ଲଗାଣ ବର୍ଷା: ୧୧ ଜିଲ୍ଲାର ୧୯ ଲକ୍ଷ ଲୋକ ପ୍ରଭାବିତ, ୩ ମୃତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଲଘୁଚାପଜନିତ ଲଗାଣ ବର୍ଷା ପ୍ରଭାବରେ ୧୧ଟି ଜିଲ୍ଲାରେ ଧନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଲଗାଣ ବର୍ଷା ଯୋଗୁ ୧୧ଟି ଜିଲ୍ଲାର ୫୩ଟି ବ୍ଲକର ୧୯ଲକ୍ଷ ୫୩ହଜାର ୬୪୭ଜଣ ଲୋକ ପ୍ରଭାବିତ ହୋଇଥିବାବେଳେ ୩ଜଣଙ୍କ ମୃତ୍ୟୁ ଘଟିଛି। ଏହାସହିତ ୩୮୧୯ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯିବା ସହ ୨୬୫ଟି ଘର ଭାଙ୍ଗିଥିବା ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁସାରେ, ଲଗାଣ […]

BBSR

BBSR

Ordigital Desk
  • Published: Monday, 13 September 2021
  • Updated: 13 September 2021, 08:27 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଲଘୁଚାପଜନିତ ଲଗାଣ ବର୍ଷା ପ୍ରଭାବରେ ୧୧ଟି ଜିଲ୍ଲାରେ ଧନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଲଗାଣ ବର୍ଷା ଯୋଗୁ ୧୧ଟି ଜିଲ୍ଲାର ୫୩ଟି ବ୍ଲକର ୧୯ଲକ୍ଷ ୫୩ହଜାର ୬୪୭ଜଣ ଲୋକ ପ୍ରଭାବିତ ହୋଇଥିବାବେଳେ ୩ଜଣଙ୍କ ମୃତ୍ୟୁ ଘଟିଛି। ଏହାସହିତ ୩୮୧୯ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯିବା ସହ ୨୬୫ଟି ଘର ଭାଙ୍ଗିଥିବା ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।

ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁସାରେ, ଲଗାଣ ବର୍ଷା ପ୍ରଭାବରେ ରାଜ୍ୟର ୧୧ଟି ଜିଲ୍ଲାରେ ବିଶେଷ କ୍ଷୟକ୍ଷତି ହୋଇଛି। କଳାହାଣ୍ଡି, କନ୍ଧମାଳ, କୋରାପୁଟ, କଟକ, ଯାଜପୁର, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ, ଖୋର୍ଦ୍ଧା ଓ ଅନୁଗୁଳ ଜିଲ୍ଲାର ୫୩ଟି ବ୍ଲକର ୨୭୮୯ଟି ଗାଁ ଏବଂ ୧୪ଟି ପୌରାଂଚଳରେ ବର୍ଷା ବିପତ୍ତି ଦେଖିବାକୁ ମିଳିଛି। ଏପର୍ଯ୍ୟନ୍ତ ମୋଟ ୩ଜଣଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ରିପୋର୍ଟରୁ ସୂଚନା ମିଳିଛି । କେନ୍ଦ୍ରାପଡ଼ାରେ କାନ୍ଥ ପଡ଼ି ୨ଜଣ ଓ ଖୋର୍ଦ୍ଧା ଜିଲ୍ଲାରେ ଜଣେ ପାଣିରେ ବୁଡ଼ି ପ୍ରାଣ ହରାଇଥିବାବେଳେ ଏ ଦିଗରେ ଅଧିକ ତଦନ୍ତ ଜିଲ୍ଲା ପ୍ରଶାସନ ଦ୍ୱାରା ଜାରି ରହିଛି।

ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୧୦ଟି ବ୍ଲକ ପ୍ରଭାବିତ ହୋଇଥିବାବେଳେ ଜଗତସିଂହପୁର ଜିଲ୍ଲାର ସର୍ବାଧିକ ୧୩୨୧ଟି ଗାଁ ବର୍ଷା ଜଳଘେରରେ ରହିଛି । କେନ୍ଦ୍ରାପଡ଼ାରେ ୮୧୧ଟି ଓ ଯାଜପୁର ଜିଲ୍ଲାରେ ୫୧୫ଟି ଗାଁ ଜଳବନ୍ଦୀ ରହିଛି । ଜଗତସିଂହପୁର ଜିଲ୍ଲାର ମୋଟ ୧୧ଲକ୍ଷ ୩୬ହଜାର ୯୭୧ଜଣ ବର୍ଷା ଯୋଗୁ ପ୍ରଭାବିତ ହୋଇଛନ୍ତି । ପୁରୀ ଜିଲ୍ଲାର ୧୫୮୪ଜଣ, ଜଗତସିଂହପୁର ଜିଲ୍ଲାର ୧୫୯୦, କେନ୍ଦ୍ରାପଡ଼ା ଜିଲ୍ଲାର ୫୩୯ଜଣ, କଟକ ଜିଲ୍ଲାର ୧୦୬ଜଣ ଓ କନ୍ଧମାଳ ଜିଲ୍ଲାର ୭ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଏସବୁ ଜିଲ୍ଲାରେ ମାଗଣା ରନ୍ଧା ଖାଦ୍ୟ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଉଛି ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି। ବର୍ଷା ଯୋଗୁ ରାଜ୍ୟର ପ୍ରମୁଖ ନଦୀଗୁଡ଼ିକରେ ଜଳସ୍ତର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି ।

ସେହିପରି ଗତ ୨୪ଘଣ୍ଟା ମଧ୍ୟରେ ପୁରୀ, ଜଗତସିଂହପୁର, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, କଟକ, ନୟାଗଡ଼, ବୌଦ୍ଧ, ଯାଜପୁର, ସୁବର୍ଣ୍ଣପୁରରେ ୧୦୦ମିମି ବର୍ଷା ରେକର୍ଡ କରାଯାଇଛି । ପୁରୀ ଜିଲ୍ଲାର ଅସ୍ତରଙ୍ଗ ବ୍ଲକରେ ସର୍ବାଧିକ ୫୩୦ମିମି, କାକଟପୁରରେ ୫୨୫ମିମି, ଜଗତସିଂହପୁର ଜିଲ୍ଲାର ବାଲିକୁଦା ବ୍ଲକରେ ୪୪୦ ମିମି, ନାଉଁଗାରେ ୩୮୦ମିମି, ରଘୁନାଥପୁରରେ ୩୨୩ମିମି ବର୍ଷା ରେକର୍ଡ କରାଯାଇଛି । ଭୁବନେଶ୍ୱରରେ ଗତ ୨୪ଘଣ୍ଟା ମଧ୍ୟରେ ୨୦୯.୧ମିମି ବର୍ଷା ହୋଇଥିବାବେଳେ କଟକର କଣ୍ଟାପଡ଼ା ଓ ନିଆଳି ବ୍ଲକରେ ୩୮୧ମିମି ବର୍ଷା ହୋଇଛି । ସେହିପରି ଯାଜପୁରର ଧର୍ମଶାଳା ବ୍ଲକରେ ୨୨୦ମିମି ବର୍ଷା ଓ ସୋନପୁର ଜିଲ୍ଲାର ବୀରମହାରାଜପୁରରେ ୨୦୦ମିମି ବର୍ଷା ରେକର୍ଡ କରାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos