କରୋନା ମୁକାବିଲା: ଶ୍ରେଷ୍ଠ ୧୦ ରାଜ୍ୟରେ ନାହିଁ ଓଡ଼ିଶା

ଭୁବନେଶ୍ୱର(ପ୍ରକାଶ ସେଠୀ): କରୋନା ମୁକାବିଲା ଓ ପରିଚାଳନାରେ ଓଡ଼ିଶାର ସ୍ଥିତି ସମଗ୍ର ଦେଶରେ ବେଶ୍ ଭଲ ସ୍ଥିତିରେ ବୋଲି ରାଜ୍ୟ ସରକାର ଦାବି କରୁଛନ୍ତି। ସାରା ଦେଶରେ ଓଡ଼ିଶାର ସୁସ୍ଥତା ହାର ସବୁଠୁ ଭଲ ପ୍ରଦର୍ଶନ କରୁଥିବା ରାଜ୍ୟମାନଙ୍କ ମଧ୍ୟରୁ ଅନ୍ୟତମ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହୁଛନ୍ତି। କିନ୍ତୁ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ରିପୋର୍ଟ ଏସବୁ ଦାବି ଉପରେ ବ୍ରେକ୍ ଲଗାଇଛି। କରୋନା ସଂକ୍ରମିତଙ୍କ ସୁସ୍ଥତା ହାର ସମଗ୍ର ଦେଶରେ […]

corona-in-jajpur

Manoranjan Sial
  • Published: Friday, 03 July 2020
  • , Updated: 03 July 2020, 10:05 PM IST

ଭୁବନେଶ୍ୱର(ପ୍ରକାଶ ସେଠୀ): କରୋନା ମୁକାବିଲା ଓ ପରିଚାଳନାରେ ଓଡ଼ିଶାର ସ୍ଥିତି ସମଗ୍ର ଦେଶରେ ବେଶ୍ ଭଲ ସ୍ଥିତିରେ ବୋଲି ରାଜ୍ୟ ସରକାର ଦାବି କରୁଛନ୍ତି। ସାରା ଦେଶରେ ଓଡ଼ିଶାର ସୁସ୍ଥତା ହାର ସବୁଠୁ ଭଲ ପ୍ରଦର୍ଶନ କରୁଥିବା ରାଜ୍ୟମାନଙ୍କ ମଧ୍ୟରୁ ଅନ୍ୟତମ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହୁଛନ୍ତି। କିନ୍ତୁ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ରିପୋର୍ଟ ଏସବୁ ଦାବି ଉପରେ ବ୍ରେକ୍ ଲଗାଇଛି। କରୋନା ସଂକ୍ରମିତଙ୍କ ସୁସ୍ଥତା ହାର ସମଗ୍ର ଦେଶରେ ଦୈନିକ ୧୦ହଜାରରୁ ଅଧିକ ଥିବାବେଳେ ସ୍ଥସ୍ଥତା ମାମଲାରେ ଓଡ଼ିଶା ଦେଶର ଶ୍ରେଷ୍ଠ ୧୦ଟି ରାଜ୍ୟ ମଧ୍ୟରେ ନଥିବା ଜଣାପଡ଼ିଛି। ଏପରିକି ନିଜ ପଡ଼ୋଶୀ ଛତିଶଗଡ଼, ଝାଡ଼ଖଣ୍ଡ ଓ ବିହାରଠୁ ଓଡ଼ିଶା ପଛରେ ରହିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଗତକାଲି ଜାରି ଏକ ରିପୋର୍ଟ ଅନୁସାରେ, ସମଗ୍ର ଦେଶରେ କରୋନା ସଂକ୍ରମିତଙ୍କ ସୁସ୍ଥତା ହାର ଦୈନିକ ୫୯.୫୨ ପ୍ରତିଶତ ଥିବାବେଳେ ୧୦ହଜାରରୁ ଅଧିକ ଲୋକ ସୁସ୍ଥ ହେଉଛନ୍ତି। ସୁସ୍ଥତା ମାମଲାରେ ଦେଶରେ ସର୍ବାଗ୍ରେ ଚଣ୍ଡିଗଡ଼ ୮୨.୩% ଥିବାବେଳେ ମେଘାଳୟ ୮୦.୮%, ରାଜସ୍ଥାନ ୭୯.୬% , ଉତ୍ତରାଖଣ୍ଡ ୭୮.୬% , ଛତିଶଗଡ଼ ୭୮.୩%, ତ୍ରିପୁରା ୭୮.୩%, ବିହାର ୭୭.୫%, ମିଜୋରାମ ୭୬.୯%, ମଧ୍ୟପ୍ରଦେଶ ୭୬.୯% , ଝାଡ଼ଖଣ୍ଡ ୭୬.୬% ରହିଥିବାବେଳେ ଓଡ଼ିଶାରେ ଏହି ହାର ୭୩.୨% ରହିଛି। କେନ୍ଦ୍ର ସରକାରଙ୍କ ଏହି ତଥ୍ୟ ଓଡ଼ିଶାର ଦାବି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଉଲ୍ଲେଖଯୋଗ୍ୟ, ଆଜିସୁଦ୍ଧା ଓଡ଼ିଶାରେ ମୋଟ ୮୧୦୬ଜଣ ଲୋକ କରୋନା ସଂକ୍ରମିତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୨୯ରେ ପହଂଚିଲାଣି। ୫୭୦୫ଜଣ ସୁସ୍ଥ ହୋଇଥିବାବେଳେ ଏବେ ୨୩୬୪ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି। ଏପର୍ଯ୍ୟନ୍ତ ରାଜ୍ୟରେ ମୋଟ ୨ଲକ୍ଷ ୮୧ହଜାର ୫୨୩ଟି କୋଭିଡ୍ ନମୂନା ପରୀକ୍ଷା ହୋଇଥିବାବେଳେ ୯୭.୧୨% ଲୋକଙ୍କ ରିପୋର୍ଟ ନେଗେଟିଭ୍ ଆସିଛି। ଓଡ଼ିଶାରେ ଗତ ଜୁନ୍ ୨୭ତାରିଖରେ ସର୍ବାଧିକ ୫୬୪୩ଜଣଙ୍କ ନମୂନା ପରୀକ୍ଷା ହୋଇଥିବାବେଳେ ଜୁଲାଇ ୨ତାରିଖରେ ୬୨୯୦ଜଣଙ୍କ ପରୀକ୍ଷା ହୋଇଛି। ଯାହାକି ମାର୍ଚ୍ଚ ୧୫ ପରଠୁ ସର୍ବାଧିକ ପରୀକ୍ଷା ବୋଲି କୁହାଯାଉଛି। ଜୁଲାଇ ୨ତାରିଖ ପରୀକ୍ଷାରୁ ମୋଟ ୫୬୧ଜଣ କରୋନା ସଂକ୍ରମିତ ରହିଛନ୍ତି।

ତେଣୁ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବାବେଳେ ତଦନୁପାତରେ ପରୀକ୍ଷା ସମ୍ଭବପର ହୋଇପାରିନି। ଯଦିଓ ଜୁନ୍ ମାସ ଶେଷସୁଦ୍ଧା ଦୈନିକ ୧୫ହଜାର ପରୀକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏବେ କରୋନା ମୁକାବିଲା ଓ ପରିଚାଳନା ଦାୟିତ୍ୱ ସମ୍ପୂର୍ଣ୍ଣ ଭାବେ ଜିଲ୍ଲାପାଳମାନଙ୍କ ଉପରେ ନିର୍ଭର କରୁଥିବାବେଳେ ଗତ୩ ଦିନ ମଧ୍ୟରେ ୧ହଜାରରୁ ଅଧିକ ସଂକ୍ରମିତ ହେବା ନିଶ୍ଚିତ ଭାବେ ଓଡ଼ିଶା ପାଇଁ ଏକ ନୂଆ ଚ୍ୟାଲେଞ୍ଜ ହୋଇଛି। ଆଉ ଏସବୁ ତଥ୍ୟ ହିଁ ରାଜ୍ୟ ସରକାରଙ୍କ ପାରିବାପଣିଆକୁ ପଦାରେ ପକାଇଛି।

Related story