ଦ୍ୱନ୍ଦ୍ୱରେ ଲୋକେ : ବଦଳୁଛି ସରକାରଙ୍କ ସ୍ୱର, ବଢ଼ୁଛି ସଂକ୍ରମଣ ଆଶଙ୍କା

ଭୁବନେଶ୍ୱର(ପ୍ରକାଶ ସେଠୀ): ପ୍ରବାସୀ ଓଡ଼ିଆଙ୍କ ଘରବାହୁଡ଼ା ଯୋଗୁ ରାଜ୍ୟରେ ଦ୍ରୁତଗତିରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିବାବେଳେ ସଂକ୍ରମିତଙ୍କ ନିମନ୍ତେ ସରକାରଙ୍କ ନୂଆ ଗାଇଡଲାଇନ୍ ଏବେ ସାଧାରଣ ଲୋକଙ୍କୁ ଦ୍ୱନ୍ଦ୍ୱ ଓ ଆଶଙ୍କାରେ ପକାଇଛି। ସ୍ୱଳ୍ପ ଲକ୍ଷଣ ଓ ବିଲକୁଲ୍ ଲକ୍ଷଣ ନଥିବା ସଂକ୍ରମିତ ରୋଗୀମାନେ ଏକ ନିର୍ଦ୍ଧାରିତ ଫର୍ମାଟରେ ସରକାରଙ୍କୁ ଲିଖିତ ଆକାରରେ ଦେଇ ନିଜ ଘରେ କ୍ୱାରେଣ୍ଟାଇନରେ ରହିପାରିବେ ବୋଲି ଆଜି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର […]

corona

Tapas Behera
  • Published: Monday, 11 May 2020
  • , Updated: 11 May 2020, 09:49 PM IST

ଭୁବନେଶ୍ୱର(ପ୍ରକାଶ ସେଠୀ): ପ୍ରବାସୀ ଓଡ଼ିଆଙ୍କ ଘରବାହୁଡ଼ା ଯୋଗୁ ରାଜ୍ୟରେ ଦ୍ରୁତଗତିରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିବାବେଳେ ସଂକ୍ରମିତଙ୍କ ନିମନ୍ତେ ସରକାରଙ୍କ ନୂଆ ଗାଇଡଲାଇନ୍ ଏବେ ସାଧାରଣ ଲୋକଙ୍କୁ ଦ୍ୱନ୍ଦ୍ୱ ଓ ଆଶଙ୍କାରେ ପକାଇଛି। ସ୍ୱଳ୍ପ ଲକ୍ଷଣ ଓ ବିଲକୁଲ୍ ଲକ୍ଷଣ ନଥିବା ସଂକ୍ରମିତ ରୋଗୀମାନେ ଏକ ନିର୍ଦ୍ଧାରିତ ଫର୍ମାଟରେ ସରକାରଙ୍କୁ ଲିଖିତ ଆକାରରେ ଦେଇ ନିଜ ଘରେ କ୍ୱାରେଣ୍ଟାଇନରେ ରହିପାରିବେ ବୋଲି ଆଜି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଥିବାବେଳେ  ସରକାରଙ୍କ ମୁଖପାତ୍ର ସୁବ୍ରତୋ ବାଗଚୀ ମଧ୍ୟ ଆଉ ପାଦେ ଆଗେଇ ଯାଇ ସଂକ୍ରମିତ ଚିହ୍ନଟ ହେଉଥିବା ସମସ୍ତ ବ୍ୟକ୍ତିଙ୍କୁ କୋଭିଡ୍ ହସ୍ପିଟାଲ ପଠାଇବାର ଆବଶ୍ୟକତା ନାହିଁ ଓ ସେମାନଙ୍କୁ ଅଲଗା ରଖି ସାମାନ୍ୟ ଯତ୍ନ ନେଲେ ସେ ସୁସ୍ଥ ହୋଇପାରିବେ ବୋଲି କହିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଗଣମାଧ୍ୟମକୁ ଦିଆଯାଇଥିବା ଆଜିର ଏହି ସୂଚନା ସହ ଏପ୍ରିଲ ୧୧ ତାରିଖରେ ଶ୍ରୀ ବାଗଚୀ ଗଣମାଧ୍ୟମକୁ ଦେଇଥିବା ବୟାନର ଠିକ୍ ବିପରୀତ ହୋଇଛି।

ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଓଡ଼ିଶାରେ ଚିହ୍ନଟ ହୋଇଥିବା ୯୦ ପ୍ରତିଶତ କୋଭିଡ-୧୯ ସଂକ୍ରମିତଙ୍କ ମଧ୍ୟରେ କୌଣସି ଲକ୍ଷଣ ଦେଖିବାକୁ ମିଳୁନି। ତେବେ ସ୍ୱଳ୍ପ ଲକ୍ଷଣ ଓ ବିଲକୁଲ୍ ଲକ୍ଷଣ ନଥିବା କରୋନା ରୋଗୀ ଚାହିଁଲେ ସରକାରଙ୍କୁ ଲିଖିତ ଆକାରରେ ଦେଇ ନିଜ ଘରେ କ୍ୱାରେଣ୍ଟାଇନରେ ରହିପାରିବେ। ତାଙ୍କୁ ଦୈନିକ ମେଡିକାଲ ସର୍ଭେଲାନ୍ସରେ ରଖାଯିବ ଓ ତାଙ୍କ ଘର ଆଗରେ କ୍ୱାରେଣ୍ଟାଇନ ଷ୍ଟିକର ଲଗାଯିବ। ସଂକ୍ରମିତ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ରୁମ୍ ଓ ଶୌଚାଳୟ ରହିବା ଜରୁରୀ। ନଚେତ୍ ତାଙ୍କୁ ସରକାରୀ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ।

ସେହିପରି ଶ୍ରୀ ବାଗଚୀ ଆଜି କହିଛନ୍ତି ଯେ, ରାଜ୍ୟରେ ଚିହ୍ନଟ ହୋଇଥିବା ଶେଷ ୨୪୧ଜଣ ସଂକ୍ରମିତଙ୍କ ମଧ୍ୟରୁ ୨୨୯ଜଣ ବାହାର ରାଜ୍ୟରୁ ଫେରିଛନ୍ତି ଓ ସେମାନଙ୍କୁ ପଂଚାୟତ କ୍ୱାରେଣ୍ଟାଇନ କେନ୍ଦ୍ରରେ ରଖାଯାଇଛି। ଗୋଟିଏ ନିୟନ୍ତ୍ରିତ ଜାଗାରେ ଅଧିକ ସଂଖ୍ୟକ ପଜେଟିଭ ଚିହ୍ନଟ ହେବା ଭଲ କଥା। ସେହି ପଜେଟିଭ୍ ରୋଗୀମାନଙ୍କୁ ଅଲଗା ରଖି ସାମାନ୍ୟ ଯତ୍ନ ନେଲେ ସେମାନେ ସୁସ୍ଥ ହୋଇଯିବେ ଓ ସମସ୍ତ ସଂକ୍ରମିତଙ୍କୁ କୋଭିଡ୍ ହସ୍ପିଟାଲ ପଠାଯିବା ଜରୁରୀ ନୁହେଁ।

ଅନ୍ୟପକ୍ଷରେ ଶ୍ରୀ ବାଗଚୀ ଏପ୍ରିଲ ୧୧ତାରିଖରେ ନିୟମିତ ବୁଲେଟିନରେ କହିଥିଲେ ଯେ, ଲକଡାଉନବେଳେ ଗାଁ ଗହଳିରେ ତାସ୍ ଖେଳ ବୃଦ୍ଧି ପାଇଛି ଓ ଏହା ଦ୍ୱାରା ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି। ସଂକମ୍ରିତ ରୋଗୀ ଛିଙ୍କିଲେ ୨୯ଫୁଟ୍ ଓ କାଶିଲେ ୧୯ଫୁଟ୍ ପର୍ଯ୍ୟନ୍ତ ପରିସରରେ ରହୁଥିବା ବ୍ୟକ୍ତି ସଂକ୍ରମିତ ହେବାର ଆଶଙ୍କା ରହିଛି। କାରଣ ଛିଙ୍କିବା ବା କାଶୁଥିବା ବ୍ୟକ୍ତିର ନାକ ଓ ପାଟିରୁ ବାହାରୁଥିବା ଡ୍ରପଲେଟ୍ ୧୯ରୁ ୨୯ଫୁଟ୍ ପର୍ଯ୍ୟନ୍ତ ଟ୍ରାଭେଲ୍ କରିଥାଏ। ତେଣୁ ସଂକ୍ରମଣରୁ ବର୍ତ୍ତିବା ପାଇଁ ସମସ୍ତେ ନିଜକୁ ଘର ଭିତରେ ସୁରକ୍ଷିତ ରଖିବା ଉଚିତ୍।

ତେବେ ପ୍ରଶ୍ନ ଉଠୁଛି, ଯଦି ସଂକ୍ରମିତ ବ୍ୟକ୍ତି କାଶିଲେ ବା ଛିଙ୍କିଲେ ୧୯ରୁ ୨୯ଫୁଟ୍ ପର୍ଯ୍ୟନ୍ତ ଡ୍ରପଲେଟ୍ ଟ୍ରାଭେଲ୍ କରି ସଂକ୍ରମଣର ଆଶଙ୍କା ବୃଦ୍ଧି କରିଥାଏ ତା’ହେଲେ ସଂକ୍ରମିତ ବ୍ୟକ୍ତିଙ୍କୁ ସରକାର ନିଜ ଘରେ କ୍ୱାରେଣ୍ଟାଇନରେ ରହିବା ପାଇଁ କିଭଳି ପରାମର୍ଶ ଦେଉଛନ୍ତି। ସ୍ୱଳ୍ପ ଲକ୍ଷଣ ଅବା ଲକ୍ଷଣ ନଥିବା ସଂକ୍ରମିତ ବ୍ୟକ୍ତି ଯଦି ଘରେ ରହିବେ ସେମାନଙ୍କ ଦ୍ୱାରା ଗାଁ ଗହଳି ବା ସହରର ସାହିବସ୍ତିରେ ସଂକ୍ରମଣ ବ୍ୟାପିବ ନାହିଁ ବୋଲି କିଏ ଗ୍ୟାରେଣ୍ଟି ଦେବ।

ଯଦି ରାଜ୍ୟ ସରକାର ଏବେ ଗ୍ରାମାଞ୍ଚଳରେ ୧୪୫୬୩ଟି କ୍ୱାରେଣ୍ଟାଇନ କେନ୍ଦ୍ରରେ ୫.୮୨ଲକ୍ଷ ବେଡ୍ ବ୍ୟବସ୍ଥା କରିଛନ୍ତି ବୋଲି ଦାବି କରୁଛନ୍ତି ତା’ହେଲେ ଘରବାହୁଡ଼ା କରୁଥିବା ସମସ୍ତ ପ୍ରବାସୀ ଓଡ଼ିଆଙ୍କୁ ସେଠାରେ ରଖିବାରେ ଅସୁବିଧା କେଉଁଠି? ଏତେ ବ୍ୟାପକ ପରିମାଣର ଅସ୍ଥାୟୀ ମେଡିକାଲ କେନ୍ଦ୍ର ବା କ୍ୱାରେଣ୍ଟାଇନ ସେଣ୍ଟର କେବଳ ଓଡ଼ିଶା ହିଁ କରିଛି ବୋଲି ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ଆଜି ଦାବି କରିଥିବାବେଳେ ସମସ୍ତ ଘରବାହୁଡ଼ାଙ୍କୁ ସେଠାରେ ରଖିବାକୁ ସରକାର କାହିଁକି ପଛଘୁଞ୍ଚା ଦେଉଛନ୍ତି ? ସହରାଞ୍ଚଳରେ ଏବେ ୭୪୨ଟି କ୍ୱାରେଣ୍ଟାଇନ ସେଣ୍ଟର ରହିଛି। ଯଦି ଏଠାରେ ଅଧିକ ପରିମାଣର କରାଯାଆନ୍ତା, ତାହା ଘରବାହୁଡ଼ା ପ୍ରବାସୀ ଓଡ଼ିଆଙ୍କୁ ରଖାଯାଇପାରନ୍ତା ଓ ସଂକ୍ରମିତଙ୍କୁ ଚିକିତ୍ସା ସେବା ମଧ୍ୟ ଉପଲବ୍ଧ କରାଯାଇ ପାରନ୍ତା। ତା’ଛଡ଼ା ଯେଉଁ ସଂକ୍ରମିତମାନେ ନିଜ ଘରେ କ୍ୱାରେଣ୍ଟାଇନରେ ରହିବେ ସେମାନେ ଅନ୍ୟମାନଙ୍କ ସଂକ୍ରମଣର କାରଣ ହେବେ ନାହିଁ ବୋଲି କିଏ ଗ୍ୟାରେଣ୍ଟି ଦେବ ଅବା ସେମାନଙ୍କୁ କିଏ ଜଗିବ ତାହା ସରକାର ସୁନିଶ୍ଚିତ କରିବା ଜରୁରୀ। ତେଣୁ କେନ୍ଦ୍ର ସରକାରଙ୍କ ଗାଇଡଲାଇନର ଆଳ ଦେଖାଇ ରାଜ୍ୟ ସରକାର ସଂକ୍ରମିତ ବ୍ୟକ୍ତିଙ୍କୁ ଘରେ କ୍ୱାରେଣ୍ଟାଇନରେ ରହିବା ପାଇଁ ପରାମର୍ଶ ଦେବା ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ସଂକ୍ରମଣ ରୋକିବା ପରିବର୍ତ୍ତେ ବୃଦ୍ଧି କରିବାର ଆଶଙ୍କା ରହିଛି।

ଅବଶ୍ୟ ଶ୍ରୀ ମହାପାତ୍ର ଆଜି ନିୟମିତ ବୁଲେଟିନରେ କେନ୍ଦ୍ର ସରକାର ମେ’ ୮ ଓ ମେ’ ୧୦ତାରିଖର ଯେଉଁ ଗାଇଡଲାଇନକୁ ଓଡ଼ିଶା ଗ୍ରହଣ କରିଛି ବୋଲି କହିଥିଲେ ଓ ଯେଉଁ ସବୁ ଘୋଷଣା କରିଥିଲେ ତାହା ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ପ୍ରେସ୍ ରିଲିଜରେ ସ୍ଥାନ ପାଇନାହିଁ।

Related story