ପଞ୍ଚାୟତ ନିର୍ବାଚନ: ରାଜ୍ୟ ସରକାର ପ୍ରସ୍ତୁତ, ଜାରି ହେଲା ବିଜ୍ଞପ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନାର ନୂଆ ଭାରିଏଣ୍ଟ ‘ଓମିକ୍ରନ’ ସଂକ୍ରମଣ ଆଶଙ୍କା ବୃଦ୍ଧି ପାଉଥିବାବେଳେ ରାଜ୍ୟରେ ପଞ୍ଚାୟତ ନିର୍ବାଚନକୁ ନେଇ ଲାଗି ରହିଥିବା ଅନିଶ୍ଚିତତା ଆଜି ଦୂର ହୋଇଛି। ରାଜ୍ୟ ସରକାର ପଞ୍ଚାୟତ ନିର୍ବାଚନର ସମସ୍ତ ଚୂଡ଼ାନ୍ତ ତାଲିକା ଶୁକ୍ରବାର ରାଜ୍ୟ ନିର୍ବାଚନ କମିଶନରଙ୍କୁ ଦେଇଥିବା ବେଳେ ଆଜି ଗେଜେଟ୍ ବିଜ୍ଞପ୍ତି ଜାରି କରିଛନ୍ତି। ଓଡ଼ିଶା ହାଇକୋର୍ଟ ଡିସେମ୍ବର ୨୨ ତାରିଖ ରାୟରେ ଓଡ଼ିଶା ଗ୍ରାମ ପଞ୍ଚାୟତ ଆକ୍ଟର ଧାରା ୧୨ର ରୁଲ୍ ୧୩ ପ୍ରାବଧାନ ଅନୁସାରେ ଜାନୁଆରୀ […]

election

Ordigital Desk
  • Published: Saturday, 08 January 2022
  • , Updated: 08 January 2022, 09:32 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନାର ନୂଆ ଭାରିଏଣ୍ଟ ‘ଓମିକ୍ରନ’ ସଂକ୍ରମଣ ଆଶଙ୍କା ବୃଦ୍ଧି ପାଉଥିବାବେଳେ ରାଜ୍ୟରେ ପଞ୍ଚାୟତ ନିର୍ବାଚନକୁ ନେଇ ଲାଗି ରହିଥିବା ଅନିଶ୍ଚିତତା ଆଜି ଦୂର ହୋଇଛି। ରାଜ୍ୟ ସରକାର ପଞ୍ଚାୟତ ନିର୍ବାଚନର ସମସ୍ତ ଚୂଡ଼ାନ୍ତ ତାଲିକା ଶୁକ୍ରବାର ରାଜ୍ୟ ନିର୍ବାଚନ କମିଶନରଙ୍କୁ ଦେଇଥିବା ବେଳେ ଆଜି ଗେଜେଟ୍ ବିଜ୍ଞପ୍ତି ଜାରି କରିଛନ୍ତି। ଓଡ଼ିଶା ହାଇକୋର୍ଟ ଡିସେମ୍ବର ୨୨ ତାରିଖ ରାୟରେ ଓଡ଼ିଶା ଗ୍ରାମ ପଞ୍ଚାୟତ ଆକ୍ଟର ଧାରା ୧୨ର ରୁଲ୍ ୧୩ ପ୍ରାବଧାନ ଅନୁସାରେ ଜାନୁଆରୀ ୮ତାରିଖରେ ବିଜ୍ଞପ୍ତି ଜାରି ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ।

ରାଜ୍ୟ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଆଜି ଏକକାଳୀନ ୩ଟି ଗେଜେଟ୍ ବିଜ୍ଞପ୍ତି ଜାରି ହୋଇଛି। ଯେଉଁଥିରେ ଓଡ଼ିଶା ଜିଲ୍ଲା ପରିଷଦ ଆକ୍ଟ-୧୯୯୧ର ଧାରା ୧୭ର ପ୍ରାବଧାନ ଅନୁସାରେ ସମସ୍ତ ଜିଲ୍ଲା ପରିଷଦରେ ସଭ୍ୟ ନିର୍ବାଚନ କରିବାକୁ ସମ୍ମତି ଦେଇଛନ୍ତି। ସେହିପରି ଓଡ଼ିଶା ପଞ୍ଚାୟତ ସମିତି ଆକ୍ଟ-୧୯୫୯ ଓ ଓଡ଼ିଶା ପଞ୍ଚାୟତ ସମିତି ନିର୍ବାଚନ ରୁଲସ-୧୯୯୧ର ରୁଲ-୪(୧) ପ୍ରାବଧାନ ଅନୁସାରେ ସମସ୍ତ ପଞ୍ଚାୟତ ସମିତିରେ ସଭ୍ୟ ନିର୍ବାଚନ କରିବାକୁ ଘୋଷଣା କରିଛନ୍ତି।

ସେହିପରି ଓଡ଼ିଶା ଗ୍ରାମ ପଞ୍ଚାୟତ ଆକ୍ଟ-୧୯୬୪ର ଧାରା-୧୨(୧ ଓ ୨), ଓଡ଼ିଶା ଗ୍ରାମ ପଞ୍ଚାୟତ ନିର୍ବାଚନ ରୁଲସ-୧୯୬୫ର ରୁଲ ୧୩ର ପ୍ରାବଧାନ ଅନୁସାରେ ରାଜ୍ୟ ସରକାର କେବଳ ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ ଅନ୍ତର୍ଗତ ଢ଼ିଙ୍କିଆ ଗ୍ରାମ ପଞ୍ଚାୟତକୁ ଛାଡ଼ି ରାଜ୍ୟର ଅନ୍ୟ ସମସ୍ତ ପଞ୍ଚାୟତରେ ୱାର୍ଡ ସଭ୍ୟ ଓ ପଞ୍ଚାୟତ ନିର୍ବାଚନ କରିବାକୁ ଘୋଷଣା କରିଛନ୍ତି। ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଆଜି ଏହି ଗେଜେଟ୍ ବିଜ୍ଞପ୍ତି ଜାରି ହୋଇଛି ।

ରାଜ୍ୟରେ ଓମିକ୍ରନ୍‌ ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ପଞ୍ଚାୟତ ନିର୍ବାଚନ ସ୍ଥଗିତ ରହିପାରେ ବୋଲି ଚର୍ଚ୍ଚା ଜୋର ଧରିଥିଲା। କିନ୍ତୁ ଏହି ଗେଜେଟ୍ ବିଜ୍ଞପ୍ତି ଜାରି ପରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନର ଖୁବଶୀଘ୍ର ତାରିଖ ଘୋଷଣା କରିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି। ସୂତ୍ର ଅନୁସାରେ ଆସନ୍ତା ୧୦ ତାରିଖ ଅପରାହ୍ନରେ ପଞ୍ଚାୟତ ନିର୍ବାଚନ ପାଇଁ ବିଧିବଦ୍ଧ କାର୍ଯ୍ୟସୂଚୀ ଘୋଷଣା ହେବ।

ସୂଚନାଯୋଗ୍ୟ, ପଞ୍ଚାୟତ ନିର୍ବାଚନକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ରାଜ୍ୟ ନିର୍ବାଚନ କମିଶନର ଆଜି ରାଜ୍ୟର ମୁଖ୍ୟ ସଚିବ, ସ୍ୱତନ୍ତ୍ର ରିଲିଫ କମିଶନର ଓ ସ୍ୱାସ୍ଥ୍ୟ ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀମାନଙ୍କ ସହ ବୈଠକ କରିଥିଲେ। ଆସନ୍ତା ୧୦ ତାରିଖରେ ସର୍ବଦଳୀୟ ବୈଠକ ଓ ୧୨ ତାରିଖରେ ଜିଲ୍ଲାପାଳ ଓ ଏସ୍‌ପିଙ୍କ ବୈଠକ ରାଜ୍ୟ ନିର୍ବାଚନ କମିଶନର ଡାକିଛନ୍ତି। ଆଜିର ବୈଠକ ପରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ହେଉଥିବା ନେଇ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ସ୍ପଷ୍ଟ ସଙ୍କେତ ଦେଇଥିଲେ।

ଉଲ୍ଲେଖଯୋଗ୍ୟ, ରାଜ୍ୟର ମୋଟ ୯୧,୯୧୩ ଜଣ ୱାର୍ଡମେମ୍ୱର, ୬୭୯୪ଟି ପଞ୍ଚାୟତର ସରପଞ୍ଚ, ୬୭୯୧ଟି ପଞ୍ଚାୟତ ସମିତି ସଭ୍ୟ ଓ ୮୫୩ଟି ଜିଲ୍ଲା ପରିଷଦ ସଭ୍ୟ ନିମନ୍ତେ ଗ୍ରାମାଞ୍ଚଳର ୨.୬୨ କୋଟି ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ।

Related story