ତେଜିଲା ବିଦ୍ରୋହ, ରୋକଠୋକ୍‌ ନା ଶୁଣାଇଦେଲେ ମନ୍ତ୍ରୀ

ବରଗଡ଼/ସମ୍ବଲପୁର/ ଜୟପୁର/ଭୁବନେଶ୍ୱରରୁ(ଓଡ଼ିଶା ରିପୋର୍ଟର):ଧାନ ସଂଗ୍ରହ ପ୍ରକ୍ରିୟାରେ ଟୋକନ୍ ବ୍ୟବସ୍ଥା ବିରୋଧରେ ତୀବ୍ର ହେଉଛି ଚାଷୀଙ୍କ ଅସନ୍ତୋଷ। ଗତକାଲି ବିଧାୟକ ମାନଙ୍କ ଘର ଆଗରେ ଧାନବସ୍ତା ଧରି ଆନ୍ଦୋଳନ କରିଥିବା ଚାଷୀ ଆଜି ଅତାବିରା ଓ ଭେଡେନରେ ବନ୍ଦ ପାଳନ କରି ରାଜ୍ୟ ସରକାରଙ୍କୁ ଚେତାବନୀ ଶୁଣାଇଛନ୍ତି। ସେପଟେ ପଶ୍ଚିମ ଓଡ଼ିଶାର ଏହି ଟୋକନ୍ ବିରୋଧୀ ନିଆଁ ଏବେ ଡେଇଁଛି ଦକ୍ଷିଣ ଓଡ଼ିଶାକୁ। କୋରାପୁଟ ଜିଲ୍ଲାର ଚାଷୀ ଟୋକନ୍ ବ୍ୟବସ୍ଥାର ଉଚ୍ଛେଦ ଦାବି କରିଛନ୍ତି ଚାଷୀ। ଏଭଳି ସ୍ଥିତିରେ […]

raja-1-1

Tapas Behera
  • Published: Wednesday, 20 November 2019
  • , Updated: 20 November 2019, 07:51 PM IST

ବରଗଡ଼/ସମ୍ବଲପୁର/ ଜୟପୁର/ଭୁବନେଶ୍ୱରରୁ(ଓଡ଼ିଶା ରିପୋର୍ଟର):ଧାନ ସଂଗ୍ରହ ପ୍ରକ୍ରିୟାରେ ଟୋକନ୍ ବ୍ୟବସ୍ଥା ବିରୋଧରେ ତୀବ୍ର ହେଉଛି ଚାଷୀଙ୍କ ଅସନ୍ତୋଷ। ଗତକାଲି ବିଧାୟକ ମାନଙ୍କ ଘର ଆଗରେ ଧାନବସ୍ତା ଧରି ଆନ୍ଦୋଳନ କରିଥିବା ଚାଷୀ ଆଜି ଅତାବିରା ଓ ଭେଡେନରେ ବନ୍ଦ ପାଳନ କରି ରାଜ୍ୟ ସରକାରଙ୍କୁ ଚେତାବନୀ ଶୁଣାଇଛନ୍ତି। ସେପଟେ ପଶ୍ଚିମ ଓଡ଼ିଶାର ଏହି ଟୋକନ୍ ବିରୋଧୀ ନିଆଁ ଏବେ ଡେଇଁଛି ଦକ୍ଷିଣ ଓଡ଼ିଶାକୁ। କୋରାପୁଟ ଜିଲ୍ଲାର ଚାଷୀ ଟୋକନ୍ ବ୍ୟବସ୍ଥାର ଉଚ୍ଛେଦ ଦାବି କରିଛନ୍ତି ଚାଷୀ। ଏଭଳି ସ୍ଥିତିରେ ଯୋଗାଣ ମନ୍ତ୍ରୀ ନିଜ ଜିଦରେ ଅଟଳ ରହିବା ସହ ଟୋକନ୍ ଉଚ୍ଛେଦ ହେବନି ବୋଲି ରୋକଠୋକ୍ କହିବା ପରେ ଚାଷୀ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଉପୁଜିଛି ମୁହାଁମୁହିଁ ପରିସ୍ଥିତି । ସେପଟେ ଚାଷୀଙ୍କ ଧାନକ୍ରୟ ପାଇଁ ଉଦ୍ଦିଷ୍ଟ ଟୋକନ୍ ବ୍ୟବସ୍ଥା ଉଛେଦ କରାଯିବନି ବୋଲି ଆଜି ଯୋଗାଣ ମନ୍ତ୍ରୀ ସ୍ପଷ୍ଟ କରିବା ପରେ ତୀବ୍ର ହୋଇଛି ସରକାର ବିରୋଧୀ ସ୍ୱର।

ପଶ୍ଚିମରୁ ଦକ୍ଷିଣ ସବୁଠି ଚେତାବନୀ ଶୁଣାଇଛନ୍ତି ଚାଷୀ। ସମ୍ବଲପୁରର ଗୋଡ଼ଭଗା ଏବଂ ବରଗଡ଼ରେ ଆନ୍ଦୋଳନ ପରେ ଆଜି ଅତାବିରା ଓ ଭେଡେନ୍‌ରେ ବନ୍ଦ ପାଳନ କରି ନିଜ ପ୍ରଭାବ ଦେଖାଇଥିଲେ ଚାଷୀ। ଏପଟେ କୋରାପୁଟ ଜିଲ୍ଲାରେ ଚାଷୀଙ୍କ ମେଳି। ଜୟପୁର ଆରଏମ୍‌ସିରେ ଚାଷୀ ଏକ୍‌ଜୁଟ୍ ହୋଇ ସଫା ସଫା କହିଛନ୍ତି ଟୋକନ୍ ଉଚ୍ଛେଦ କରି ପୂର୍ବବର୍ଷ ଭଳି ପି-ପାସ୍ ପ୍ରଚଳନ କରାଯାଉ । ନଚେତ୍ କୌଣସି ମଣ୍ଡିରେ ଧାନବିକ୍ରି କରାଇ ଦିଆଯିବନି ବୋଲି ଚାଷୀ ଚେତାବନୀ ଦେଇଛନ୍ତି।

ଗତ ୧୫ ତାରିଖରୁ ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଧାନସଂଗ୍ରହ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। କିନ୍ତୁ ରାଜ୍ୟସ୍ତରୀୟ ଅନ୍‌ଲାଇନ୍ ଟୋକନ୍ ବ୍ୟବସ୍ଥାକୁ ତୀବ୍ର ବିରୋଧ କରି ଏହାକୁ ସମ୍ପୂର୍ଣ୍ଣ ଉଚ୍ଛେଦ ଦାବି କରିଛନ୍ତି ପଶ୍ଚିମ ଓଡ଼ିଶାର ୪ ଜିଲ୍ଲାର ଚାଷୀ । ଏପଟେ କିନ୍ତୁ ନିଆଁରେ ଘିଅ ଢାଳିବା ଭଳି ଯୋଗାଣ ମନ୍ତ୍ରୀ କହିଛନ୍ତି, ସ୍ୱଚ୍ଛ ଭାବେ ଧାନ ସଂଗ୍ରହ ପାଇଁ ବ୍ୟବସ୍ଥା କରାଯାଇଛିା ତେଣୁ ଟୋକନ୍ ବ୍ୟବସ୍ଥା ଅଛି, ଆଗକୁ ବି ରହିବ। କୌଣସି ଜାଗାରେ ଅସୁବିଧା ଥିଲେ ଚାଷୀ ଅଭିଯୋଗ କରିପାରିବେ ବୋଲି ମନ୍ତ୍ରୀ କହିଛନ୍ତି। ସେପଟେ ଚାଷୀ ନେତା କହିଛନ୍ତି, ଆଉ ଆଲୋଚନା ପାଇଁ ବାଟ ଖୋଲା ନାହିଁ । ଆସନ୍ତାକାଲିଠାରୁ ବରେଇପାଲିଠାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଜାତୀୟ ରାଜପଥ ଅବରୋଧ କରାଯିବ।

ଟୋକନ୍ ବ୍ୟବସ୍ଥା ଉଚ୍ଛେଦ ନେଇ ଗୋଟିଏ ପଟେ ଜିଦରେଚାଷୀ ଅଟଳ। ଆରପଟେ ବ୍ୟବସ୍ଥା ବଦଳିବ ନାହିଁ ବୋଲି ରୋକ୍‌ଠୋକ୍ ଶୁଣାଇଛନ୍ତି ରାଜ୍ୟ ସରକାର। ଫଳରେ ଖରିଫ ଧାନସଂଗ୍ରହ ପ୍ରକ୍ରିୟାରେ ଏକପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଛି ।

Related story