କୋଭିଡ୍ ଟିକାକରଣରେ ନବମ ସ୍ଥାନକୁ ଖସିଲା ଓଡ଼ିଶା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ୍‌-୧୯ ନିୟନ୍ତ୍ରଣ ଓ ଟିକାକରଣ କରାଇବାରେ ଭଲ ପ୍ରଦର୍ଶନ କରିଥିବା ଓଡ଼ିଶା ଏବେ ବହୁ ପଛରେ ପଡ଼ିଯାଇଛି। କୋଭିଡ୍ ଟୀକାକରଣ ଆରମ୍ଭ ହେବାର ପ୍ରାରମ୍ଭିକ ସପ୍ତାହରେ ବେଶ୍ ଭଲ ପ୍ରଦର୍ଶନ କରି ସର୍ବଭାରତୀୟସ୍ତରରେ ଦ୍ୱିତୀୟ ସ୍ଥାନରେ ଥିବା ଓଡ଼ିଶା ଏବେ ନବମ ସ୍ଥାନକୁ ଖସିଆସିଛି।

ଆଜି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି କୋଭିଡ୍ ଟିକାକରଣର ସ୍ଥିତି ସଂକ୍ରାନ୍ତ ରିପୋର୍ଟ ଅନୁସାରେ, ଆଜି ସନ୍ଧ୍ୟା ୬ଟା ସୁଦ୍ଧା ସମଗ୍ର ଦେଶରେ ମୋଟ ୮୦ଲକ୍ଷ ୪୪ହଜାର ୭୮୬ଜଣ ବ୍ୟକ୍ତିଙ୍କର ଟିକାକରଣ ହୋଇଥିବାବେଳେ ସେଥିରେ ୭୬୬୮ଜଣଙ୍କୁ ଦ୍ୱିତୀୟ ଡୋଜ୍ ଟିକା ମଧ୍ୟ ପ୍ରଦାନ କରାଯାଇଛି। ସର୍ବାଧିକ ୮ଲକ୍ଷ ୫୮ହଜାର ୬୦୨ଜଣଙ୍କର ଟୀକାକରଣ କରି ଉତ୍ତରପ୍ରଦେଶ ଶୀର୍ଷରେ ଥିବାବେଳେ ୬ଲକ୍ଷ ୭୯ହଜାର ୪୫୩ଜଣଙ୍କୁ ଟିକାକରଣ କରି ଗୁଜୁରାଟ ଦ୍ୱିତୀୟ ଓ ୬ଲକ୍ଷ ୪୯ହଜାର ୯୬୬ଜଣଙ୍କୁ ଟିକା ପ୍ରଦାନ କରି ମହାରାଷ୍ଟ୍ର ତୃତୀୟ ସ୍ଥାନରେ ରହିଛି। ସେହିପରି ରାଜସ୍ତାନ ୬.୦୬ଲକ୍ଷ, ମଧ୍ୟପ୍ରଦେଶ ୫.୨୬ଲକ୍ଷ, ପଶ୍ଚିମବଙ୍ଗ ୪.୯୫ଲକ୍ଷ , କର୍ଣ୍ଣାଟକ ୪.୯୫ଲକ୍ଷ ଓ ବିହାର ୪.୭୫ଲକ୍ଷ ଲୋକଙ୍କୁ ଟୀକାକରଣ କରିସାରିଛି।

ଅନ୍ୟପକ୍ଷରେ ଓଡ଼ିଶାରେ ଆଜି ସନ୍ଧ୍ୟା ୬ଟା ସୁଦ୍ଧା ମୋଟ ୪ଲକ୍ଷ ୧ହଜାର ୨୧ଜଣଙ୍କର ପ୍ରଥମ ଡୋଜ୍ ଟୀକାକରଣ ହୋଇଥିବାବେଳେ କାହାରିକୁ ଦ୍ୱିତୀୟ ଡୋଜ୍ ଟୀକା ପ୍ରଦାନ କରାଯାଇନି।

ସୂଚନାଯୋଗ୍ୟ, ରାଜ୍ୟରେ ସ୍ୱାସ୍ଥ୍ୟକର୍ମୀଙ୍କ ପରେ ଗୃହ, ରାଜସ୍ୱ ଓ ନଗର ଉନ୍ନୟନ ବିଭାଗର କର୍ମଚାରୀଙ୍କୁ ଟିକାକରଣ ଦେବା ପ୍ରକ୍ରିୟା ଜାରି ରହିଥିବା ଜଣାପଡ଼ିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।