କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ଦିନେ ବ୍ରେଲି ସାହାଯ୍ୟରେ ପାଠ ପଢୁଥିଲେ। ଏବେ କିନ୍ତୁ କାଗଜ କଲମରେ ଲେଖା ପଢା କରିବେ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ଙ୍କ ଯୋଗୁଁ ଏବେ ଦୃଷ୍ଟି ଶକ୍ତି ପାଇଛନ୍ତି କେନ୍ଦ୍ରପଡ଼ାର ଦୁଇ ଦୃଷ୍ଟିବାଧିତ ଛାତ୍ର। ଉଭୟଙ୍କ ଅନ୍ଧାରୀ ଜୀବନରେ ଏବେ ଆଲୋକର ବର୍ଷା କରିଥିବାରୁ ରାଜ୍ୟପାଳଙ୍କୁ କୃତଜ୍ଞତା ଜଣାଇଛନ୍ତି ଦୁଇଛାତ୍ର ଓ ସେମାନଙ୍କ ପରିବାର। ଏହି ୨ ଜଣ ହେଲେ କେନ୍ଦ୍ରାପଡ଼ା ଡେରାବିଶ ବେଲାରପୁରର ଶଙ୍କର ଦାସ ଓ ନୂଆଗାଁର ରାଜେଶ ମଲ୍ଲିକ।
ଶଙ୍କର ଦାସ ଜନ୍ମରୁ ଦୃଷ୍ଟିବାଧିତ। ମାଆ କୋଳରେ ରଙ୍ଗୀନ ଦୁନିଆର କାହାଣୀ ଶୁଣୁଥିଲେ। ହେଲେ ଦେଖିବା ସମ୍ଭବ ନ ଥିଲା। କେବଳ କଳ୍ପନା ହିଁ ସାହାରା ହୋଇଥିଲା। ହେଲେ ଆଜି ସେ ନିଜ ଆଖିରେ ଦେଖୁଛନ୍ତି। ଦୁନିଆ ପରିକଳ୍ପନା କରି ମନରେ ଆଙ୍କିଥିବା ଘରବାଡି, ଗଛଲତା, ପଶୁପକ୍ଷୀ ସମସ୍ତଙ୍କୁ ଚିହ୍ନୁଛନ୍ତି। ସ୍କୁଲରେ ସାଙ୍ଗମାନଙ୍କ ସହ ଖେଳୁଛନ୍ତି। ସମସ୍ତଙ୍କୁ ଆଖି ଆଗରେ ଦେଖି ଆତ୍ମହରା ହୋଇପଡ଼ିଛନ୍ତି।
ଏସବୁ ସମ୍ଭବ ହୋଇଛି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଉଦ୍ୟମରୁ। ଖାଲି ଶଙ୍କର କାହିଁକି ରାଜେଶଙ୍କ ଜୀବନରେ ବି ଆଲୋକ ବର୍ତ୍ତିକା ସାଜି ଆସିଥିଲେ ରାଜ୍ୟପାଳ। ଗତ ଅଗଷ୍ଟ ୧୦ କେନ୍ଦ୍ରାପଡ଼ା ଗସ୍ତରେ ଥିବା ବେଳେ ଦୃଷ୍ଟିହୀନ ବିଦ୍ୟାଳୟ ପରିଦର୍ଶନରେ ଆସିଥିଲେ ସେ। ଏହି ସମୟରେ ସମସ୍ତ ଅନ୍ତେବାସୀଙ୍କ ଚକ୍ଷୁ ପରୀକ୍ଷା କରାଇବା ସହ ଅସ୍ତ୍ରୋପଚାର କରାଇବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟପାଳଙ୍କ ଉଦ୍ୟମରୁ ଆଜି ଦୁନିଆ ଦେଖିପାରିଛନ୍ତି ଦୁଇ ଦୃଷ୍ଟିବାଧିତ। ଯେଉଁଥି ପାଇଁ ସେମାନେ ରାଜ୍ୟପାଳଙ୍କୁ ଅନ୍ତରରୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି।
କେନ୍ଦ୍ରାପଡ଼ା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାଶ କହିଛନ୍ତି, ରାଜ୍ୟପାଳଙ୍କ ନିର୍ଦ୍ଦେଶ କ୍ରମେ ଭୁବନେଶ୍ୱରର ଏକ ଘରୋଇ ଚକ୍ଷୁ ହସ୍ପିଟାଲରେ ୩୯ଜଣ ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କ ନେତ୍ର ପରୀକ୍ଷା କରାଯାଇଥିଲା। ସେ ମଧ୍ୟରୁ ୪ ଜଣ ଛାତ୍ର ଅସ୍ତ୍ରୋପଚାର ଦ୍ୱାରା ଦୃଷ୍ଟିଶକ୍ତି ଫେରିପାଇବା ସମ୍ଭବ ବୋଲି କହିଥିଲେ ଡାକ୍ତର। ପ୍ରଥମ ପର୍ଯ୍ୟାୟରେ ୨ଜଣଙ୍କ ଅସ୍ତ୍ରୋପଚାର ଚିକିତ୍ସା ସଫଳ ହୋଇଛି। ସେମାନେ ଏବେ ନିଜ ଆଖିରେ ଦୁନିଆ ଦେଖୁଛନ୍ତି।
ରାଜ୍ୟପାଳଙ୍କ ଉଦ୍ୟମ ଯୋଗୁ ଏବେ ଦୁଇ ଛାତ୍ରଙ୍କ ପରିବାରରେ ଖେଳି ଯାଇଛି ଖୁସିର ଲହରୀ। ସେପଟେ ଏହା ଶୁଣିବା ପରେ ଅନ୍ୟ ଦୃଷ୍ଟିବାଧିତ ଛାତ୍ରଛାତ୍ରୀମାନେ ମଧ୍ୟ ଦୁନିଆ ଦେଖିବା ନେଇ ଆଶା ସଂଚାର ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।