ଓଡ଼ିଶାର ୟୁ-ଟର୍ଣ୍ଣ: ପରୀକ୍ଷାକୁ କାଲି ବିରୋଧ, ଆଜି ସମର୍ଥନ

ଭୁବନେଶ୍ୱର(ପ୍ରକାଶ ସେଠୀ): ଜେଇଇ-ନିଟ୍ ପରୀକ୍ଷା ପ୍ରସଙ୍ଗରେ ଓଡ଼ିଶା ସରକାର ଅଚାନକ ୟୁ-ଟର୍ଣ୍ଣ ନେଇ ପରୀକ୍ଷାର୍ଥୀଙ୍କ ନିମନ୍ତେ ସମସ୍ତ ପ୍ରକାରର ସୁବିଧାସୁଯୋଗ କରାଯିବ ବୋଲି ଆଜି ଘୋଷଣା କରିଛନ୍ତି। ଜେଇଇ-ନିଟ୍ ପରୀକ୍ଷାକୁ ସ୍ଥଗିତ ରଖିବା ପାଇଁ ମଙ୍ଗଳବାର କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖିବାଠୁ ଆରମ୍ଭ କରି ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ୍ କରି ଅନୁରୋଧ କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପ୍ରତ୍ୟାଶିତ ଭାବେ ନିଜର ଆଭିମୁଖ୍ୟ ପରିବର୍ତ୍ତନ କରିଛନ୍ତି। ଓଡ଼ିଶା ସରକାର କେବଳ ଉଭୟ ଜେଇଇ-ନିଟ୍ […]

cvc

Hemant Lenka
  • Published: Friday, 28 August 2020
  • , Updated: 28 August 2020, 09:35 PM IST

ଭୁବନେଶ୍ୱର(ପ୍ରକାଶ ସେଠୀ): ଜେଇଇ-ନିଟ୍ ପରୀକ୍ଷା ପ୍ରସଙ୍ଗରେ ଓଡ଼ିଶା ସରକାର ଅଚାନକ ୟୁ-ଟର୍ଣ୍ଣ ନେଇ ପରୀକ୍ଷାର୍ଥୀଙ୍କ ନିମନ୍ତେ ସମସ୍ତ ପ୍ରକାରର ସୁବିଧାସୁଯୋଗ କରାଯିବ ବୋଲି ଆଜି ଘୋଷଣା କରିଛନ୍ତି। ଜେଇଇ-ନିଟ୍ ପରୀକ୍ଷାକୁ ସ୍ଥଗିତ ରଖିବା ପାଇଁ ମଙ୍ଗଳବାର କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖିବାଠୁ ଆରମ୍ଭ କରି ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ୍ କରି ଅନୁରୋଧ କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପ୍ରତ୍ୟାଶିତ ଭାବେ ନିଜର ଆଭିମୁଖ୍ୟ ପରିବର୍ତ୍ତନ କରିଛନ୍ତି।

ଓଡ଼ିଶା ସରକାର କେବଳ ଉଭୟ ଜେଇଇ-ନିଟ୍ ପରୀକ୍ଷାକୁ ସମର୍ଥନ କରିନାହାନ୍ତି ବରଂ ପରୀକ୍ଷାର୍ଥୀଙ୍କୁ ମାଗଣା ପରିବହନ ଓ ରହିବା ବ୍ୟବସ୍ଥା ଯୋଗାଇଦେବେ ବୋଲି ଆଜି ଘୋଷଣା କରିଛନ୍ତି। ତେବେ ଜେଇଇ-ନିଟ୍ ପରୀକ୍ଷାକୁ ଗତକାଲି ପର୍ଯ୍ୟନ୍ତ ବିରୋଧର ସ୍ୱରକୁ ଶାଣିତ କରିଥିବା ଓଡ଼ିଶା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି କାହିଁକି ନିଜର ମୁଡ୍ ପରିବର୍ତ୍ତନ କଲେ ତାକୁ ନେଇ ଚର୍ଚ୍ଚା ଲାଗି ରହିଥିବାବେଳେ କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ଏନଡିଏ ମେଣ୍ଟ ସହ ବିଜେଡିର ମଧୁଚନ୍ଦ୍ରିକା ପୁଣିଥରେ ପଦାରେ ପଡ଼ିଛି।

ସୂଚନା ଅନୁସାରେ, ଜେଇଇ-ନିଟ୍ ପରୀକ୍ଷାକୁ ସ୍ଥଗିତ ରଖିବା ଦାବିରେ କଂଗ୍ରେସ ଏବେ ଜାତୀୟସ୍ତରରେ ଅଭିଯାନ ଆରମ୍ଭ କରିଛି। ଆଜି ଦଳର ନେତାମାନେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଅଫିସ୍ ଆଗରେ ଧାରଣା ଦେଇଥିବାବେଳେ କଂଗ୍ରେସ ଶାସିତ ରାଜ୍ୟ ଯଥା- ପଞ୍ଜାବ, ରାଜସ୍ଥାନ, ଛତିଶଗଡ଼, ଝାଡ଼ଖଣ୍ଡ, ମହାରାଷ୍ଟ୍ର ସମେତ ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାର ଏବେ ଜେଇଇ-ନିଟ୍ ପରୀକ୍ଷାକୁ ନକରାଇବାକୁ ଜିଦ୍ ଧରି ବସିଛନ୍ତି। ଏହି ପରୀକ୍ଷା ସ୍ଥଗିତ କରାଇବାକୁ ସମ୍ପୃକ୍ତ ରାଜ୍ୟଗୁଡ଼ିକ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ସଙ୍କେତ ଦେଇଛନ୍ତି।

କଂଗ୍ରେସ ମଧ୍ୟ ‘ ସ୍ପିକ୍‌ଅପ୍‌ଫରଷ୍ଟୁଡେଣ୍ଟସେଫ୍ଟି’ ନାଁରେ ଏକ ହ୍ୟାସଟ୍ୟାଗ୍ ମାଧ୍ୟମରେ ସୋସିଆଲ ମିଡିଆରେ ସରକାରଙ୍କ ପରୀକ୍ଷା କରାଇବା ନିଷ୍ପତ୍ତିକୁ ବିରୋଧ କରିବା ଅଭିଯାନର ନେତୃତ୍ୱ ନେଉଛି । ପିଲାଙ୍କ ଭବିଷ୍ୟତ କଥା କହି ଜେଇଇ-ନିଟ୍ ପରୀକ୍ଷା ସ୍ଥଗିତ ରଖିବାର ଆଳରେ କଂଗ୍ରେସ ଏବେ ଅଣଏନଡିଏ ଦଳଗୁଡ଼ିକୁ ଏକଜୁଟ୍ କରି ସଂସଦର ଅଧିବେଶନ ଆରମ୍ଭ ପୂର୍ବରୁ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବା ରଣନୀତି ଆପଣାଇଛି। କଂଗ୍ରେସର ଏହି ରାଜନୀତିକ ଚାଲ୍ ଜାଣି ଏବେ ବିଜେପି ନେତୃତ୍ୱାଧୀନ ଏନଡିଏ ମଧ୍ୟ ନିଜ ସମର୍ଥକ ଦଳଗୁଡ଼ିକୁ ଏକଜୁଟ କରିଥିବା ଚର୍ଚ୍ଚା ହେଉଛି। ଯାହାର ପ୍ରତିଫଳନ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାରର ଆଜିର ଅପ୍ରତ୍ୟାଶିତ ନିଷ୍ପତ୍ତିରୁ ସ୍ପଷ୍ଟ ହୋଇଛି ।

ଜେଇଇ-ନିଟ୍ ପରୀକ୍ଷାକୁ ସ୍ଥଗିତ ରଖିବା ନିମନ୍ତେ ପ୍ରଥମେ ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ଓ ତାମିଲନାଡୁ ଶିକ୍ଷାମନ୍ତ୍ରୀ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନିଶାଙ୍କଙ୍କୁ ଗତ ମଙ୍ଗଳବାର ଚିଠି ଲେଖି ରାଜ୍ୟରେ କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଏବେ ପରୀକ୍ଷା ନକରାଇବାକୁ ଦାବି ଜଣାଇଥିଲେ । ଏପରିକି ନବୀନ ପରୀକ୍ଷା ସ୍ଥଗିତ ରଖିବା ପାଇଁ ବଳିଷ୍ଠ ଯୁକ୍ତି ବାଢ଼ି କହିଥିଲେ ଯେ, ରାଜ୍ୟର ୩୦ଟି ଜିଲ୍ଲାର ୯୦ହଜାର ପିଲା ଜେଇଇ-ନିଟ୍ ଦେଉଥିବାରୁ ମାତ୍ର ୭ଟି ସହରରେ ପରୀକ୍ଷା ହେଲେ ସଂକ୍ରମଣର ବେଶୀ ଆଶଙ୍କା ରହିଛି। ତା’ଛଡ଼ା ସଟଡାଉନ୍ ଓ ଲକଡାଉନ୍ ଯୋଗୁ ପରିବହନରେ ବି ସମସ୍ୟା ହେବ। ପରୀକ୍ଷା କେନ୍ଦ୍ର ସ୍ଥିରୀକୃତବେଳେ ସମସ୍ତ ଜିଲ୍ଲାରେ ଗୋଟିଏ ଲେଖାଏଁ ପରୀକ୍ଷା କେନ୍ଦ୍ର କରିବା ପାଇଁ ସେ ଦାବି କରିଥିଲେ।

କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖିବାର ୨ଦିନ ନପୁରୁଣୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟେଲିଫୋନ୍ କରି ନବୀନ ଜେଇଇ-ନିଟ୍ ପରୀକ୍ଷା ସ୍ଥଗିତ ରଖିବାକୁ ଦାବି କରିଥିଲେ। ରାଜ୍ୟରେ କୋଭିଡ୍ ସଂକ୍ରମଣ ଓ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ଆଶଙ୍କାରେ ଏହି ପରୀକ୍ଷାକୁ ସ୍ଥଗିତ ରଖିବା ନିମନ୍ତେ ଅନୁରୋଧ କରିଥିଲେ। ମାତ୍ର ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନାବେଳେ ନବୀନ କ’ଣ ଉତ୍ତର ପାଇଲେ ଓ ଉଭୟ ନେତାଙ୍କ ଆଲୋଚନାବେଳେ ନିର୍ଯ୍ୟାସ କ’ଣ ରହିଲା, ତାହା ଗଣମାଧ୍ୟମକୁ ଆସିପାରିଲା ନାହିଁ। କେବଳ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନବୀନ ଫୋନ୍ କରିଥିବା ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦିଆଗଲା।

ମାତ୍ର ଆଜି ଜେଇଇ-ନିଟ୍ ସମ୍ପର୍କରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରକୁ କୌଣସି ପ୍ରକାରେ ଅସନ୍ତୁଷ୍ଟ କରିବାକୁ ବିଜେଡି ଚାହୁଁନାହିଁ। ‘ଉପରେ ପଡ଼ି ପ୍ରେମ’ କରିବା ନ୍ୟାୟରେ କେନ୍ଦ୍ରର ମୋଦି ସରକାର ପ୍ରତି ତୁଷ୍ଟୀକରଣ ନୀତିକୁ ବିଜେଡି ଆପଣାଇଛି। ସାଧାରଣ ନିର୍ବାଚନ ପରଠୁ ବିଜେଡିର ଏଭଳି ଆଭିମୁଖ୍ୟ ଯୋଗୁ ରାଜ୍ୟରେ ବିଜେପିର ସାଂଗଠନିକ ସ୍ଥିତି ପ୍ରତି ସାଧାରଣରେ ଅଙ୍ଗୁଳି ଉଠିବାରେ ଲାଗିଛି। ପରୀକ୍ଷାର୍ଥୀମାନେ ଅଗଷ୍ଟ ୩୧ତାରିଖ ସୁଦ୍ଧା ସରକାରଙ୍କୁ ଜଣାଇବାକୁ ରାଜ୍ୟ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ ଅନୁରୋଧ କରିବା ହିଁ ପରୋକ୍ଷରେ ପରୀକ୍ଷା ନିମନ୍ତେ ରାଜ୍ୟ ସରକାରଙ୍କ ପ୍ରସ୍ତୁତିର ଅଭାବକୁ ବି ଦର୍ଶାଇଛି।

Related story