ଭାରତ ବନ୍ଦକୁ ନେଇ ବିଜେଡିରେ ଦ୍ୱନ୍ଦ୍ୱ, ମନ୍ତ୍ରୀ ରାଜା ସ୍ୱାଇଁଙ୍କ ୟୁ-ଟର୍ଣ୍ଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୧୨ଦଫା ଦାବିରେ ଟ୍ରେଡ୍ ୟୁନିୟନଗୁଡ଼ିକ ପକ୍ଷରୁ ଆସନ୍ତାକାଲି ଦିଆଯାଇଥିବା ୨୪ଘଣ୍ଟିଆ ଭାରତ ବନ୍ଦ ଡାକରାକୁ ନେଇ ବିଜେଡିରେ ଦ୍ୱନ୍ଦ୍ୱ ଦେଖାଦେଇଛି। ଦଳର ବରିଷ୍ଠ ନେତା ତଥା କ୍ୟାବିନେଟ୍ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆସନ୍ତାକାଲିର ବନ୍ଦକୁ ସମର୍ଥନ କରି କେନ୍ଦ୍ରର ମୋଦି ସରକାରକୁ କଡ଼ା ସମାଲୋଚନା କରିବାକୁ ପଛାଇ ନଥିଲେ। ମାତ୍ର ବିଜେଡିର ବରିଷ୍ଠ ନେତା ଶ୍ରୀ ସ୍ୱାଇଁଙ୍କ ଏଭଳି ମନ୍ତବ୍ୟକୁ ନେଇ ରାଜ୍ୟ ବିଜେପି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ପରେ ମନ୍ତ୍ରୀ […]

ranandra

Manoranjan Sial
  • Published: Tuesday, 07 January 2020
  • , Updated: 07 January 2020, 06:13 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୧୨ଦଫା ଦାବିରେ ଟ୍ରେଡ୍ ୟୁନିୟନଗୁଡ଼ିକ ପକ୍ଷରୁ ଆସନ୍ତାକାଲି ଦିଆଯାଇଥିବା ୨୪ଘଣ୍ଟିଆ ଭାରତ ବନ୍ଦ ଡାକରାକୁ ନେଇ ବିଜେଡିରେ ଦ୍ୱନ୍ଦ୍ୱ ଦେଖାଦେଇଛି। ଦଳର ବରିଷ୍ଠ ନେତା ତଥା କ୍ୟାବିନେଟ୍ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆସନ୍ତାକାଲିର ବନ୍ଦକୁ ସମର୍ଥନ କରି କେନ୍ଦ୍ରର ମୋଦି ସରକାରକୁ କଡ଼ା ସମାଲୋଚନା କରିବାକୁ ପଛାଇ ନଥିଲେ। ମାତ୍ର ବିଜେଡିର ବରିଷ୍ଠ ନେତା ଶ୍ରୀ ସ୍ୱାଇଁଙ୍କ ଏଭଳି ମନ୍ତବ୍ୟକୁ ନେଇ ରାଜ୍ୟ ବିଜେପି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ପରେ ମନ୍ତ୍ରୀ ଶ୍ରୀ ୟୁ-ଟର୍ଣ୍ଣ ନେଇଛନ୍ତି। ସେ ନୈତିକତା ଦୃଷ୍ଟିରୁ ହିନ୍ଦ ମଜଦୁର ସଭାର କାର୍ଯ୍ୟକାରୀ ସଭାପତି ଭାବେ ଶ୍ରମିକ ଓ ଖଟିଖିଆଙ୍କ ସ୍ୱାର୍ଥ ସପକ୍ଷରେ ବନ୍ଦକୁ ସମର୍ଥନ କରିଥିବା ସଫେଇ ଦେଇଛନ୍ତି। ସେପଟେ ଆସନ୍ତାକାଲି ବାରିପଦାରେ ଆବାସିକ ସ୍କୁଲର ଲୋକାର୍ପଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ‘ଭାରତ ବନ୍ଦ’କୁ ବିଜେଡି ସମର୍ଥନ କରୁନି ବୋଲି ସନ୍ଦେଶ ଦେବାକୁ ପ୍ରୟାସ ଆରମ୍ଭ ହୋଇଛି। ଅବଶ୍ୟ ବନ୍ଦକୁ ବିରୋଧ କରିବା ସଂକ୍ରାନ୍ତରେ ବିଜେଡି ଆନୁଷ୍ଠାନିକ ଭାବେ ଏପର୍ଯ୍ୟନ୍ତ କିଛି ବୟାନ ଦେଇନି।

ଆଜି ପୂର୍ବାହ୍ନରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ରାଜ୍ୟ ସମବାୟ ମନ୍ତ୍ରୀ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ ଯେ, ସବକା ସାଥ୍ ସବକା ବିକାଶ କଥା କହୁଥିବା ଦଳ ଏବେ ସବକା ବିନାଶ କରୁଛି। ଦରଦାମ ବୃଦ୍ଧି, ବେକାରୀ ରୋକିବାରେ କେନ୍ଦ୍ର ସରକାର ବିଫଳ। ଲୋକଙ୍କ ପାଖରେ କାମ ନାହିଁ। ତେଣୁ ସେ ଏହି ବନ୍ଦକୁ ସମର୍ଥନ କରୁଛନ୍ତି ବୋଲି କହିଥିଲେ।

ତେବେ ବିଜେଡିର ବରିଷ୍ଠ ନେତାଙ୍କ ଏହି ଆଭିମୁଖ୍ୟ ଉପରେ ରାଜ୍ୟ ବିଜେପି ନେତା ତଥା ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କଡ଼ା ପ୍ରତିକ୍ରିୟା ପ୍ରକାଶ କରି କହିଥିଲେ ଯେ, ବନ୍ଦକୁ ସମର୍ଥନ କରି ବିଜେଡି ଏଭଳି ଐତିହାସିକ ଭୁଲ୍ ନକରୁ। କଂଗ୍ରେସ ଓ ବାମପନ୍ଥୀ ଦଳଗୁଡ଼ିକ ଆନ୍ଦୋଳନ ନାଁରେ ହିଂସାକାଣ୍ଡ ଘଟାନ୍ତି। ସେମାନେ ନିଜର ଅସ୍ତିତ୍ୱ ବଞ୍ଚାଇବା ପାଇଁ ଉଦ୍ୟମ କରୁଛନ୍ତି। ବିଜେଡି ସମର୍ଥନ କରିବା ଡବଲ ଷ୍ଟାଣ୍ଡାର୍ଡ କଥା ହେବ।

ଏହାପରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଟ୍ୱିଟର ମାଧ୍ୟମରେ ସଫେଇ ଦେଇ କହିଛନ୍ତି ଯେ, କିଛି ସମୟ ପୂର୍ବରୁ ସେ ଗଣମାଧ୍ୟମକୁ ଦେଇଥିବା ବୟାନ ହିନ୍ଦୁ ମଜଦୁର ସଭାର କାର୍ଯ୍ୟକାରୀ ସଭାପତି ଭାବେ ଦେଇଥିଲେ। ଶ୍ରମିକ ଓ ଖଟିଖିଆଙ୍କ ସ୍ୱାର୍ଥ ପାଇଁ କାମ କରିବା ତାଙ୍କର ନୈତିକ ଦାୟିତ୍ୱ। ତେବେ ତାଙ୍କର ଏହି ନିଷ୍ପତ୍ତି ସହ ବିଜେଡିର କୌଣସି ଦେଣନେଣ ନାହିଁ। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବନ୍ଦ ସଂକ୍ରାନ୍ତରେ ଯେଉଁ ନିଷ୍ପତ୍ତି ନେବେ ତାକୁ ସେ ଗ୍ରହଣ ଓ ସମ୍ମାନ ଜଣାଇବେ।

ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ବାରିପଦା ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ବାରିପଦାରେ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ନବନିର୍ମିତ ଆବାସିକ ବିଦ୍ୟାଳୟର ଲୋକାର୍ପଣ ଉତ୍ସବରେ ସାମିଲ ହେବେ। ମୁଖ୍ୟମନ୍ତ୍ରୀଙ୍କ ବାରିପଦା ଗସ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ବନ୍ଦକୁ ବିଜେଡି ସମର୍ଥନ କରୁନଥିବା ସନ୍ଦେଶ ଦେଇଛି।

Related story