ଅଜଣା ନିର୍ବାସନରୁ ଫେରିଲେ ବାଗଚୀ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଜଣା ନିର୍ବାସନ ଭାଙ୍ଗି ପୁଣି ଟେଲିଭିଜନ ପରଦାକୁ ଫେରିଛନ୍ତି କୋଭିଡ୍-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗଚୀ। ପୁଣି ସେଇ ଷ୍ଟାଇଲ, ଆକ୍ସନ୍‌ ଓ  ଅନ୍ଦାଜ ନେଇ ଚିରାଚରରିତ ଶୈଳୀରେ ରାଜ୍ୟବାସୀଙ୍କୁ କରୋନା ବିରୋଧୀ ଲଢ଼େଇ ଜାରି ରଖିବାକୁ ଆତ୍ମବିଶ୍ୱାସର ଟନିକ୍ ଯୋଗାଇଛନ୍ତି ବାଗଚୀ। ଆଉ ସୁବ୍ରତୋଙ୍କ ଏହି ସେକେଣ୍ଡ ଇନିଂଶକୁ ସମାନ ଉତ୍ସାହ ଓ ଉତ୍କଣ୍ଠାର ସହ ସ୍ୱାଗତ କରିଛନ୍ତି କରୋନା ଆତଙ୍କରେ ଛନ୍ଦି ହୋଇପଡ଼ିଥିବା ଓଡ଼ିଶାବାସୀ। ଯଦିଓ ବାଗ୍‌ଚୀ ତାଙ୍କ ପ୍ରତ୍ୟାବର୍ତ୍ତନର ପ୍ରଥମ […]

Ferile-Bagchi

Ferile-Bagchi

Tapas Behera
  • Published: Saturday, 06 June 2020
  • Updated: 06 June 2020, 06:54 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଜଣା ନିର୍ବାସନ ଭାଙ୍ଗି ପୁଣି ଟେଲିଭିଜନ ପରଦାକୁ ଫେରିଛନ୍ତି କୋଭିଡ୍-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗଚୀ। ପୁଣି ସେଇ ଷ୍ଟାଇଲ, ଆକ୍ସନ୍‌ ଓ  ଅନ୍ଦାଜ ନେଇ ଚିରାଚରରିତ ଶୈଳୀରେ ରାଜ୍ୟବାସୀଙ୍କୁ କରୋନା ବିରୋଧୀ ଲଢ଼େଇ ଜାରି ରଖିବାକୁ ଆତ୍ମବିଶ୍ୱାସର ଟନିକ୍ ଯୋଗାଇଛନ୍ତି ବାଗଚୀ। ଆଉ ସୁବ୍ରତୋଙ୍କ ଏହି ସେକେଣ୍ଡ ଇନିଂଶକୁ ସମାନ ଉତ୍ସାହ ଓ ଉତ୍କଣ୍ଠାର ସହ ସ୍ୱାଗତ କରିଛନ୍ତି କରୋନା ଆତଙ୍କରେ ଛନ୍ଦି ହୋଇପଡ଼ିଥିବା ଓଡ଼ିଶାବାସୀ।

ଯଦିଓ ବାଗ୍‌ଚୀ ତାଙ୍କ ପ୍ରତ୍ୟାବର୍ତ୍ତନର ପ୍ରଥମ ଦିନରେ କେବଳ ରାଜ୍ୟ ସରକାରଙ୍କ ପାଇଁ ବିଭିନ୍ନ ପ୍ରସଙ୍ଗରେ ସୁରକ୍ଷାର ଢାଲ ଦେବାକୁ ଚେଷ୍ଟା କରିଛନ୍ତି ତଥାପି କୋଭିଡ୍-୧୯ ସହ ନିର୍ଣ୍ଣାୟକ ପର୍ଯ୍ୟାୟର ଲଢ଼େଇର ନିଜ ଉପସ୍ଥିତିର ଆବଶ୍ୟକତାକୁ ଶତ ପ୍ରତିଶତ ଜାହିର କରିଛନ୍ତି। କେବଳ ରାଜ୍ୟ ସରକାର କି ପ୍ରଶାସନିକ ପରିଚାଳନା ନୁହେଁ ଶ୍ରୀଜିଉଙ୍କ ସ୍ନାନବେଦିରେ ଗଜପତିଙ୍କ ଅନୁପସ୍ଥିତିର କାରଣ ଦର୍ଶାଇ ଓଡ଼ିଆଙ୍କ ଭାବାବେଗକୁ ଛୁଇଁବାର ପୁରୁଣା ପ୍ରୟାସ ମଧ୍ୟ କରିଛନ୍ତି।

ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସ୍ନାନବେଦିରେ ଛେରାପହଁରା ପାଇଁ ଗଜପତି ନଆସିବାର କାରଣ କହି ସାଧାରଣ ଲୋକଙ୍କ ମନରେ ଉଠୁଥିବା ପ୍ରଶ୍ନକୁ ଯେଉଁପରି ଢଙ୍ଗରେ ସମାହିତ କରିବାର ଉଦ୍ୟମ କରିଛନ୍ତି ସେହି ଏକା ଢଙ୍ଗରେ କରୋନା ଲଢ଼େଇର ଗୁରୁତ୍ୱପୂର୍ଣ୍ଣ ସମୟରେ ପ୍ରଶାସନିକ ଅଦଳବଦଳର ଅଜଥା ସ୍ପଷ୍ଟୀକରଣ ଦେଇଛନ୍ତି। କରୋନା ଲଢ଼େଇରେ ଓଡ଼ିଆଙ୍କ ଆତ୍ମପ୍ରତ୍ୟୟକୁ ଉଚ୍ଚରଖିବା ପାଇଁ ବାଗ୍‌ଚୀଙ୍କ ଉପସ୍ଥିତି ଯେତିକି ଦରକାର ଥିଲା ଦ୍ୱିତୀୟ ପାଳିରେ ପ୍ରଶାସନିକ ଅଦଳବଦଳର ସଫେଇ ରଖିବା ବାଗ୍‌ଚୀଙ୍କ ଭଳି ଜଣେ ଅଣସରକାରୀ ବ୍ୟକ୍ତିଙ୍କ ପାଇଁ ସେତିକି ଅନାବଶ୍ୟକ ଥିବା ଭଳି ଚର୍ଚ୍ଚା ହେଉଛି। ଆଲୋଚନା ହେଉଛି ବିଭିନ୍ନ ପ୍ରସଙ୍ଗରେ ଅକଳରେ ପଡ଼ୁଥିବା ସରକାରୀ କଳକୁ ଜନମାନସରୁ ସୁରକ୍ଷା ଦେବା ପାଇଁ ବାଗ୍‌ଚୀଙ୍କୁ ପୁଣିଥରେ ଫେରାଇ ଆଣିବାକୁ ନୀତିନିର୍ଦ୍ଧାରକ ଗୋଷ୍ଠୀ ବାଧ୍ୟ ହୋଇଛନ୍ତି।

ଆମେ ଏଠାରେ କହିବାକୁ ଚାହୁଁ ଶନିବାର ବାଗଚୀ ସାହେବ ପ୍ରଥମେ ସ୍ନାନବେଦିରେ ଗଜପତିଙ୍କ ଛେରାପହଁରା ନକରିବାର କାରଣ କହି ପରେ ପ୍ରାଶାସନିକ ଅଦଳବଦଳର ରହସ୍ୟ ଉପରୁ ପରଦା ଉଠାଇବା ପାଇଁ ଏକ ଅବାଞ୍ଛିତ ଉଦ୍ୟମ କରିଥିଲେ। ଯେହେତୁ କୋଭିଡ୍-୧୯ର ମୁକାବିଲା ପରିଚାଳନାର ଗୁମର ଖୋଲି କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମ ରାଜ୍ୟ ସରକାରଙ୍କ ପାରିଲା ପଣିଆକୁ ପଦାରେ ପକାଇବାକୁ ଚେଷ୍ଟା କରିଥିଲେ ସେହି ସମୟରେ ବାଗ୍‌ଚୀଙ୍କ ଭଳି ଜଣେ ନିର୍ବିବାଦୀୟ ଓ ଜନମାନସରେ ଦକ୍ଷ ବ୍ୟକ୍ତିତ୍ୱଙ୍କୁ ଆଗରେ ରଖି ନିଜ ଅଳିଆ ସଫା କରିବା ଛଡ଼ା ସେହି ନୀତିନିର୍ଦ୍ଧାରକ ଗୋଷ୍ଟୀଙ୍କ ପାଖରେ ଅନ୍ୟ ରାସ୍ତା ନଥିଲା ବୋଲି କୁହାଯାଉଛି। ଅର୍ଥାତ ପ୍ରଥମେ ବାଗଚୀଙ୍କୁ ମୋହରା କରି ପରେ ମୁହଁ ଫେରାଇ ନେଇଥିବା ଚତୁର ଗୋଷ୍ଠୀ ବିପଦ ବେଳେ ସଙ୍କଟରୁ ରକ୍ଷା ପାଇବା ପାଇଁ ପୁଣି ଥରେ ସେହି ବାଗଚୀଙ୍କ ଉପରେ ନିର୍ଭର ପାଇଁ ବାଧ୍ୟ ହୋଇଛି।

ଅନ୍ୟପକ୍ଷରେ ନିଜ ବାକ୍‌ ଚାତୁର୍ଯ୍ୟ ବଳରେ କରୋନା ତଥ୍ୟ ଦେଇ ସାରା ଓଡ଼ିଶାରେ କୋଣ ଅନୁକୋଣରେ ଛାଇ ହୋଇଯାଇଥିବା ବାଗଚୀଙ୍କ ଅତ୍ୟଧିକ ଲୋକପ୍ରୟିତା କୁଆଡ଼େ ରାଜନୈତିକ ଓ ପ୍ରାଶାସନିକ ଅସହିଷ୍ଣୁତାର କାରଣ ପାଲଟିଥିଲା। ଖାସ ଏହି କାରଣ ପାଇଁ ବାଗ୍‌ଚୀଙ୍କୁ ବିରତ କରି ସ୍ଥିତି ସମ୍ଭାଳିବା ପାଇଁ ପରଦାପଛର ନାୟକମାନେ ଆସିଥିଲେ ମଧ୍ୟ ଉଦ୍ୟମ ସଫଳ ହୋଇପାରି ନଥିବା କୁହାଯାଉଛି। ବରଂ କରୋନା ସ୍ଥିତି ଆହୁରି ସଙ୍ଗୀନ ହୋଇଛି। ତେବେ ଏକ ଅନିଶ୍ଚିତ ଯାତ୍ରା ବେଳେ ଜାହାଜଟି ଯେତେବଳେ ଘୋର ସଙ୍କଟ ଦେଇ ଗତି କରୁଛି ଏହି ସମୟରେ ବାଗଚୀଙ୍କ ଭଳି ସୁଦକ୍ଷ କ୍ୟାପଟେନ୍‌ଙ୍କର  ନିଶ୍ଚିତ ଆବଶ୍ୟକତା ରହିଛି। କିନ୍ତୁ ଯାତ୍ରା ଆରମ୍ଭରୁ କ୍ୟାପଟେନ୍‌ ସାଜି ପ୍ରତିକୂଳ ପରିସ୍ଥିତିରେ ଜାହାଜଟିକୁ ଏକ ସଠିକ୍‌ ଦିଶା ଦେଇ ଆଗେଇ ନେଉଥିବା ବାଗଚୀଙ୍କ ହଠାତ୍‌ ମଝିରୁ ଅନ୍ତର୍ଧାନ ହୋଇଯିବାର ରହସ୍ୟ କିନ୍ତୁ ରହସ୍ୟରେ ରହିଗଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos