ଭୁବନେଶ୍ୱର: ଭଦ୍ରକ ହିଂସାକାଣ୍ଡରୁ ଶିକ୍ଷା ନେଲା ଓଡିଶା ପୋଲିସ। ରାପିଡ୍ ଆକସନ ଫୋର୍ସ ଢାଞ୍ଚାରେ ରାଜ୍ୟରେ ଗଠନ ହେଲା ଓଡିଶା ସୁଇଫଟ ଆକସନ ଫୋର୍ସ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସେଭେନ୍ଥ୍ ବାଟାଲିୟନ ପଡିଆରେ ଏହାର ଶୁଭାରମ୍ଭ କରିଛନ୍ତି। ପୁରୀ ରଥଯାତ୍ରା ସମୟରେ ପ୍ରଥମ କରି ଏମାନଙ୍କୁ ନିୟୋଜିତ କରାଯିବ।
ନବଗଠିତ ଓଡିଶା ସୁଇଫଟ ଦଙ୍ଗା, ସାଂପ୍ରଦାୟିକ ହିଂସାକାଣ୍ଡ ଭଲି ଜରୁରୀ ପରିସ୍ଥିତି ଏବଂ ରଥଯାତ୍ରା ଓ ଦଶହରା ଭସାଣୀ ଭଳି ବୃହତ୍ତ କାର୍ଯ୍ୟକ୍ରମରେ ନିୟୋଜିତ ହେବେ। ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶର ରାପିଡ୍ ଆକସନ ଫୋର୍ସଠାରୁ ଏମାନଙ୍କୁ ସ୍ୱତନ୍ତ୍ର ଭାବେ ପ୍ରଶିକ୍ଷଣ ଦିଆଯାଇଛି। ଅନେକ ସମୟରେ ହିଂସାକାଣ୍ଡ ସମୟରେ କେନ୍ଦ୍ରରୁ ରାପିଡ୍ ଆକ୍ସନ୍ ଫୋର୍ସ ଆଣିବା ବ୍ୟୟ ବହୁଳ ଓ ସମୟ ସାପେକ୍ଷ ହେଉଥିବାରୁ ରାଜ୍ୟ ସରକାର ଓସାଫ୍ ଗଠନ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ତିନି କଂପାନୀ ଯବାନଙ୍କୁ ନେଇ ଏହା ଗଠିତ ହୋଇଛି। ପ୍ରତି କମ୍ପାନୀ ଦାୟିତ୍ୱରେ ଜଣେ ଲେଖାଏଁ କମାଣ୍ଡାଣ୍ଟ ରହିବେ। ସେହିପରି ଏହି ଯବାନଙ୍କ ମଧ୍ୟରେ ୪୦ ଜଣ ମାଷ୍ଟର ଟ୍ରେନ୍ର ମଧ୍ୟ ଅଛନ୍ତି। ପରବର୍ତ୍ତୀ ସମୟରେ ଏମାନେ ଅନ୍ୟ ଯବାନମାନଙ୍କୁ ପ୍ରଶିକ୍ଷଣ ଦେବେ। ଜରୁରୀ ପରିସ୍ଥିତି ସମୟରେ ଏହି ଯବାନମାନେ ମାତ୍ର ୧୫ ମିନିଟ ସମୟରେ ନିଜକୁ ପ୍ରସ୍ତୁତ କରିପାରିବେ।
ଓସାଫ୍ରେ ତିନି କମ୍ପାନୀ ଯବାନ ଏବେ କଟକ, ବାଲେଶ୍ୱର ଓ ରାଉରକେଲାରେ ଅବସ୍ଥାପିତ କରାଯିବ।