ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସୁଛି ବାତ୍ୟା ‘ଜୱାଦ’। ରବିବାର ଏହା ପୁରୀ ଜିଲ୍ଲା ଉପକୂଳ ଦେଇ ଅତିକ୍ରମ କରିପାରେ। ତେବେ ଆସନ୍ତାକାଲିଠାରୁ ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ରାଜ୍ୟ ସରକାର ୧୯ ଜିଲ୍ଲାରେ ସ୍କୁଲ୍ ଛୁଟି ଘୋଷଣା କରିଛନ୍ତି।
ଆସନ୍ତାକାଲି ଅର୍ଥାତ ୪ ତାରିଖ ଶନିବାର ଗଞ୍ଜାମ, ଗଜପତି, ପୁରୀ, ନୟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, କୋରାପୁଟ, ରାୟଗଡ଼ା, କଟକ, ଖୋର୍ଦ୍ଧା, କନ୍ଧମାଳ, କେନ୍ଦୁଝର, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ଯାଜପୁର, ମାଲକାନଗିରି ଓ ମୟୂରଭଞ୍ଜ ଜିଲ୍ଲାରେ ସମସ୍ତ ସ୍କୁଲ୍ ବନ୍ଦ ରଖିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବାତ୍ୟାକୁ ଦେଖି ଗଣଶିକ୍ଷା ବିଭାଗ ଏପରି ନିଷ୍ପତ୍ତି ନେଇଛି।
ବାତ୍ୟା ‘ଜୱାଦ’ ଉତ୍ତରକେନ୍ଦ୍ରୀୟ ବଙ୍ଗୋପସାଗରରୁ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି। ବର୍ତ୍ତମାନ ସୁଦ୍ଧା ଗୋପାଳପୁରରୁ ୪୭୦ କିମି, ପାରାଦୀପରୁ ୫୮୦ କିମି ଦୂରରେ ରହିଛି ବାତ୍ୟା। ଏବେ ଘଣ୍ଟାପ୍ରତି ୨୨ କିମି ବେଗରେ ବାତ୍ୟା ଆସୁଛି। ଆସନ୍ତାକାଲି ସନ୍ଧ୍ୟା ୫ଟାରେ ବାତ୍ୟା ରି-କର୍ଭ କରି ପୁରୀ ଉପକୂଳ ପାଖାପାଖି ହେବ ବୋଲି କୁହାଯାଉଛି। ବାତ୍ୟା ସ୍ଥଳ ଭାଗ ଅତିକ୍ରମ କରିବ କି ନାହିଁ ଏଯାଏ ସ୍ପଷ୍ଟ କରିନି ଭାରତୀୟ ପାଣିପାଗ ବିଭାଗ(IMD)। ତେବେ ବାତ୍ୟା ସ୍ଥଳଭାଗ ଛୁଇଁଲେ ମଧ୍ୟ ଅଳ୍ପ ଛୁଇଁ ପୁଣି ସମୁଦ୍ର ମଧ୍ୟକୁ ପଳାଇବ। ବାତ୍ୟା ‘ଜୱାଦ’ ନେଇ SRC ପ୍ରଦୀପ ଜେନା ସୂଚନା ଦେଇଛନ୍ତି।