ଚିହ୍ନଟ ଚାଷୀଙ୍କୁ ବି ଦେଲେନି ‘ଫୋନି’ ସହାୟତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମେ’ ପ୍ରଥମ ସପ୍ତାହରେ ପ୍ରଳୟଙ୍କରୀ ସାମୁଦ୍ରିକ ଝଡ଼ ‘ଫୋନି’ରେ କ୍ଷତିଗ୍ରସ୍ତ ନଡ଼ିଆ ଚାଷୀଙ୍କୁ ସହାୟତା ଦେବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ‘ଫୋନି’ ତାଣ୍ଡବର ୬ମାସ ପରେ ମଧ୍ୟ ହଜାର ହଜାର ନଡ଼ିଆ ଚାଷୀଙ୍କୁ ସରକାରୀ ସହାୟତା ମିଳିପାରିନି। ଏପରିକି ଯେଉଁ ନଡ଼ିଆ ଚାଷୀଙ୍କୁ ସହାୟତା ଦେବାକୁ ସରକାର ଚିହ୍ନଟ କରିଥିଲେ ସେମାନଙ୍କୁ ମଧ୍ୟ ସହାୟତା ଦେଇନଥିବା ଜଣାପଡ଼ିଛି। ଯେଉଁଥିପାଇଁ ଏବେବି ପ୍ରାୟ ୫କୋଟି ଟଙ୍କା ସହାୟତା ବଣ୍ଟନ ନହୋଇପାରି ପଡ଼ି ରହିଛି। ସୂଚନା […]

foni

Manoranjan Sial
  • Published: Thursday, 09 January 2020
  • , Updated: 09 January 2020, 09:30 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମେ’ ପ୍ରଥମ ସପ୍ତାହରେ ପ୍ରଳୟଙ୍କରୀ ସାମୁଦ୍ରିକ ଝଡ଼ ‘ଫୋନି’ରେ କ୍ଷତିଗ୍ରସ୍ତ ନଡ଼ିଆ ଚାଷୀଙ୍କୁ ସହାୟତା ଦେବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ‘ଫୋନି’ ତାଣ୍ଡବର ୬ମାସ ପରେ ମଧ୍ୟ ହଜାର ହଜାର ନଡ଼ିଆ ଚାଷୀଙ୍କୁ ସରକାରୀ ସହାୟତା ମିଳିପାରିନି। ଏପରିକି ଯେଉଁ ନଡ଼ିଆ ଚାଷୀଙ୍କୁ ସହାୟତା ଦେବାକୁ ସରକାର ଚିହ୍ନଟ କରିଥିଲେ ସେମାନଙ୍କୁ ମଧ୍ୟ ସହାୟତା ଦେଇନଥିବା ଜଣାପଡ଼ିଛି। ଯେଉଁଥିପାଇଁ ଏବେବି ପ୍ରାୟ ୫କୋଟି ଟଙ୍କା ସହାୟତା ବଣ୍ଟନ ନହୋଇପାରି ପଡ଼ି ରହିଛି।

ସୂଚନା ଅନୁସାରେ, ‘ଫୋନି’ରେ ସର୍ବାଧିକ କ୍ଷତିଗ୍ରସ୍ତ ୬ଟି ଜିଲ୍ଲାର ନଡ଼ିଆ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ରାଜ୍ୟ ସରକାର ଆର୍ଥିକ ସହାୟତା ଘୋଷଣା କରିଥିଲେ। ଗୋଟିଏ ନଡ଼ିଆ ଗଛ ଭାଙ୍ଗିଥିଲେ ଅବା କ୍ଷତିଗ୍ରସ୍ତ ହୋଇଥିଲେ ଚାଷୀଙ୍କୁ ୫୦୦ଟଙ୍କା ହିସାବରେ ସର୍ବାଧିକ ୨୫ଟି ନଡ଼ିଆ ଗଛ ନିମନ୍ତେ ଆର୍ଥିକ କ୍ଷତିପୂରଣ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ଏଥିପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୫୦କୋଟି ଟଙ୍କା ବ୍ୟୟବରାଦ ମଧ୍ୟ କରାଯାଇଥିଲା। ଜିଲ୍ଲାପାଳମାନଙ୍କ ରିପୋର୍ଟ ଆଧାରରେ ପୁରୀ ଜିଲ୍ଲାରେ ସର୍ବାଧିକ ୧.୨୭ଲକ୍ଷ ନଡ଼ିଆ ଚାଷୀଙ୍କୁ ସହାୟତା ଦେବା ପାଇଁ ଚିହ୍ନଟ କରାଯାଇଥିଲେ ମଧ୍ୟ ମାତ୍ର ୯୯,୪୭୫ଜଣ ଚାଷୀଙ୍କୁ ଆଜିସୁଦ୍ଧା ସହାୟତା ଦିଆଯାଇଛି। ପ୍ରାୟ ୪.୨୦କୋଟି ଟଙ୍କା ଏବେବି ଜିଲ୍ଲା ପ୍ରଶାସନ ପାଖରେ ପଡ଼ି ରହିଛି। ତେବେ କେନ୍ଦ୍ରାପଡ଼ା, କଟକ,ଯାଜପୁର ଓ ଭୁବନେଶ୍ୱରରେ ଯେତିକି ଚାଷୀଙ୍କୁ ଆର୍ଥିକ ସହାୟତା ଦେବାକୁ ଚିହ୍ନଟ କରାଯାଇଥିଲା ତାହା ତୁଳନାରେ ଅଧିକ ଚାଷୀଙ୍କୁ ସହାୟତା ପ୍ରଦାନ କରାଯାଇଛି।

କେନ୍ଦ୍ରାପଡ଼ାରେ ୪୭୭ଜଣ ପରିବର୍ତ୍ତେ ୯୧୨ଜଣ, କଟକରେ ୭୧୭୮ ପରିବର୍ତ୍ତେ ୭୨୮୦ଜଣ ଚାଷୀ,  ଭୁବନେଶ୍ୱରରେ ୩୮୬୩ ପରିବର୍ତ୍ତେ ୪୩୫୨ଜଣ ଚାଷୀ ଓ ଯାଜପୁରରେ ୨୭୫ଜଣ ବଦଳରେ ୩୨୨ଜଣ ନଡ଼ିଆ ଚାଷୀଙ୍କୁ ଆର୍ଥିକ ସହାୟତା ଦିଆଯାଇଛି। ମୋଟ ୧ଲକ୍ଷ ୪୦ହଜାର ୨୭୬ଜଣ ଚାଷୀଙ୍କୁ ୪୯.୦୨ କୋଟି ଟଙ୍କା ବଣ୍ଟନ ନିମନ୍ତେ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବାବେଳେ ଏବେସୁଦ୍ଧା ମାତ୍ର ୧ଲକ୍ଷ ୧୩ହଜାର ୮୧୦ଜଣ ଚାଷୀଙ୍କୁ ୪୪.୮୭କୋଟି ଟଙ୍କା ବଣ୍ଟନ କରାଯାଇଛି। ପ୍ରାୟ ୨୭ହଜାର ଚାଷୀ ଏବେମଧ୍ୟ ସହାୟତା ଅପେକ୍ଷାରେ ରହିଛନ୍ତି। ଫନିକୁ ୬ମାସରୁ ଅଧିକ ସମୟ ବିତିଥିବାବେଳେ ଏହି ସହାୟତା ଆଉ ମିଳିବ କି ନାର୍ହି ତାକୁ ନେଇ ଚାଷୀଙ୍କ ମଧ୍ୟରେ ଆଶଙ୍କା ଲାଗି ରହିଛି । ସୂଚନାଯୋଗ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ୧ଲକ୍ଷ ୧୩ହଜାର ୮୧୦ଜଣ ଚାଷୀଙ୍କୁ ୮.୯୭ଲକ୍ଷ ନଡ଼ିଆ ଗଛ ଚାରା ଯୋଗାଇ ଦିଆଯାଇଛି।

Related story