ନବୀନ ଏକ ନମ୍ବର, କିନ୍ତୁ ଖସୁଛି ଓଡ଼ିଶାର ନମ୍ବର
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସର୍ଭେରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ନମ୍ବରରେ ଥିବା ବେଳେ ଓଡ଼ିଶାର ରାଙ୍କ କିନ୍ତୁ ଖସିବାରେ ଲାଗିଛି। ନୀତି ଆୟୋଗ ଇଣ୍ଡେକ୍ସରେ ଓଡ଼ିଶା ୨ ରାଙ୍କ ଖସି ଏବେ ୧୪ତମ ସ୍ଥାନରେ ପହଞ୍ଚିଛି। ଇଣ୍ଡିଆ ଇନୋଭେସନ୍ ଇଣ୍ଡେକ୍ସ ତାଲିକାରେ ଓଡ଼ିଶାର ସ୍ଥାନ ଦୁଇ ପାଦ ତଳକୁ ଖସିଆସିଛି ।
ନୀତି ଆୟୋଗ ପକ୍ଷରୁ ଜାରି କରାଯାଇଥିବା ଇଣ୍ଡିଆ ଇନୋଭେସନ ଇଣ୍ଡେକ୍ସର ଦ୍ୱିତୀୟ ସଂସ୍କରଣରେ ଓଡ଼ିଶାର ପ୍ରଦର୍ଶନ ନୈରାଶ୍ୟଜନକ ହେବା ସହ ରାଙ୍କ ତଳକୁ ଖସିଛି । ପ୍ରଥମ ସଂସ୍କରଣରେ ୧୨ତମ ସ୍ଥାନରେ ଥିବାବେଳେ ଦ୍ୱିତୀୟ ସଂସ୍କରଣରେ ୧୪ତମ ସ୍ଥାନକୁ ଖସି ଆସିଛି। ଦେଶରେ ୧୭ଟି ବୃହତ ରାଜ୍ୟ ବର୍ଗରେ ଓଡ଼ିଶା ୧୪ତମ ସ୍ଥାନରେ ରହିଛି ।
ତେବେ ଏଥର ତାଲିକାରେ କର୍ଣ୍ଣାଟକ ପ୍ରଥମ ସ୍ଥାନରେ ରହିଛି । ଏହାସହ ଏହି ତାଲିକାର ଏନାବଲର ସ୍ଥାନରେ ଓଡ଼ିଶା ଦଶମ ସ୍ଥାନରେ ରହିଛି । ୨୦୨୦ ସୂଚୀରେ ଓଡ଼ିଶାର ଇନୋଭେସନ ସ୍କୋର ୧୮. ୯୪ ଥିବାବେଳେ ଏନାବଲର ସ୍କୋର ୨୦. ୯୩ ରହିଛି । ହ୍ୟୁମାନ ରିସୋର୍ସ ତାଲିକାରେ ଓଡ଼ିଶା ୪୨. ୧୦ ପଏଣ୍ଟ ରହିଛି ଓ ତାଲିକାରେ ଦଶମ ସ୍ଥାନରେ ରହିଛି । ସେହିଭଳି ପୁଞ୍ଜିନିବେଶରେ ୧୫ ତମ ସ୍ଥାନ, କାରବାର ବାତାବରଣରେ ୧୬ ତମ, ନଲେଜ୍ ଓ୍ୱାର୍କସରେ ୧୪ ତମ ସ୍ଥାନରେ ରହିଛି ଓଡ଼ିଶା।
ସୂଚନାଯୋଗ୍ୟ, ନୀତି ଆୟୋଗ ପକ୍ଷରୁ ଜାରି ରିପୋର୍ଟରେ କର୍ଣ୍ଣାଟକ ଉପରେ ଥିବା ବେଳେ ଦ୍ୱିତୀୟରେ ରହିଛି ମହାରାଷ୍ଟ୍ର। ଏହାପରେ ତାମିଲନାଡ଼ୁ, ତେଲେଙ୍ଗାନା, କେରଳ, ହରିୟାନା, ଆନ୍ଧ୍ରପ୍ରଦେଶ, ଗୁଜରାଟ, ଉତ୍ତରପ୍ରଦେଶ, ପଞ୍ଜାବ, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ଓଡ଼ିଶା ରହିଛି। ଓଡ଼ିଶା ତଳକୁ ଝାଡଖଣ୍ଡ, ଛତିଶଗଡ଼, ବିହାର ରହିଛି।
କିଛି ଦିନ ପୂର୍ବେ ଜାତୀୟ ଗଣମାଧ୍ୟମ ଆଇଏଏନଏସ ଓ ସି- ଭୋଟର ପକ୍ଷରୁ ହୋଇଥିବା ସର୍ଭେ ମୁତାବକ ଦେଶର ଶ୍ରେଷ୍ଠ ୧୦ ମୁଖ୍ୟମନ୍ତ୍ରୀ ତାଲିକାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ସ୍ଥାନରେ ଅଛନ୍ତି। ଏହି ସର୍ଭେରେ ପ୍ରଧାନମନ୍ତ୍ରୀ ଭାବେ କେଉଁ ପ୍ରାର୍ଥୀ ପସନ୍ଦ ସର୍ଭେରେ ମୋଦି ନଂ୧ରେ ରହିଛନ୍ତି। ମୋଦିଙ୍କୁ ଓଡ଼ିଶାରେ ସର୍ବାଧିକ ପସନ୍ଦ କରୁଥିବା ଏହି ରିପୋର୍ଟ ପ୍ରକାଶ କରିଛି। ଏହି ସର୍ଭେରେ ଦେଶର ସମସ୍ତ ୫୪୩ ଲୋକସଭା ଆସନରୁ ଲୋକମାନେ ଅଂଶଗ୍ରହଣ କରିଛନ୍ତି। ଏହି ସର୍ଭେରେ ୩୦ ହଜାରରୁ ଅଧିକ ଲୋକ ଜଡିତ ଅଛନ୍ତି। ଗତ ୧୨ ସପ୍ତାହ ମଧ୍ୟରେ ସର୍ଭେ ପ୍ରଶ୍ନର ଉତ୍ତର ନିଆଯାଇଛି।
ଇଣ୍ଡିଆ ଇନୋଭେସନ ଇଣ୍ଡେକ୍ସ କେଉଁ ଆଧାରରେ ହୁଏ?
ଏହି ସର୍ଭେ କେନ୍ଦ୍ର ସରକାରଙ୍କ ଦ୍ୱାରା ହୋଇଛି। ଦେଶକୁ ଆଗକୁ ନେବା ପାଇଁ ବିଭିନ୍ନ ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ମୁଖ୍ୟତଃ ଟେକ୍ନୋଲଜି ବାବଦରେ ସରକାରଙ୍କ ନିରନ୍ତର ପ୍ରତିବଦ୍ଧତାକୁ ଅବଲୋକନ କରାଯାଏ।
ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର କହିଛନ୍ତି ଯେ ଇଣ୍ଡେକ୍ସ ସଠିକ୍ ମାର୍ଗରେ ଅଛି ଏବଂ ରାଜ୍ୟମାନେ ସେମାନଙ୍କର ଅଭିନବ ଇକୋସିଷ୍ଟମରେ ଉନ୍ନତି ଆଣିବାକୁ ଚେଷ୍ଟା କରୁଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଦା ଇନୋଭେସନ ଏବଂ ବୈଷୟିକ ଉପରେ ଗୁରୁତ୍ୱାରୋପ କରନ୍ତି। କାରଣ ଏହା ଚ୍ୟାଲେଞ୍ଜର ସମାଧାନ କରିପାରିବ ଏବଂ ଲୋକଙ୍କ ଆକାଂକ୍ଷା ପୂରଣ କରିପାରିବ। ତେଣୁ ସରକାରୀ ତଥା ବେସରକାରୀ କ୍ଷେତ୍ରର ବିଭିନ୍ନ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ ମଧ୍ୟରେ ସମନ୍ୱୟ ପ୍ରଣାଳୀରେ ଉନ୍ନତି ଆଣିବାକୁ ସେ ନିବେଦନ କରିଛନ୍ତି।
Demonstrating the Government’s continued commitment towards transforming the country into an innovation-driven economy, I joined my colleagues in the launch of the #IndiaInnovationIndex2020. This is a major step in the efficient evaluation of the nation's #innovation ecosystem. pic.twitter.com/t3mQ4sdubS
— Rajiv Kumar 🇮🇳 (@RajivKumar1) January 20, 2021
ଇଣ୍ଡିଆ ଇନୋଭେସନ୍ ଇଣ୍ଡେକ୍ସ ୨୦୨୦ରେ ୧୭ଟି ରାଜ୍ୟ ୧୦ଟି ଉତ୍ତର-ପୂର୍ବ ଏବଂ ପାହାଡ଼ିଆ ରାଜ୍ୟ ଏବଂ ନଅଟି କେନ୍ଦ୍ର ଶାସିତ ଅଞ୍ଚଳକୁ ନେଇ ଏହି ସର୍ଭେ ହୋଇଛି। ଉତ୍ତର ପୂର୍ବ ଏବଂ ପାହାଡ଼ିଆ ରାଜ୍ୟ ବର୍ଗରେ ହିମାଚଳ ପ୍ରଦେଶ ପ୍ରଥମ ସ୍ଥାନରେ ଥିବା ବେଳେ ଦ୍ୱିତୀୟରେ ଉତ୍ତରାଖଣ୍ଡ ତୃତୀୟରେ ମଣିପୁର ରହିଛି। ସେହିପରି କେନ୍ଦ୍ର ଶାସିତ ଅଞ୍ଚଳରେ ଦିଲ୍ଲୀ ପ୍ରଥମ ସ୍ଥାନରେ ଥିବାବେଳେ ଚଣ୍ଡିଗଡ଼ ଦ୍ୱିତୀୟ ସ୍ଥାନରେ ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।