ପ୍ରାୟ ୧୧୦୦କୋଟି ଟଙ୍କାର ସହାୟତା ଦେବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଓଡ଼ିଶା ଦାବି ରଖିଛି। ଏହି ସହାୟତା ରାଶି ସମେତ ବିପର୍ଯ୍ୟୟ ପ୍ରତିରୋଧ ନିମନ୍ତେ ସ୍ଥାୟୀ ପଦକ୍ଷେପ ପାଇଁ ଆବଶ୍ୟକ ଅର୍ଥ ମଧ୍ୟ ଚୂଡ଼ାନ୍ତ ସ୍ମାରକପତ୍ରରେ ସାମିଲ କରି କେନ୍ଦ୍ର ସରକାରଙ୍କୁ ୧୦ରୁ ୧୨ ଦିନ ମଧ୍ୟରେ  ପ୍ରଦାନ କରାଯିବ ବୋଲି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି।

ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ବନ୍ୟା କ୍ଷୟକ୍ଷତି ଆକଳନ କରିଥିବା ଆନ୍ତଃ ମନ୍ତ୍ରଣାଳୟ ପ୍ରତିନିଧି ଦଳ(କେନ୍ଦ୍ରୀୟ ଟିମ) ସହ ଆଜି ଲୋକସେବା ଭବନରେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ବିସ୍ତୃତ ଆଲୋଚନା କରିଛନ୍ତି। କେନ୍ଦ୍ର ପ୍ରତିନିଧିମଣ୍ଡଳର ନେତୃତ୍ୱ ନେଉଥିବା ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ପ୍ରବୀଣ ବିଶିଷ୍ଟଙ୍କ ନେତୃତ୍ୱରେ ଆସିଥିବା ୫ଜଣିଆ କେନ୍ଦ୍ର ପ୍ରତିନିଧି ମଣ୍ଡଳୀକୁ ବନ୍ୟା କ୍ଷୟକ୍ଷତି ସମ୍ପର୍କରେ ଅବଗତ କରାଯାଇଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟ ସଚିବ, ସ୍ୱତନ୍ତ୍ର ରିଲିଫ କମିଶନର ଓ ବିଭିନ୍ନ ବିଭାଗର ସଚିବମାନେ ବନ୍ୟା କ୍ଷୟକ୍ଷତି, ରିଲିଫ ଓ ସ୍ଥାନାନ୍ତର ସମ୍ପର୍କରେ ସୂଚନା ଦେଇଥିଲେ। ରାଜ୍ୟ ସରକାରଙ୍କ ପଦକ୍ଷେପକୁ କେନ୍ଦ୍ରୀୟ ଟିମ୍ ପ୍ରଶଂସା କରିବା ସହ ଏସଡିଆରଏଫ ମାନଦଣ୍ଡ ଅନୁସାରେ ସହାୟତା ଦେବାକୁ ସହମତି ଜଣାଇଥିଲେ। ଏହାସହିତ ନୂଆ ନଦୀବନ୍ଧ ନିର୍ମାଣ, ନଦୀବନ୍ଧକୁ ସୁଦୃଢ଼ କରିବା, ଭାଙ୍ଗି ଯାଇଥିବା ଘର ପରିବର୍ତ୍ତେ ବିପର୍ଯ୍ୟୟ ପ୍ରତିରୋଧ ଘର ନିର୍ମାଣ ଭଳି ସ୍ଥାୟୀ ପଦକ୍ଷେପ ନେବା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତାବ ଉପରେ ସହମତି ଜଣାଇଥିଲେ। କେନ୍ଦ୍ର ସରକାରଙ୍କ ସହଯୋଗରେ ବିପର୍ଯ୍ୟୟ ପରିଚାଳନାର ସ୍ଥାୟୀ ପ୍ରତିକାର ନିମନ୍ତେ ରାଜ୍ୟ ସରକାରଙ୍କ ନୂଆ ଆଭିମୁଖ୍ୟକୁ ମଧ୍ୟ କେନ୍ଦ୍ରୀୟ ଟିମ୍ ପ୍ରଶଂସା କରିଛନ୍ତି।

କେନ୍ଦ୍ରୀୟ ଟିମକୁ ଅବଗତ କରି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ଗତମାସରେ ଆସିଥିବା ବନ୍ୟାରେ ୧୮ଟି ଜିଲ୍ଲାର ୧୩୫ଟି ବ୍ଲକ ଓ ୨୧ଟି ପୌରାଂଚଳ, ୧୨୭୬ଟି ପଂଚାୟତର ୬୦୬୬ଟି ଗାଁର ମୋଟ ୨୫.୮୦ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ। ୮.୫୯ଲକ୍ଷ ପଶୁସମ୍ପଦ ବନ୍ୟାରେ ପ୍ରଭାବି ହୋଇଥିବାବେଳେ ୧୩.୮୭ଲକ୍ଷ ଲୋକ ଜଳବନ୍ଦୀ ଥିଲେ। ବନ୍ୟାରେ ୧ଲକ୍ଷ ୧୨ହଜାର ୬୭୦ଟି ଘର ନଷ୍ଟ ହୋଇଛି। ୩.୧୧ଲକ୍ଷ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଥିବାବେଳେ ୬୨୪୫୬ ହେକ୍ଟର ଫସଲରେ ବାଲି ମାଡ଼ି ଯାଇଛି। ୩୦ଜଣ ଲୋକ ପ୍ରାଣ ହରାଇଛନ୍ତି ଓ ୩୦୬୫୪ ପଶୁସମ୍ପଦ ମଧ୍ୟ ନଷ୍ଟ ହୋଇଛି। କ୍ଷତିଗ୍ରସ୍ତ ଫସଲ ମଧ୍ୟରୁ ପ୍ରାୟ ୨.୨୫ଲକ୍ଷ ହେକ୍ଟର କୃଷି ଜମିରେ ସର୍ବନିମ୍ନ ୩୩ ପ୍ରତିଶତରୁ ଅଧିକ ଫସଲ ନଷ୍ଟ ହୋଇଛି । ବନ୍ୟାରେ ବହୁ ନଦୀବନ୍ଧ, ରାସ୍ତା ଓ ସାର୍ବଜନୀନ ଭିତ୍ତିଭୂମି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଏଥିପାଇଁ ରାଜ୍ୟ ସରକାର ୧୧୦୦କୋଟି ଟଙ୍କାର ସହାୟତା ଲୋଡ଼ିବା ସହ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ସ୍ଥାୟୀ ପଦକ୍ଷେପଗୁଡ଼ିକୁ ଚୂଡ଼ାନ୍ତ ସ୍ମାରକପତ୍ରରେ ସ୍ଥାନ ପାଇବ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ଜେନା ସୂଚନା ଦେଇଛନ୍ତି।

ବନ୍ୟା କ୍ଷୟକ୍ଷତି ଆକଳନ କରି ନୂଆଦିଲ୍ଲୀ ଫେରିବା ପୂର୍ବରୁ କେନ୍ଦ୍ରୀୟ ଟିମର ପ୍ରତିନିଧିମାନେ ରାଜ୍ୟ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ, ଏସଆରସି ପ୍ରଦୀପ କୁମାର ଜେନା, ଉନ୍ନୟନ କମିଶନର, ଏପିସି, କୃଷି,ଜଳସମ୍ପଦ,ପଂଚାୟତିରାଜ, ମତ୍ସ୍ୟ ଓ ପଶୁସମ୍ପଦ ସଚିବ, କ୍ରାଇମବ୍ରାଂଚ ଏଡିଜି ପ୍ରମୁଖ ସହ ବନ୍ୟା କ୍ଷୟକ୍ଷତି ପ୍ରସଙ୍ଗରେ ଆଲୋଚନା କରିଥିଲେ।

ଉଲ୍ଲେଖଯୋଗ୍ୟ, ରାଜ୍ୟରେ ପ୍ରାୟ ୧୮ଟି ଜିଲ୍ଲା ବନ୍ୟାରେ ପ୍ରଭାବିତ ହୋଇଥିବାବେଳେ ଗତକାଲି ଆସିଥିବା ୫ଜଣିଆ କେନ୍ଦ୍ରୀୟ ଟିମ୍ ଦୁଇ ଭାଗରେ ବିଭକ୍ତ ହୋଇ ପ୍ରଥମ ଦିନରେ ବାଲେଶ୍ୱର ଓ କେନ୍ଦ୍ରାପଡ଼ା ଏବଂ ଦ୍ୱିତୀୟ ଦିନରେ ଯାଜପୁର ଓ ପୁରୀ ଜିଲ୍ଲା ଗସ୍ତ କରି ବନ୍ୟା କ୍ଷୟକ୍ଷତି ଆକଳନ କରିଥିଲେ। ଟିମର ନେତୃତ୍ୱ ଶ୍ରୀ ବଶିଷ୍ଠ ନେଉଥିବାବେଳେ ଅନ୍ୟ ସଦସ୍ୟ ଭାବେ ବୀରେନ୍ଦ୍ର ସିଂହ, ଅମ୍ରିପାଲ ସିଂ, ଶାଶ୍ୱତ ମହାପାତ୍ର ଓ ଏସଏସ ମୋଦି ସାମିଲ ଥିଲେ। ଏହି ଟିମ୍ ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀ ଅଭିମୁଖେ ଗସ୍ତ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos