ଓହରିଗଲେ ପ୍ରଫେସର ଚକ୍ରପାଣି: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳପତି ଖୋଜା ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରତିଷ୍ଠିତ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୋବିନ୍ଦ ଜେ.ଚକ୍ରପାଣିଙ୍କୁ ତାଙ୍କ ପଦରୁ ଅବ୍ୟାହତି ନେବାକୁ ରାଜ୍ୟପାଳ ଅନୁମତି ଦେଇଛନ୍ତି। ଏହାସହିତ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ନିମନ୍ତେ ନୂଆ କୁଳପତି ନିଯୁକ୍ତି ପାଇଁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଥିବା ଜଣାପଡ଼ିଛି । ତେବେ ନୂଆ କୁଳପତିଙ୍କ ନିଯୁକ୍ତି ୩ବର୍ଷ ପରିବର୍ତ୍ତେ ୪ବର୍ଷ ପାଇଁ ହେବ ବୋଲି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରୁ ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ୨୦୧୯ ସେପ୍ଟେମ୍ବରରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର […]

J.Chakrapani

Ordigital Desk
  • Published: Tuesday, 08 February 2022
  • , Updated: 08 February 2022, 09:38 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରତିଷ୍ଠିତ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୋବିନ୍ଦ ଜେ.ଚକ୍ରପାଣିଙ୍କୁ ତାଙ୍କ ପଦରୁ ଅବ୍ୟାହତି ନେବାକୁ ରାଜ୍ୟପାଳ ଅନୁମତି ଦେଇଛନ୍ତି। ଏହାସହିତ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ନିମନ୍ତେ ନୂଆ କୁଳପତି ନିଯୁକ୍ତି ପାଇଁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଥିବା ଜଣାପଡ଼ିଛି । ତେବେ ନୂଆ କୁଳପତିଙ୍କ ନିଯୁକ୍ତି ୩ବର୍ଷ ପରିବର୍ତ୍ତେ ୪ବର୍ଷ ପାଇଁ ହେବ ବୋଲି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରୁ ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ୨୦୧୯ ସେପ୍ଟେମ୍ବରରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ଭାବେ ୩ବର୍ଷ ଅବଧି ନିମନ୍ତେ ନିଯୁକ୍ତି ପାଇଥିବା ପ୍ରଫେସର ଚକ୍ରପାଣି ତାଙ୍କର କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ବ୍ୟକ୍ତିଗତ କାରଣ ଦର୍ଶାଇ ଏହି ପଦରୁ ଓହରି ଯିବାକୁ ରାଜ୍ୟପାଳ ତଥା କୁଳାଧିପତିଙ୍କ ଅନୁମତି ମାଗିଥିଲେ। ରାଜଭବନ ସୂତ୍ରରୁ ସୂଚନା ଅନୁସାରେ ଫେବୃୟାରୀ ୧ ତାରିଖରେ ରାଜ୍ୟପାଳ ତାଙ୍କୁ ଏଥିପାଇଁ ଅନୁମତି ଦେଇଛନ୍ତି । ପ୍ରଫେସର ଚକ୍ରପାଣି ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇବେ ବୋଲି ବ୍ୟକ୍ତିଗତ କାରଣ ଦର୍ଶାଇ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳପତି ପଦରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି । ସେ ଏପ୍ରିଲ ୩୦ ପର୍ଯ୍ୟନ୍ତ ତାଙ୍କ ପଦରୁ କାମ କରିବେ ବୋଲି ସୂଚନା ମିଳିଛି । ପ୍ରଫେସର ଚକ୍ରପାଣି ଆଇଆଇଟି ରୁରକିରେ ପ୍ରଫେସର ଭାବେ ଦୀର୍ଘବର୍ଷ କାର୍ଯ୍ୟ କରିଥିବାବେଳେ ସେ ଜେଏନୟୁରୁ ପରିବେଶ ବିଜ୍ଞାନରେ ଏମଫିଲ୍ ଓ ପିଏଚଡି ଡିଗ୍ରୀ ହାସଲ କରିଛନ୍ତି । ଆମେରିକାର ଦେଲାୱାରେ ବିଶ୍ୱବିଦ୍ୟାଳୟରୁ ସେ ସାମୁଦ୍ରିକ ବିଜ୍ଞାନରେ ମଧ୍ୟ ଡିଗ୍ରୀ ହାସଲ କରିଛନ୍ତି ।

ଅନ୍ୟପକ୍ଷରେ ରାଜଭବନ ପକ୍ଷରୁ ଫେବୃୟାରୀ ୧ ତାରିଖରେ ଏ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଅବଗତ କରାଯିବା ପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପାଇଁ ନୂଆ କୁଳପତି ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି । ଉଚ୍ଚଶିକ୍ଷା ବିଭାଗ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ମାର୍ଚ୍ଚ ୭ତାରିଖ ସୁଦ୍ଧା ଯୋଗ୍ୟ ବ୍ୟକ୍ତିଙ୍କୁ ଆବେଦନ କରିବାକୁ କହିଛି । ମାସିକ ୨.୧୦ଲକ୍ଷ ଟଙ୍କା ଦରମା ସହ ଅନ୍ୟାନ୍ୟ ଭତ୍ତା ମିଳିବ । ଆବେଦନକାରୀଙ୍କ ବୟସ ୬୩ବର୍ଷରୁ କମ୍ ଓ ସେ ସର୍ବାଧିକ ୪ବର୍ଷ ଅବା ୬୭ବର୍ଷ ବୟସରେ ଉପନୀତ ହେବା ପର୍ଯ୍ୟନ୍ତ ଏହି ପଦବୀରେ ରହିପାରିବେ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ।

Related story