ହାରାହାରି ସମ୍ପତ୍ତି ୪.୪୧ କୋଟି: ବିଧାନସଭା ଚାଲୁନି, ତଥାପିି ଦରମା ବୃଦ୍ଧି ପାଇଁ ସଜବାଜ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ବିଧାନସଭାର ସଦସ୍ୟମାନଙ୍କ ଦରମା ଓ ଭତ୍ତା ବୃଦ୍ଧି ନିମନ୍ତେ କାର୍ଯ୍ୟପରାମର୍ଶଦାତା କମିଟି ସୁପାରିଶ କରିବା ତଥା ଗତ ୧୧ବର୍ଷ ମଧ୍ୟରେ ତୃତୀୟ ଥର ପାଇଁ ବିଧାୟକମାନଙ୍କ ଦରମା ବୃଦ୍ଧି ନିମନ୍ତେ ପ୍ରକ୍ରିୟା ଆରମ୍ଭ ହେବାକୁ ନେଇ ବିଭିନ୍ନ ମହଲରେ ରାଜ୍ୟବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏପରିକି ରାଜ୍ୟର ବିଭିନ୍ନ ବର୍ଗର କର୍ମଚାରୀମାନେ ବର୍ଷତମାମ ପରିଶ୍ରମ କରି ନିଜର ହକ୍ ବା ନ୍ୟାଯ୍ୟ ଦରମା ପାଉନଥିବାବେଳେ ରାଜ୍ୟର ଏହି ଆଇନ ପ୍ରଣେତା […]

Election

Ordigital Desk
  • Published: Wednesday, 14 December 2022
  • , Updated: 14 December 2022, 09:46 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ବିଧାନସଭାର ସଦସ୍ୟମାନଙ୍କ ଦରମା ଓ ଭତ୍ତା ବୃଦ୍ଧି ନିମନ୍ତେ କାର୍ଯ୍ୟପରାମର୍ଶଦାତା କମିଟି ସୁପାରିଶ କରିବା ତଥା ଗତ ୧୧ବର୍ଷ ମଧ୍ୟରେ ତୃତୀୟ ଥର ପାଇଁ ବିଧାୟକମାନଙ୍କ ଦରମା ବୃଦ୍ଧି ନିମନ୍ତେ ପ୍ରକ୍ରିୟା ଆରମ୍ଭ ହେବାକୁ ନେଇ ବିଭିନ୍ନ ମହଲରେ ରାଜ୍ୟବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏପରିକି ରାଜ୍ୟର ବିଭିନ୍ନ ବର୍ଗର କର୍ମଚାରୀମାନେ ବର୍ଷତମାମ ପରିଶ୍ରମ କରି ନିଜର ହକ୍ ବା ନ୍ୟାଯ୍ୟ ଦରମା ପାଉନଥିବାବେଳେ ରାଜ୍ୟର ଏହି ଆଇନ ପ୍ରଣେତା ବିଧାୟକମାନେ ଓଡ଼ିଶା ବିଧାନସଭାର କାର୍ଯ୍ୟ ପରିଚାଳନା ନିୟାମବଳୀର ଧାରା ୧୧କୁ ଖୋଲାଖୋଲି ଉଲ୍ଲଘଂନ କରି ବର୍ଷକୁ ସର୍ବନିମ୍ନ ୬୦ଦିନ ଗୃହ(ଅଧିବେଶନ)କୁ ଚଳାଇ ଦେଉନଥିଲେ ବି ପ୍ରତି ସାଧାରଣ ନିର୍ବାଚନ ପୂର୍ବରୁ ନିଜର ଦରମା ଓ ଭତ୍ତାକୁ ବୃଦ୍ଧି କରାଇବା ଦିଗରେ ପଦକ୍ଷେପ ନେବା କେତେଦୂର ଯୁକ୍ତିଯୁକ୍ତ ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି । ନିଜର ହାତପାଣ୍ଠିକୁ ୩କୋଟି ଟଙ୍କାକୁ ବୃଦ୍ଧି କରିସାରିଥିବା ଷୋଡ଼ଶ ଓଡ଼ିଶା ବିଧାନସଭା (୨୦୧୯ରେ ନିର୍ବାଚିତ ସଦସ୍ୟ)ର ବିଧାୟକମାନଙ୍କ ହାରାହାରି ସମ୍ପତ୍ତି ୪.୪୧କୋଟି ଟଙ୍କା ହୋଇଥିଲେ ମଧ୍ୟ ସେମାନେ ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ନିଜର ଦରମା ଓ ଭତ୍ତା ପରିମାଣକୁ ଅଢ଼େଇଗୁଣ ବୃଦ୍ଧି କରିବାକୁ ପ୍ରୟାସ କରୁଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ, ବିଜେଡି ବିଧାୟକ ଅମରପ୍ରସାଦ ଶତପଥୀଙ୍କ ଅଧ୍ୟକ୍ଷତାରେ ଗଠିତ କାର୍ଯ୍ୟପରାମର୍ଶଦାତା କମିଟି ଗତ କିଛିଦିନ ତଳେ ବିଧାୟକମାନଙ୍କ ଦରମା ଓ ଭତ୍ତା ଏବଂ ପୂର୍ବତନ ବିଧାୟକମାନଙ୍କ ପେନସନ୍ ଓ ଭତ୍ତା ଆଦି ବୃଦ୍ଧି ନିମନ୍ତେ ବାଚସ୍ପତିଙ୍କୁ ସୁପାରିଶ କରିଛନ୍ତି । ଚଳିତ ଶୀତ ଅଧିବେଶନକୁ ନିର୍ଦ୍ଧାରିତ ୨୯ଦିନ ପୂର୍ବରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ କରାଯିବାରୁ ଏହି ଦରମା ଓ ଭତ୍ତା ବୃଦ୍ଧି ସଂକ୍ରାନ୍ତ ବିଲ୍ ବିଧାନସଭାକୁ ଆସିପାରିନଥିଲା । ଯଦିଓ ବିଧାୟକମାନଙ୍କ ଦରମା ଓ ଭତ୍ତା ବୃଦ୍ଧି ପ୍ରସ୍ତାବକୁ ଶାସକ ବିଜେଡି ସମ୍ମତି ଜଣାଇ ସାରିଥିଲା । ଦେଶର ୨୫ଟି ରାଜ୍ୟରେ ବିଧାୟକମାନେ ଦରମା ଓ ଭତ୍ତା ବାବଦରେ ପାଉଥିବା ଅର୍ଥ ଓଡ଼ିଶା ତୁଳନାରେ ଅଧିକ ବୋଲି ଯୁକ୍ତି ବାଢ଼ି ରାଜ୍ୟର ବିଧାୟକମାନେ ନିଜର ଦରମା ବୃଦ୍ଧି ଚାହୁଁଛନ୍ତି । ବିଜେଡି, ବିଜେପି ଓ କଂଗ୍ରେସ ସମସ୍ତେ ଏକସ୍ୱରରେ ଏହି ଦରମା ଓ ଭତ୍ତା ବୃଦ୍ଧି ଚାହୁଁଥିବାବେଳେ ତେଲେଙ୍ଗାନାରେ ସର୍ବାଧିକ ୨.୫୦ଲକ୍ଷ ଟଙ୍କା ଓ ପୁଡୁଚେରୀରେ ୧.୦୫ଲକ୍ଷ ଟଙ୍କା ଦରମା ବିଧାୟକମାନେ ପାଉଛନ୍ତି । ଅବଶ୍ୟ ବିଧାୟକମାନେ କେରଳରେ ୭୦ହଜାର, ପଶ୍ଚିମବଙ୍ଗରେ ୫୨ହଜାର ଓ ମିଜୋରାମରେ ୬୫ହଜାର ଟଙ୍କା ଦରମା ପାଉଛନ୍ତି ।

ଅନ୍ୟପକ୍ଷରେ ୨୦୦୦ ମସିହାରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାରେ ସରକାର ଗଠନ ହେବା ପରଠୁ ୨୦୦୩ ମସିହାରେ ବିଧାୟକମାନଙ୍କ ଦରମା ଓ ଭତ୍ତା ୨୧୯୫୦ଟଙ୍କାକୁ ବୃଦ୍ଧି ପାଇଥିଲା । ଯାହାକି ପୁଣିଥରେ ୨୦୧୧ ମସିହାରେ ପ୍ରାୟ ୩ଗୁଣ ବୃଦ୍ଧି ପାଇ ୬୦ହଜାର ଟଙ୍କା ହୋଇଥିଲା । ଏହା ୨୦୧୮ ଏପ୍ରିଲରେ ପ୍ରାୟ ୨ଗୁଣ ବୃଦ୍ଧି ପାଇ ୧ଲକ୍ଷ ଟଙ୍କା ହୋଇଛି । ୨୦୦୪, ୨୦୧୪, ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଓଡ଼ିଶାର ବିଧାୟକମାନଙ୍କ ଦରମା ଓ ଭତ୍ତା ବୃଦ୍ଧି ପାଇ ସାରିଥିବାବେଳେ ୨୦୨୪ ନିର୍ବାଚନକୁ ଆଖିରେ ରଖି ବିଧାୟକମାନେ ଅଢ଼େଇ ଲକ୍ଷ ଟଙ୍କା ଦରମା ଓ ଭତ୍ତା ଦାବିକୁ ଜୋର କରିଛନ୍ତି । ଯଦିଓ ନବୀନଙ୍କ ଶାସନରେ ୨୦୦୦ ମସିହାରେ ଜଣେ ବିଧାୟକ ମୋଟ ୧୮ହଜାର ଟଙ୍କା ଦରମା ଓ ଭତ୍ତା ପାଉଥିଲେ ।

ସେପଟେ ଏଡିଆର ଓ ଇଲେକ୍ସନ ୱାଚ ରିପୋର୍ଟ ଅନୁସାରେ ୨୦୧୯ ବିଧାନସଭାକୁ ନିର୍ବାଚିତ ବିଧାୟକମାନଙ୍କର ହାରାହାରି ସମ୍ପତ୍ତିର ପରିମାଣ ୪.୪୧ କୋଟି ଟଙ୍କା । ଯାହାକି ୨୦୧୪ ବିଧାନସଭାରେ ୩.୨୨କୋଟି ଟଙ୍କା ଥିଲା । ୨୦୧୯ ସାଧାରଣ ନିର୍ବାଚନରେ ଷୋଡ଼ଶ ଓଡ଼ିଶା ବିଧାନସଭାକୁ ଆସିଥିବା ମୋଟ ବିଧାୟକଙ୍କ ମଧ୍ୟରୁ ୯୫ଜଣ ହେଉଛନ୍ତି କୋଟିପତି । କଂଗ୍ରେସର ୭୮ପ୍ରତିଶତ, ବିଜେଡିର ୭୧ପ୍ରତିଶତ ଓ ବିଜେପିର ୩୯ପ୍ରତିଶତ ବିଧାୟକ ହେଉଛନ୍ତି କୋଟିପତି । ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ବିଜେଡି ବିଧାୟକମାନଙ୍କ ହାରାହାରି ସମ୍ପତ୍ତି ପରିମାଣ ୫.୦୮କୋଟି ଟଙ୍କା ଥିବାବେଳେ କଂଗ୍ରେସର ୫.୬୭କୋଟି ଟଙ୍କା ଓ ବିଜେପି ବିଧାୟକମାନଙ୍କର ୧.୦୧କୋଟି ଟଙ୍କାର ହାରାହାରି ସମ୍ପତ୍ତି ରହିଛି ।

କରୋନା ମହାମାରୀବେଳେ ନିଜର ହାତପାଣ୍ଠିକୁ ୩କୋଟି ଟଙ୍କାକୁ ବୃଦ୍ଧି କରାଇ ନେଇଥିବା ରାଜ୍ୟର ବିଧାୟକମାନେ କୋଟିପତି ହୋଇଥିଲେ ମଧ୍ୟ ଏବେ ପୁଣିଥରେ ନିଜର ଦରମାକୁ ଅଢ଼େଇଗୁଣ ବୃଦ୍ଧି ପାଇଁ ଲବି ଜୋରଦାର କରିଛନ୍ତି । ଯଦିଓ ସାଧାରଣ ଲୋକଙ୍କ ସମସ୍ୟା ଉଠାଇବା ପବିତ୍ର ଗୃହ ବିଧାନସଭାରେ ଏହି ବିଧାୟକମାନେ ସକ୍ଷମ ହେଉନାହାନ୍ତି । ବିଧାନସଭାର ନିୟମକୁ ଅଣଦେଖା କରି ପ୍ରତିବର୍ଷ ଅଧିବେଶନକୁ ସର୍ବନିମ୍ନ ୬୦ଦିନ ମଧ୍ୟ କରାଇ ଦେଉନାହାନ୍ତି । ନବୀନ ପଟ୍ଟନାୟକଙ୍କ ୨୨ବର୍ଷ ଶାସନକାଳରେ ବିଧାନସଭା ଅଧିବେଶନ ୨୦୦୬,୨୦୧୦ ଓ ୨୦୧୨ ମସିହାରେ ୬୦ଦିନ ବସିବା ସମ୍ଭବପର ହୋଇଥିଲା । ଅନ୍ୟବର୍ଷ ଗୁଡ଼ିକରେ ଗୃହ ୪୧ରୁ ୫୮ଦିନ ବସିଛି । ୨୦୨୧ରେ ବିଧାନସଭା ଅଧିବେଶନ ମାତ୍ର ୩୦ଦିନ ଓ ୨୦୨୨ରେ ମୋଟ ୩୭ଦିନ ଚାଲିପାରିଛି ।

ଏଭଳି ସ୍ଥିତିରେ ଗୃହକୁ ଠିକ୍ ଭାବେ ଚଳାଇ ଦେଉନଥିବା ଧନୀ ବିଧାୟକମାନେ ନିଜର ହାତପାଣ୍ଠିକୁ ୩କୋଟି କରିସାରିଥିଲେ ମଧ୍ୟ ପୁଣିଥରେ ଦରମାକୁ ୧ଲକ୍ଷ ଟଙ୍କାରୁ ପ୍ରାୟ ଅଢ଼େଇ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଁ ଦାବି କରିବା କେତେ ଯୁକ୍ତିଯୁକ୍ତ ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।

Related story