‘ଆସନ୍ତାକାଲି ଦିନ ୧୨ଟା ବେଳକୁ ଜଳସ୍ତର ସର୍ବାଧିକ ରହିବ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାନଦୀ ସିଷ୍ଟମ୍ ପରେ ଏବେ ସୁବର୍ଣ୍ଣରେଖାରେ ବଡ଼ ବନ୍ୟାକୁ ନେଇ ଚିନ୍ତା। ଝାଡ଼ଖଣ୍ଡ ଗାଲୁଡିହ ବ୍ୟାରେଜରୁ ୧୬ ଗେଟ୍ ଖୋଲିବା ପରେ ମୟୂରଭଞ୍ଜ ଓ ବାଲେଶ୍ୱରକୁ ମାଡ଼ି ଆସୁଛି ବଡ଼ ବିପତ୍ତି।  ପ୍ରତି ସେକେଣ୍ଡରେ ଆସୁଥିବା ୬ ଲକ୍ଷ ଘନଫୁଟର ଜଳ ପ୍ରବାହରେ ଦୁଇ ଜିଲ୍ଲାର ୬ଟି ବ୍ଲକ ସ୍ଥିତି ଅତ୍ୟନ୍ତ ଗମ୍ଭୀର ହେବାର ଆଶଙ୍କା ରହିଛି। ମୟୂରଭଞ୍ଜର ଦୁଇଟି ବ୍ଲକ୍ ସାରସକଣା ଓ ରାସଗୋବିନ୍ଦପୁର ଏବଂ ବାଲେଶ୍ୱର ଜିଲ୍ଲାର ୪ଟି ବ୍ଲକ୍ ବାଲିଆପାଳ, […]

ODRF

ODRF

Niranjan Mishra
  • Published: Sunday, 21 August 2022
  • Updated: 21 August 2022, 10:21 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାନଦୀ ସିଷ୍ଟମ୍ ପରେ ଏବେ ସୁବର୍ଣ୍ଣରେଖାରେ ବଡ଼ ବନ୍ୟାକୁ ନେଇ ଚିନ୍ତା। ଝାଡ଼ଖଣ୍ଡ ଗାଲୁଡିହ ବ୍ୟାରେଜରୁ ୧୬ ଗେଟ୍ ଖୋଲିବା ପରେ ମୟୂରଭଞ୍ଜ ଓ ବାଲେଶ୍ୱରକୁ ମାଡ଼ି ଆସୁଛି ବଡ଼ ବିପତ୍ତି।  ପ୍ରତି ସେକେଣ୍ଡରେ ଆସୁଥିବା ୬ ଲକ୍ଷ ଘନଫୁଟର ଜଳ ପ୍ରବାହରେ ଦୁଇ ଜିଲ୍ଲାର ୬ଟି ବ୍ଲକ ସ୍ଥିତି ଅତ୍ୟନ୍ତ ଗମ୍ଭୀର ହେବାର ଆଶଙ୍କା ରହିଛି।

ମୟୂରଭଞ୍ଜର ଦୁଇଟି ବ୍ଲକ୍ ସାରସକଣା ଓ ରାସଗୋବିନ୍ଦପୁର ଏବଂ ବାଲେଶ୍ୱର ଜିଲ୍ଲାର ୪ଟି ବ୍ଲକ୍ ବାଲିଆପାଳ, ଭୋଗରାଇ, ଜଳେଶ୍ୱର ଓ ବସ୍ତାରେ ସ୍ଥିତି ଅଣାୟତ୍ତ ହୋଇପଡ଼ିବାର ଆଶଙ୍କା ରହିଛି। ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ରଙ୍କ ସୂଚନା ଅନୁସାରେ, ରାଜଘାଟରେ ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଏବଂ ତାହା ଆହୁରି ବଢ଼ିବ। ଆସନ୍ତାକାଲି ଦିନ ୧୨ଟା ବେଳକୁ ଜଳସ୍ତର ସର୍ବାଧିକ ରହିବ। ଭୋଗରାଇ ଓ ବାଲିଆପାଳର କିଛି ତଳିଆ ଅଞ୍ଚଳରେ ଜଳ ପ୍ରବେଶ କରିସାରିଛି। ତେଣେ ବୈତରଣୀରେ ଜଳସ୍ତର ବିପଦ ସଂକେତ ଉପରେ ଥିଲେ ବି ତାହା ଧୀରେ ଧୀରେ କମୁଥିବା ସେ ସୂଚନା ଦେଇଛନ୍ତି।

ଏଣେ ମୁଣ୍ଡଳୀରେ ବି ମହାନଦୀର ଜଳସ୍ତର ଖସୁଛି। ତେବେ ପୁଣି ୨୩ ତାରିଖରୁ ବର୍ଷା ଆଶଙ୍କା ଥିବାରୁ ପାଣିପାଗ ବିଭାଗର ସବିଶେଷ ଆକଳନ ମିଳିବା ପରେ ଆବଶ୍ୟକ ପ୍ରସ୍ତୁତି ଓ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ।

ତେଣେ ଏସ୍ଆରସିଙ୍କ ସୂଚନା ଅନୁଯାୟୀ, ଆଜିଠୁ କାଲି ସଂଧ୍ୟା ପର୍ଯ୍ୟନ୍ତ ସୁବର୍ଣ୍ଣରେଖାର ବନ୍ୟା ସ୍ଥିତି ଗମ୍ଭୀର ରହିବାର ଆଶଙ୍କା ଥିବାରୁ ପ୍ରଭାବିତ ଅଞ୍ଚଳଗୁଡ଼ିକୁ ଅତିରିକ୍ତ ଉଦ୍ଧାରକାରୀ ଟିମ୍ ପଠାଯାଇଛି। ଦୁଇ ଜିଲ୍ଲାକୁ ଏନ୍‌ଡ଼ିଆରଏଫ୍, ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀ ସହ ମୋଟ୍ ୪୦ଟି ଅପରେସ୍ନାଲ୍ ଟିମ୍ ଯାଇଛନ୍ତି। କେବଳ ବାଲେଶ୍ୱରରେ ବନ୍ୟା ମୁକାବିଲା ଲାଗି ୨୧ଟି ରେସପନ୍ସ ଟିମ୍ ମୁତୟନ ହୋଇଛନ୍ତି। ଜଳେଶ୍ୱରରେ ୧ ଏନ୍‌ଡ଼ିଆରଏଫ୍ ସହ ୧ ଓଡ୍ରାଫ୍, ୨ ଅଗ୍ନିଶମ ଟିମ୍ ମୁତୟନ ହୋଇଛନ୍ତି। ସେହିପରି ବାଲିଆପାଳରେ ୨ ଏନ୍‌ଡ଼ିଆରଏଫ୍ ଓ ୪ଟି ଅଗ୍ନିଶମ ଟିମ୍, ଭୋଗରାଇରେ ୧ ଏନ୍‌ଡ଼ିଆରଏଫ୍ ଓ ୨ଟି ଅଗ୍ନିଶମ ଟିମ୍, ବସ୍ତା ଅଞ୍ଚଳରେ ୨ ଓଡ୍ରାଫ୍ ଓ ୨ ଅଗ୍ନିଶମ ଟିମ୍, ରେମୁଣାରେ ଗୋଟିଏ ଓଡ୍ରାଫ୍ ଓ ଗୋଟିଏ ଅଗ୍ନିଶମ ଟିମ୍, ବାଲେଶ୍ୱର ସଦରରେ ୧ ଓଡ୍ରାଫ୍ ଓ ୧ ଅଗ୍ନିଶମ ଟିମ୍ ମୁତୟନ ହୋଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ବାଲେଶ୍ୱର ଜିଲ୍ଲାପାଳଙ୍କୁ ଏସ୍ଆରସି କ୍ଷମତା ଦିଆଯାଇଛି। ଆବଶ୍ୟକସ୍ଥଳେ ଉଦ୍ଧାର କାର୍ଯ୍ୟରେ ସ୍ୱତନ୍ତ୍ର ହେଲିକପ୍ଟରର ବ୍ୟବହାର ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବୁଢ଼ାବଳଙ୍ଗ, ଜଳକା ବନ୍ୟାରେ ବାଲେଶ୍ୱର ସଦର ଓ ରେମୁଣା ବ୍ଲକର ବ୍ୟାପକ ଅଞ୍ଚଳ ଜଳମଗ୍ନ ଥିବା ବେଳେ ସୁବର୍ଣ୍ଣରେଖାର ବନ୍ୟା ଏହି ଜିଲ୍ଲା ପାଇଁ ବଡ଼ ବିପତ୍ତି ଆଣି ଠିଆ କରିଛି।

ସନ୍ଧ୍ୟା ୬ଟା ସୁଦ୍ଧା ରାଜଘାଟ ନିକଟରେ ସୁବର୍ଣ୍ଣରେଖା ବିପଦ ସଙ୍କେତ ଟପିଲା ଥିଲା। ସୁବର୍ଣ୍ଣରେଖାର ବିପଦ ସଙ୍କେତ ୧୦.୩୬ ମି. ଥିବା ବେଳେ ଏହା ୧୧.୦୧ ମି. ଉପରେ ପ୍ରବାହିତ ହେଉଥିଲା। ସେହିପରି ଜାମଶୋଳା ଘାଟରେ ମଧ୍ୟ ବିପଦ ସଂକେତ ଉପରେ ପ୍ରବାହିତ ସୁବର୍ଣ୍ଣରେଖା। ଏଠାରେ ବିପଦ ସଙ୍କେତ ୪୯.୧୬ ମି. ଥିବା ବେଳେ ବନ୍ୟା ଜଳ ୫୩.୫୪ ମି. ଉପରେ ପ୍ରବାହିତ ହେଉଥିଲା। ମଥାନିଠାରେ ଜଳକା ମଧ୍ୟ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଜଳକାର ବିପଦ ସଙ୍କେତ ୫.୫୦ ମି. ଥିବା ବେଳେ ବନ୍ୟା ଜଳ ୬.୭୦ ମି. ଉପରେ ପ୍ରବାହିତ ହେଉଥିଲା। ଜାତୀୟ ରାଜପଥ ୫ ନିକଟରେ ସତର୍କ ସଙ୍କେତ ଉପରେ ବୁଢ଼ାବଳଙ୍ଗ ପ୍ରବାହିତ ହେଉଛି। ଏଠାରେ ସତର୍କ ସଙ୍କେତ ୭.୨୧ ମି. ଥିବା ବେଳେ ବନ୍ୟା ଜଳ ୭.୩୬ ମି. ଉପରେ ପ୍ରବାହିତ ହେଉଥିଲା।

ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକର ୧୦ଟି ପଞ୍ଚାୟତ ଜଳକା ବନ୍ୟାରେ ପ୍ରଭାବିତ ହୋଇଛି। ବ୍ୟାପକ ଚାଷ ଜମି ଜଳମଗ୍ନ ହୋଇଛି। ତଳିଆ ଅଞ୍ଚଳ ମଥାନୀ, ପେଗର, ଦୁଧାଂନଶା ଭଳି ଅନେକ ଗାଁରେ ପାଣି ପଶିଯାଇଛି। ଫଳରେ ଲୋକେ ଦୁର୍ଦ୍ଦଶା ଭୋଗୁଛନ୍ତି।

ପ୍ରବଳ ବର୍ଷା ଓ ବନ୍ୟା ଯୋଗୁ ମୟୂରଭଞ୍ଜ ଜିଲ୍ଲାର ୨୬ ବ୍ଲକରୁ ୧୦୪ ପଞ୍ଚାୟତ ପ୍ରଭାବିତ ହୋଇଛି। ଜିଲ୍ଲାରେ ମୋଟ ୬୦୦ କଚ୍ଚା ଘର ଆଂଶିକ କ୍ଷତି ହୋଇଥିବା ବେଳେ ୫୦ କୁଡିଆ ଏବଂ ୪୦ ଗୁହାଳ ସଂପୂର୍ଣ୍ଣ ନଷ୍ଟ ହୋଇଥିବା ଜିଲ୍ଲା ପ୍ରଶାସନ ପ୍ରାଥମିକ ଆକଳନ ରିପୋର୍ଟ କରିଛି। ସେହିପରି ପାଞ୍ଚଟି ଚାଳ ଘର ସଂପୂର୍ଣ୍ଣ ନଷ୍ଟ ହୋଇଥିବା ଜଣାପଡିଛି। ଜିଲ୍ଲାରେ ମୋଟ ୧୧ ଶହ ହେକ୍ଟର ଚାଷଜମି ଏବଂ ଦୁଇ ହେକ୍ଟର ପରିବା ଚାଷ ଜମି ନଷ୍ଟ ହୋଇଥିବା ମଧ୍ୟ ପ୍ରାଥମିକ ଆକଳନରୁ ଜଣାପଡିଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos