ବିଜେପୁରବାସୀଙ୍କୁ ପୁଣି ଲଲିପପ୍ ଦେଲେ ନବୀନ : କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପୁର ବିଧାୟକ ପଦବୀରୁ ଇସ୍ତଫା ଦେଇ ଆସନ୍ନ ଉପନିର୍ବାଚନ ବୈତରଣୀ ପାର ହେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିନ୍ତା କରୁଛନ୍ତି ଓ ସେଥିପାଇଁ ବିଜେପୁରବାସୀଙ୍କୁ ପୁଣି ଏକ ଲଲିପପ୍ ଦେଇ ଠକିବାକୁ ପ୍ରୟାସ କରୁଛନ୍ତି ବୋଲି କଂଗ୍ରେସ ଆଜି ଅଭିଯୋଗ କରିଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଗତକାଲି ମୁଖ୍ୟମନ୍ତ୍ରୀ ସଚିବାଳୟରେ ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଏକାଧିକ ପ୍ରକଳ୍ପ ନିମନ୍ତେ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ୍ ଘୋଷଣା କରିବା ଆନନ୍ଦର […]

niranjan-2-750x430

Manoranjan Sial
  • Published: Friday, 31 May 2019
  • , Updated: 31 May 2019, 07:38 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପୁର ବିଧାୟକ ପଦବୀରୁ ଇସ୍ତଫା ଦେଇ ଆସନ୍ନ ଉପନିର୍ବାଚନ ବୈତରଣୀ ପାର ହେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିନ୍ତା କରୁଛନ୍ତି ଓ ସେଥିପାଇଁ ବିଜେପୁରବାସୀଙ୍କୁ ପୁଣି ଏକ ଲଲିପପ୍ ଦେଇ ଠକିବାକୁ ପ୍ରୟାସ କରୁଛନ୍ତି ବୋଲି କଂଗ୍ରେସ ଆଜି ଅଭିଯୋଗ କରିଛି।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଗତକାଲି ମୁଖ୍ୟମନ୍ତ୍ରୀ ସଚିବାଳୟରେ ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଏକାଧିକ ପ୍ରକଳ୍ପ ନିମନ୍ତେ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ୍ ଘୋଷଣା କରିବା ଆନନ୍ଦର କଥା। କିନ୍ତୁ ନବୀନବାବୁ ଭୁଲିଯାଉଛନ୍ତି ଯେ, ସେ କେବଳ ବିଜେପୁରର ବିଧାୟକ ନୁହନ୍ତି ବରଂ ଓଡ଼ିଶାର ୧୪୭ ବିଧାନସଭା ନିର୍ବାଚନ ମଣ୍ଡଳୀର ମୁଖ୍ୟମନ୍ତ୍ରୀ। ବିଜେପୁର ପରି ଅନ୍ୟାନ୍ୟ ବିଧାନସଭା ନିର୍ବାଚନ ମଣ୍ଡଳୀର ଉନ୍ନତି ଓ ବିକାଶ ଦିଗରେ ସ୍ୱତନ୍ତ୍ର ପ୍ରକଳ୍ପ ନିମନ୍ତେ ଆର୍ଥିକ ପ୍ୟାକେଜ୍ ଘୋଷଣା କରିବା ନିତାନ୍ତ ଆବଶ୍ୟକ ଥିବାବେଳେ ମୁଖ୍ୟମନ୍ତ୍ରୀ କେବଳ ବିଜେପୁର ପାଇଁ ଘୋଷଣା କରିବା କ୍ଷୋଭର ବିଷୟ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

୨ଟି ବିଧାନସଭା ନିର୍ବାଚନମଣ୍ଡଳୀରୁ ନବୀନବାବୁ ବିଜୟୀ ହେଲା ପରେ ବୋଧହୁଏ ବିଜେପୁର ବିଧାୟକ ପଦବୀରୁ ଇସ୍ତଫା ଦେବା ପାଇଁ ମନସ୍ଥିର କରି ସ୍ୱତନ୍ତ୍ର ପ୍ରକଳ୍ପ ନିମନ୍ତେ ଏପରି ଆର୍ଥିକ ପ୍ୟାକେଜ ଘୋଷଣା କରି ସରକାରୀ ଅର୍ଥରେ ଆସନ୍ନ ଉପନିର୍ବାଚନ ପାର ହେବାର ଚିନ୍ତା କରିଥାଇପାରନ୍ତି, ମାତ୍ର ଏହା ଗଣତନ୍ତ୍ର ପାଇଁ ଆଦୌ ଶୁଭଙ୍କର ନୁହେଁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ଅତୀତରେ ଏପରି ବହୁ ପ୍ରକଳ୍ପ ନିମନ୍ତେ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ୍ ଘୋଷଣା କରି ନିର୍ବାଚନ ବୈତରଣୀ ପାର ହେବାର ଦୃଷ୍ଟାନ୍ତ ନବୀନବାବୁ ଓଡ଼ିଶାବାସୀଙ୍କୁ ଦେଖାଇ ସାରିଛନ୍ତି। ୨୦୧୭ ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଉପନିର୍ବାଚନ ସମୟରେ ବିଜେପୁରବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଏକାଧିକ ପ୍ରକଳ୍ପ ନିମନ୍ତେ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ ଘୋଷଣା କରିଥିଲେ ମଧ୍ୟ ପ୍ରକଳ୍ପ ଗୁଡିକର ବର୍ତମାନ ରୂପରେଖ, ସ୍ଥିତି କ’ଣ ରହିଛି ଏହା ସହଜରେ ଅନୁମେୟ। ଏପରିସ୍ଥଳେ ଗତକାଲିର ଘୋଷଣା ବିଜେପୁରବାସୀଙ୍କ ପାଇଁ ଲଲିପପ୍ ଛଡା ଆଉ କିଛି ନୁହେଁ। ଆଗାମୀ ଆସନ୍ନ ବିଧାନସଭା

ଉପନିର୍ବାଚନରେ ବିଜେପୁରବାସୀଙ୍କ ସମେତ ଓଡ଼ିଶାବାସୀ ବିଚାରକରି ଏହାର ଦୃଢ ଜବାବ ଦେବେ ବୋଲି ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି।

Related story