ଓଡ଼ିଶା ରାଜନୀତିରେ ମାରିକଙ୍କ ଭୂମିକାକୁ ନେଇ କଳ୍ପନାଜଳ୍ପନା

ଭୁବନେଶ୍ୱର: ପୂର୍ବତନ ପୋଲିସ ଡିଜି ସଞ୍ଜୀବ ମାରିକ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌)ରେ ଯୋଗଦେବା ପରେ ଓଡ଼ିଶା ରାଜନୀତିରେ ତାଙ୍କର ଭୂମିକାକୁ ନେଇ ଚର୍ଚ୍ଚା ଜୋର ଧରିଛି। ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାର କିଛି ଅଞ୍ଚଳରେ ଜେଏମ୍‌ଏମ୍‌ର ପ୍ରଭାବ ଥିବା ବେଳେ ମାରିକ ଏହାକୁ କେତେଦୂର ଆଗେଇ ନେବେ ତାହା ଆଗାମୀ ଦିନରେ ଜଣାପଡିବ। ତେବେ ତାଙ୍କର ଚାକିରି ପୂରା ହେବା ପୂର୍ବରୁ ଓଡ଼ିଶା ପୋଲିସ ଡିଜି ପଦରୁ ତାଙ୍କୁ ବିଜେଡି ସରକାର ଅବ୍ୟାହତି ଦେଇଥିଲା। ଏ […]

Marik

Rakesh Mallick
  • Published: Tuesday, 19 April 2016
  • , Updated: 19 April 2016, 05:08 PM IST

ଭୁବନେଶ୍ୱର: ପୂର୍ବତନ ପୋଲିସ ଡିଜି ସଞ୍ଜୀବ ମାରିକ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌)ରେ ଯୋଗଦେବା ପରେ ଓଡ଼ିଶା ରାଜନୀତିରେ ତାଙ୍କର ଭୂମିକାକୁ ନେଇ ଚର୍ଚ୍ଚା ଜୋର ଧରିଛି। ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାର କିଛି ଅଞ୍ଚଳରେ ଜେଏମ୍‌ଏମ୍‌ର ପ୍ରଭାବ ଥିବା ବେଳେ ମାରିକ ଏହାକୁ କେତେଦୂର ଆଗେଇ ନେବେ ତାହା ଆଗାମୀ ଦିନରେ ଜଣାପଡିବ। ତେବେ ତାଙ୍କର ଚାକିରି ପୂରା ହେବା ପୂର୍ବରୁ ଓଡ଼ିଶା ପୋଲିସ ଡିଜି ପଦରୁ ତାଙ୍କୁ ବିଜେଡି ସରକାର ଅବ୍ୟାହତି ଦେଇଥିଲା। ଏ ପୃଷ୍ଠଭୂମିରେ ସେ ଖୋଲାଖୋଲି ଭାବେ ଏହି ଦଳ ବିରୋଧରେ ସ୍ୱର ଉତ୍ତୋଳନ କରିବେ ନା ନାହିଁ ତାହା ଉପରେ ପର୍ଯ୍ୟବେକ୍ଷକଙ୍କ ନଜର ରହିଛି। ତେବେ ମାରିକ ରାଜନୀତିକୁ ଆସିବା ବିଜେଡି ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ଦଳ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ମାରିକଙ୍କ ଯୋଗଦାନ ମୟୂରଭଞ୍ଜ, ସୁନ୍ଦରଗଡ଼ ଭଳି ଜିଲ୍ଲାରେ ବିଜେଡି ପାଇଁ ଚ୍ୟାଲେଞ୍ଜ ହୋଇପାରେ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି।

ମାରିକ ତାଙ୍କ ରାଜନୈତିକ କ୍ୟାରିୟର ଝାଡ଼ଖଣ୍ଡର ଗୋଡ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଆରମ୍ଭ କରିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି। ଗୋଡ୍ଡା ବିଧାନସଭା ଉପନିର୍ବାଚରେ ସେ ଜେଏମ୍‌ଏମ୍‌ରୁ ପ୍ରାର୍ଥୀ ହେବେ। ଏଥିପାଇଁ ଆଜିଠାରୁ ଜନ ସମ୍ପର୍କ ଯାତ୍ରା ଆରମ୍ଭ କରିଦେଇଛନ୍ତି। ଆଜି ସେ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳ ଗସ୍ତ କରି ଲୋକମାନଙ୍କୁ ଭେଟି ସେମାନଙ୍କ ସମସ୍ୟା ପଚାରି ବୁଝିଛନ୍ତି।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ମାରିକ ଓଡ଼ିଶା ପୋଲିସରେ ଦୀର୍ଘବର୍ଷ କାର୍ଯ୍ୟ କରିଛନ୍ତି, ବିଭିନ୍ନ ଜିଲ୍ଲାର ଏସ୍‌ପି ମଧ୍ୟ ରହିଛନ୍ତି। ଓଡ଼ିଶା ରାଜନୀତିକୁ ପରଖି ଥିବା ବେଳେ ବିଜେଡିର ରାଜନୈତିକ ଗୋଟି ଚାଳନା ବିଷୟରେ ସେ ଭଲ ଭାବେ ଜାଣିଛନ୍ତି। ଏହାକୁ ଦେଖିଲେ ମାରିକଙ୍କୁ ନେଇ ଜେଏମ୍‌ଏମ୍‌ ଓଡ଼ିଶାରେ ତା’ର ପ୍ରଭାବ ବିସ୍ତାର କରିବାକୁ ଚେଷ୍ଟା କରିବ ବୋଲି ଆଶା କରାଯାଉଛି।

ଜେଏମ୍‌ଏମ୍‌ ରାଜ୍ୟ ସଭାପତି ମହେଶ ହେମ୍ରମ୍ବ କହିଛନ୍ତି, ‘‘ମାରିକଙ୍କ ଯୋଗଦାନ ଓଡ଼ିଶାରେ ଦଳର ଶକ୍ତି ବୃଦ୍ଧି କରିବାରେ ସହାୟକ ହେବ। କେନ୍ଦୁଝର ଓ ବାଲେଶ୍ୱର ଜିଲ୍ଲାରେ ତାଙ୍କ କାର୍ଯ୍ୟକ୍ରମ ରଖି ଦଳକୁ ସୁଦୃଢ କରିବାକୁ ଆମେ ଚେଷ୍ଟା କରିବୁ।”

କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି, “ସେ ଜଣେ ରାଜନୈତିକ ବ୍ୟକ୍ତି ନୁହନ୍ତି, ଜଣେ ପ୍ରଶାସକ। ରାଜନୀତିକୁ ଆସିବାକୁ ହେଲେ ତୃଣମୂଳ ସ୍ତରରୁ ବହୁ କଷ୍ଟ କରିବାକୁ ପଡିଥାଏ। ସେ ରାଜନୀତିକୁ ଆସିବା ବିଜେଡି ଉପରେ କିଛି ପ୍ରଭାବ ପକାଇବ ନାହିଁ।”

ମୟୂରଭଞ୍ଜ ଜିଲ୍ଲାର ୯ଟି ଯାକ ବିଧାନସଭା ମଣ୍ଡଳୀରେ ଜେଏମ୍‌ଏମ୍‌ର ସଂଗଠନ ରହିଛି। ସୁନ୍ଦରଗଡ଼ ଜିଲ୍ଲାର କିଛି ଅଂଶରେ ମଧ୍ୟ ଦଳର ସଂଗଠନ ରହିଛି। ତେବେ ମୟୂରଭଞ୍ଜରେ ମାରିକ ବିଜେଡି ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିପାରନ୍ତି ବୋଲି ରାଜନୈତିକ ସମୀକ୍ଷକମାନେ କହିଛନ୍ତି।

ବରିଷ୍ଠ ସାମ୍ବାଦିକ ନବୀନ ଦାସ କହିଛନ୍ତି, “ପ୍ରଶାସନିକ ଅଭିଜ୍ଞତା ଓ ଓଡ଼ିଶା ସହ ତାଙ୍କ ସମ୍ପର୍କକୁ ଦଳ ଉପଯୋଗ କରିବ। ରାଜ୍ୟରେ ବିଜେଡି ଏକ ନମ୍ବର ଦଳ। ମୟୂରଭଞ୍ଜରେ ସେ ବିଜେଡି ପାଇଁ ଚ୍ୟାଲେଞ୍ଜ ହୋଇପାରନ୍ତି।”

Related story