ନୂଆ ଶିଳ୍ପ ନୀତି: ଗଠନ ହେବ ୨ଟି ନୂଆ ଇକୋନୋମିକ କରିଡର ଓ ଲ୍ୟାଣ୍ଡ ପୁଲିଂ ସ୍କିମ

ଭୁବନେଶ୍ୱର(ପ୍ରକାଶ ସେଠୀ):ଚଳିତ ମାସ ୩୦ତାରିଖରୁ ମେକ୍ ଇନ୍ ଓଡ଼ିଶା କନକ୍ଲେଭ ପୂର୍ବରୁ ରାଜ୍ୟ ସରକାର ନୂଆ ଶିଳ୍ପ ନୀତି-୨୦୨୨କୁ ଚୂଡ଼ାନ୍ତ ରୂପ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ କ୍ୟାବିନେଟ ଏହି ଶିଳ୍ପ ନୀତିକୁ ମଞ୍ଜୁରୀ ଦେବେ ଓ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ନିବେଶକଙ୍କୁ ଆକୃଷ୍ଟ କରିବା ନିମନ୍ତେ ରାଜ୍ୟ ସରକାର ଏହି ନୂଆ ଶିଳ୍ପ ନୀତି ଉପରେ ବିଶେଷ ଗୁରୁତ୍ୱ ଦେବେ । ପ୍ରସ୍ତାବିତ ନୂଆ ଶିଳ୍ପ ନୀତିରେ ୨ଟି ନୂଆ ଆର୍ଥିକ କରିଡର ନିର୍ମାଣ ହେବ । ଏହାସହିତ ଶିଳ୍ପାୟନକୁ ପ୍ରୋତ୍ସାହିତ କରିବା ପାଇଁ ଲ୍ୟାଣ୍ଡ ବ୍ୟାଙ୍କ ସମେତ ନୂଆ କରି ‘ଲ୍ୟାଣ୍ଡ ପୁଲିଂ ସ୍କିମ’ ମଧ୍ୟ ପ୍ରଚଳନ ହେବ । ଯେଉଁଥିରେ ଘରୋଇ ଜମି ମାଲିକଙ୍କ ଜମିକୁ ଇଡକୋ ଆଣି ତାକୁ ଶିଳ୍ପାଂଚଳ ଭାବେ ବିକଶିତ କରିବ ତଥା ସେହି ଜମିରେ ଉଭୟ ଇଡ଼କୋ ଓ ସମ୍ପୃକ୍ତ ଜମି ମାଲିକଙ୍କର ଲିଜ୍ ଅଧିକାର ରହିବ।

ମିଳିଥିବା ସୂଚନା ଅନୁସାରେ,ପ୍ରସ୍ତାବିତ ନୂଆ ଶିଳ୍ପ ନୀତି ଅନୁସାରେ ରାଜ୍ୟରେ ପୂର୍ବ ଓ ପଶ୍ଚିମକୁ ଯୋଡ଼ିବା ପାଇଁ ନୂଆ ଆର୍ଥିକ କରିଡର ନିର୍ମାଣ ହେବ । ଖୋର୍ଦ୍ଧା-ଝାରସୁଗୁଡ଼ା ମଧ୍ୟରେ ନିର୍ମାଣ ହେବାକୁ ଥିବା ଓଡ଼ିଶା ଇଷ୍ଟ-ୱେଷ୍ଟ କରିଡର ଇକୋନୋମିକ କରିଡର ଖୋର୍ଦ୍ଧା, କଟକ, ଅନୁଗୁଳ, ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲା ମଧ୍ୟ ଦେଇ ଅତିକ୍ରମ କରିବ । ସେହିପରି ଅନ୍ୟଏକ ଆର୍ଥିକ କରିଡର ୨ଟି ଭାଗରେ ବିଭକ୍ତ ହୋଇ ରାଜ୍ୟର ଉପକୂଳ ଅଂଚଳକୁ ସଂଯୋଗ କରିବ । ଓଡ଼ିଶା ଇଷ୍ଟ କୋଷ୍ଟ ଇକୋନୋମିକ କରିଡର ଭାବେ ଗୋପାଳପୁର-ଭୁବନେଶ୍ୱର-କଳିଙ୍ଗନଗର(ଜିବିସି) ଏବଂ ପାରାଦୀପ-କେନ୍ଦ୍ରାପଡ଼ା-ଧାମରା-ସୁବର୍ଣ୍ଣରେଖା(ପିକେଡିଏସ) ନିର୍ମାଣ ହେବ । ସେହିପରି ଲ୍ୟାଣ୍ଡ ପୁଲିଂ ସ୍କିମ୍ ଭଳି ନୂଆ ଯୋଜନା ମାଧ୍ୟମରେ ଘରୋଇ ଲୋକଙ୍କୁ ନିଜର ଜମି ଦେବା ନିମନ୍ତେ ପ୍ରୋତ୍ସାହିତ କରାଯିବ । ସେଥିରେ ଘରୋଇ ଲୋକମାନେ ନିଜର ଜମି ଇଡକୋକୁ ଦେବେ । ଇଡକୋ ତାକୁ ଶିଳ୍ପାଂଚଳ ଭାବେ ବିକଶିତ କରିବ । ଯେଉଁଥିରୁ କିଛି ଅଂଶର ଲିଜ୍ ଅଧିକାର(ଜମିର ପରିମାଣ ଉପରେ ନିର୍ଭର କରେ) ଜମି ମାଲିକଙ୍କ ପାଖରେ ରହିବ ଓ ବାକି ଲିଜ୍ ଅଧିକାର ଇଡକୋ ପାଖରେ ରହିବ । ଏହି ଶିଳ୍ପାଂଚଳରେ ଯିଏ ଶିଳ୍ପ ପ୍ରତିଷ୍ଠା କରିବ ସେ ଇଡକୋ କିମ୍ବା ଜମି ମାଲିକଙ୍କଠୁ ତାହା ନେଇପାରିବ।

ରାଜ୍ୟରେ ଏବେ ଶିଳ୍ପ ନୀତି-୨୦୧୫ ଆଧାରରେ ସାମାଜିକ ଓ ଆର୍ଥିକ ବିକାଶ ତଥା ଉଦ୍ୟୋଗିକ ପ୍ରୋତ୍ସାହନ ଓ ନିବେଶ ସୁବିଧାର ସୁଦୃଢ଼ ଢାଂଚା ପ୍ରସ୍ତୁତ ହୋଇଥିବା ବେଳେ ଓଡ଼ିଶାକୁ ପୂର୍ବ ଭାରତର ଉଦ୍ୟୋଗିକ କେନ୍ଦ୍ର ଭାବେ ବିକଶିତ କରିବା ନିମନ୍ତେ ଏହି ପ୍ରସ୍ତାବିତ ନୂଆ ଶିଳ୍ପ ନୀତିରେ ଲକ୍ଷ୍ୟ ରଖାଯାଇଛି। ରାଜ୍ୟର ବିଭିନ୍ନ ଉଦ୍ୟୋଗିକ ସଂଘ, ପ୍ରତିନିଧି, ଉଦ୍ୟୋଗଜଗତର ବିଶିଷ୍ଟ ବ୍ୟକ୍ତି ଓ ବିଶେଷଜ୍ଞ, ସରକାରୀ ବିଭାଗ ଓ ହିତାଧିକାରୀଙ୍କ ସହ ବିଚାରବିମର୍ଶ ପରେ ରାଜ୍ୟ ସରକାର ଏହି ଶିଳ୍ପ ନୀତି-୨୦୨୨କୁ ଚୂଡ଼ାନ୍ତ ରୂପ ଦେଇଛନ୍ତି । ଏହି ନୂଆ ଶିଳ୍ପ ନୀତି ମାଧ୍ୟମରେ ଓଡ଼ିଶାକୁ ଦକ୍ଷିଣ ଓ ପୂର୍ବ ଏସିଆ ନିମନ୍ତେ ବାଣିଜ୍ୟ ଓ ବ୍ୟବସାୟ ପ୍ରବେଶ ଦ୍ୱାର କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ସର୍ବୋତ୍ତମ ଉଦ୍ୟୋଗିକ ଭିତ୍ତଭୂମି ବିକଶିତ କରିବା ସହ ନିବେଶକଙ୍କ ପାଇଁ ପ୍ରତିଯୋଗିତାମୂଳକ ପ୍ରୋତ୍ସାହନ ଢାଂଚା ମଧ୍ୟ ପ୍ରସ୍ତୁତ ହୋଇପାରିବ।

ସେହିପରି ଷ୍ଟାର୍ଟଅପ୍‌, ଏମଏସଏମଇ ନିମନ୍ତେ ଏକ ସୁସ୍ଥ ବାତାବରଣ ପ୍ରସ୍ତୁତ ଓ ସ୍ଥାନୀୟ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବା ନିମନ୍ତେ ଏହି ନୀତିରେ ପ୍ରାବଧାନ ରହିଛି । ପ୍ରଯୁକ୍ତିବିଦ୍ୟାର ନୂଆ କ୍ଷେତ୍ରରେ ଗବେଷଣା ଓ ବିକାଶକୁ ପ୍ରୋତ୍ସାହନ, ପ୍ରଯୁକ୍ତିବିଦ୍ୟା ଉଦ୍ୟୋଗକୁ ସୁଦୃଢ଼ କରିବା ସହ କୁଶଳୀ ମାନବସମ୍ବଳ ଉପଲବ୍ଧ କରାଇବା ତଥା ଉଦ୍ୟୋଗ ଅବା ସଂସ୍ଥାଗୁଡ଼ିକୁ ଏହି ଲିଙ୍କେଜ୍ ସୁବିଧା ପ୍ରଦାନ କରିବା ମଧ୍ୟ ନୂଆ ପ୍ରସ୍ତାବିତ ଶିଳ୍ପ ନୀତିର ମୂଳ ଉଦ୍ଦେଶ୍ୟ । ସେହିପରି ପରିବେଶ ଅନୁକୂଳ ଉଦ୍ୟୋଗିକ ସଂସ୍ଥାକୁ ପ୍ରୋତ୍ସାହନ ଦେବା ସହ ସାମଗ୍ରିକ ଉଦ୍ୟୋଗିକ ବିକାଶକୁ ମଧ୍ୟ ସୁନିଶ୍ଚିତ କରାଇବା, ରାଜ୍ୟ ଆଧାରିତ ଉଦ୍ୟୋଗ ଓ ଏମଏସଏମଇ ନିମନ୍ତେ ମାର୍କେଟିଂ ସହାୟତା ପ୍ରଦାନ, ରାଜ୍ୟର ରୁଗଣ ଶିଳ୍ପ ସଂସ୍ଥାଗୁଡ଼ିକର ପୁନରୁଦ୍ଧାର ପାଇଁ ସହାୟତା ପ୍ରଦାନ ନିମନ୍ତେ ଏହି ନୂଆ ଶିଳ୍ପ ନୀତିରେ ଗୁରୁତ୍ୱ ଦିଆଯାଇଛି।

ତା’ଛଡ଼ା ଶିଳ୍ପାୟନ ଓ ନିବେଶକଙ୍କ ନିମନ୍ତେ ରାଜ୍ୟ ସରକାର ୨୦୧୪ରୁ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ପ୍ରାଧିକରଣ ଗଠନ କରିଥିବାବେଳେ ପ୍ରସ୍ତାବିତ ନୂଆ ଶିଳ୍ପ ନୀତିରେ ୫୦କୋଟି ଟଙ୍କା ପର୍ଯ୍ୟନ୍ତ ନିବେଶ ପ୍ରସ୍ତାବକୁ ଜିଲ୍ଲାସ୍ତରରେ ଗଠନ ହେବାକୁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଥିବା ଜିଲ୍ଲାସ୍ତରୀୟ ସିଙ୍ଗଲୱିଣ୍ଡୋ କମିଟି ଦ୍ୱାରା ଅନୁମୋଦିତ ହେବ । ସେହିପରି ୫୦କୋଟି ଟଙ୍କାରୁ ଅଧିକ ନିବେଶ ପ୍ରସ୍ତାବକୁ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଥିବା ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ ପ୍ରାଧିକରଣ ଏବଂ ଏକ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ୱ ନିବେଶ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଥିବା ହାଇଭେଭଲ କମିଟିରେ ଅନୁମୋଦନ ମିଳିବ । ପ୍ରତ୍ୟେକ ଜିଲ୍ଲାରେ ଇନଭେଷ୍ଟମେଂଟ ପ୍ରମୋସନ ଏଜେନ୍ସୀ(ଡିଆଇପିଏ) ଗଠନ କରାଯିବ । ଯେଉଁଥିରେ ପେଷାଦାର ଲୋକଙ୍କୁ ନିଯୁକ୍ତି ମିଳିବ ଓ ତା’ର ଅଧ୍ୟକ୍ଷ ଜିଲ୍ଲାପାଳ ରହିବେ।

ସେହିପରି ନୂଆ ଶିଳ୍ପ ନୀତିରେ ଓଡ଼ିଶାକୁ ଏକ ଆଧୁନିକ ଓ ଉନ୍ନତ ଉଦ୍ୟୋଗିକ ରାଜ୍ୟରେ ପରିବର୍ତ୍ତନ କରିବା ସହ ରାଜ୍ୟବାସୀଙ୍କ ସାମାଜିକ ଓ ଆର୍ଥିକ ବିକାଶକୁ ପ୍ରୋତ୍ସାହିତ କରିବାକୁ ଲକ୍ଷ୍ୟ ରଖାଯାଇଛି । ଓଡ଼ିଶାର ପ୍ରାକୃତିକ ଓ ମାନବ ସମ୍ବଳର ଲାଭ ନେବାକୁ ନିବେଶକଙ୍କୁ ପ୍ରୋତ୍ସାହିତ କରାଯିବ ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।