ଠକିଲେ ସରକାର, ବିଜ୍ଞପ୍ତି ଜାରି ପରେ ଆନ୍ଦୋଳନ ଧମକ ଦେଲେ ଚୁକ୍ତିଭିତ୍ତିକ କର୍ମଚାରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ପାରିଶ୍ରମିକକୁ ୫୦ ପ୍ରତିଶତ ବୃଦ୍ଧି କରିବା ପାଇଁ ରାଜ୍ୟ କ୍ୟାବିନେଟ ନେଇଥିବା ନିଷ୍ପତ୍ତି ଉପରେ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ମାତ୍ର ଏହି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଓଡ଼ିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ତୀବ୍ର ପ୍ରତିକ୍ରିୟାଶୀଳ ହୋଇଛି। ରାଜ୍ୟ ସରକାର ଦେଇଥିବା ପ୍ରତିଶ୍ରୁତିରୁ ଓହରି ଯାଇଛନ୍ତି ଓ ସେମାନଙ୍କୁ ଠକିଛନ୍ତି। ଯଦି ସେମାନଙ୍କ ଦାବି ଅନୁରୂପ ୨୦୧୬ ଏପ୍ରିଲରୁ ପିଛିଲା ଭାବେ […]

govt-employees

Ordigital Desk
  • Published: Wednesday, 27 October 2021
  • , Updated: 27 October 2021, 10:05 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ପାରିଶ୍ରମିକକୁ ୫୦ ପ୍ରତିଶତ ବୃଦ୍ଧି କରିବା ପାଇଁ ରାଜ୍ୟ କ୍ୟାବିନେଟ ନେଇଥିବା ନିଷ୍ପତ୍ତି ଉପରେ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ମାତ୍ର ଏହି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଓଡ଼ିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ତୀବ୍ର ପ୍ରତିକ୍ରିୟାଶୀଳ ହୋଇଛି। ରାଜ୍ୟ ସରକାର ଦେଇଥିବା ପ୍ରତିଶ୍ରୁତିରୁ ଓହରି ଯାଇଛନ୍ତି ଓ ସେମାନଙ୍କୁ ଠକିଛନ୍ତି। ଯଦି ସେମାନଙ୍କ ଦାବି ଅନୁରୂପ ୨୦୧୬ ଏପ୍ରିଲରୁ ପିଛିଲା ଭାବେ ଏହି ପାରିଶ୍ରମିକ ବୃଦ୍ଧି କରାନଯାଏ ତା’ହେଲେ ଚୁକ୍ତିଭିତ୍ତିକ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛି।

ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି କ୍ୟାବିନେଟର ଅକ୍ଟୋବର ୧୧ତାରିଖ ନିଷ୍ପତ୍ତି ଆଧାରରେ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ‘ଇନିସିଆଲ ଆପଏଣ୍ଟି’ ଭାବେ ନାମିତ କରାଯିବା ସହ ବିଜ୍ଞପ୍ତି ପ୍ରକାଶ ଦିନଠୁ ସେମାନଙ୍କର ପାରିଶ୍ରମିକରେ ପ୍ରାୟ ୫୦ ପ୍ରତିଶତ ବୃଦ୍ଧି ହେବ ବୋଲି ଉଲ୍ଲେଖ ରହିଛି ।

ମାତ୍ର ରାଜ୍ୟ ସରକାରଙ୍କ ଏଭଳି ଆଭିମୁଖ୍ୟକୁ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ତୀବ୍ର ବିରୋଧ କରିଛି। କ୍ୟାବିନେଟ ବୈଠକ ପୂର୍ବରୁ ହୋଇଥିବା ଆଲୋଚନା ଆଧାରରେ ସରକାର କୌଣସି ନିଷ୍ପତ୍ତି ନେଇନାହାନ୍ତି। ପାରିଶ୍ରମିକ ବୃଦ୍ଧିକୁ ମହାସଂଘ ସ୍ୱାଗତ କରିଥିଲା, କିନ୍ତୁ ସରକାର ଏହାକୁ ୨୦୧୬ ଏପ୍ରିଲ ପହିଲାରୁ ପିଛିଲା ଭାବେ ଲାଗୁ କରିବେ ବୋଲି କହିଥିଲେ । ମାତ୍ର ତାହା କଲେନି । ସେହିପରି ୬ବର୍ଷର ଚାକିରି କାଳ ଆଧାରରେ ବରିଷ୍ଠତା ବିବେଚନା କରିବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। ତାହା ବି ହେଲାନି । ମହାସଂଘ ପକ୍ଷରୁ ଆଲୋଚନାବେଳେ ଚୁକ୍ତିଭିତ୍ତିକ ନିଯୁକ୍ତିକୁ ସମ୍ପୂର୍ଣ୍ଣ ଉଚ୍ଛେଦ ସହ ୬ବର୍ଷର ଚାକିରି କାଳର ବରିଷ୍ଠତାକୁ ମଧ୍ୟ ବିବେଚନା ନିମନ୍ତେ ଦାବି ହୋଇଥିଲା।

ସରକାର ଏହି ନିଯୁକ୍ତିକୁ ଉଚ୍ଛେଦ କରିବା ବଦଳରେ କେବଳ ନାଁ ପରିବର୍ତ୍ତନ କରିଛନ୍ତି। ତେଣୁ ଏସବୁ କାରଣରୁ ମହାସଂଘ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରୁଛି ଓ ୧୫ଦିନ ମଧ୍ୟରେ ସରକାର ନିଜର ନିଷ୍ପତ୍ତିର ସଂଶୋଧନ କରି ୨୦୧୬ ଏପ୍ରିଲ ପହିଲାରୁ ଲାଗୁ ନକଲେ ମହାସଂଘ ନିଜର ଆନ୍ଦୋଳନ ପୂର୍ବଭଳି ଜାରି ରଖିବ । ଆଉ ସମାନ କାମକୁ ସମାନ ଦରମା ଓ ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ଦାବିରେ ମହାସଂଘ ପକ୍ଷରୁ ହାଇକୋର୍ଟରେ ଏକ ମାମଲା ଚାଲିଛି । କୋର୍ଟରେ ମାମଲା ଜାରି ରହିବ ବୋଲି ସେ ସ୍ପଷ୍ଟ କରିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟ କ୍ୟାବିନେଟ ଅକ୍ଟୋବର ୧୧ତାରିଖରେ ଓଡ଼ିଶା ଗ୍ରୁପ ସି ଓ ଡି ଚୁକ୍ତିନାମା ନିୟମ-୨୦୧୩ ଏବଂ ଓଡ଼ିଶା ଗ୍ରୁପ୍ ବି ଚୁକ୍ତିନାମା ନିୟମ-୨୦୧୩ରେ ସଂଶୋଧନ କରିଥିଲେ। ‘ଚୁକ୍ତିଭିତ୍ତିକ’ ସରକାରୀ କର୍ମଚାରୀମାନେ ‘ଇନିସିଆଲ ଆପଏଣ୍ଟି’ ଭାବେ ବିବେଚିତ ହେବା ସହ ଯେଉଁ ଦରମା ପାଉଛନ୍ତି ତା’ର ପ୍ରାୟ ୫୦ ପ୍ରତିଶତ ଅଧିକ ଦରମା ପାଇବେ ବୋଲି ନିଷ୍ପତ୍ତି ହୋଇଥିଲା। ଏହା ଦ୍ୱାରା ରାଜ୍ୟର ପ୍ରାୟ ୫୦ହଜାର ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ଉପକୃତ ହେବେ ଓ ବର୍ଷକୁ ପ୍ରାୟ ୨୫୦କୋଟି ଟଙ୍କା ଅତିରିକ୍ତ ବ୍ୟୟ ହେବ ବୋଲି ସରକାର କହିଥିଲେ ।

Related story