ସ୍କୁଲ ପିଲାଟିର ଟ୍ୱିଟ୍ ପରେ ବଦଳିଲା ‘ମୋ ବସ୍’ ସମୟ
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶୀର୍ଷକ ପଢ଼ିଲା ପରେ ଆପଣଙ୍କୁ ହୁଏତ ବିଶ୍ୱାସ ହେଉନଥିବ, କିନ୍ତୁ ଏହା ସତ। ରାଜଧାନୀ ଭୁବନେଶ୍ୱରରେ ସେବା ଯୋଗାଉଥିବା ‘ମୋ ବସ୍ ’ ଏକ ନିର୍ଦ୍ଦିଷ୍ଟ ମାର୍ଗରେ ନିଜର ଚଳପ୍ରଚଳର ସମୟରେ ପରିବର୍ତ୍ତନ କରିଛି। ତା’ପୁଣି ଜଣେ ସ୍କୁଲ ଛାତ୍ରର ଟ୍ୱିଟ୍ ଆଧାରରେ।
ଦୀର୍ଘ ୯ମାସ ପରେ ସ୍କୁଲ ଖୋଲିବାପରେ ଭୁବନେଶ୍ୱରର ଏମବିଏସ୍ ପବ୍ଲିକ ସ୍କୁଲରେ ପଢ଼ୁଥିବା ଜଣେ ଛାତ୍ର ସାଇ ଅନ୍ୱେଷ ଅମୃତମ ପ୍ରଧାନ ଟ୍ୱିଟ୍ ମାଧ୍ୟମରେ ‘ମୋ ବସ୍ ’ ସମୟରେ ପରିବର୍ତ୍ତନ ଯୋଗୁ ସେ ଠିକ୍ ସମୟରେ ସ୍କୁଲ ପହଂଚିବା ସମ୍ଭବପର ହେଉନଥିବା ନେଇ ‘କ୍ରୁଟ୍ ଭୁବନେଶ୍ୱର’ ଓ ଏହାର ମୁଖ୍ୟ ଅରୁଣ ବ୍ରୋଥାଙ୍କୁ ଗତକାଲି(ଶୁକ୍ରବାର) ଅବଗତ କରିଥିଲେ। ଆଉ ଏହି ଟ୍ୱିଟ୍ ଉପରେ ତତ୍କାଳ ପଦକ୍ଷେପ ନେଇ ଛାତ୍ରଙ୍କ ସୁବିଧା ନିମନ୍ତେ ଆସନ୍ତା ସୋମବାରଠାରୁ ସେହି ନିର୍ଦ୍ଦିଷ୍ଟ ମାର୍ଗରେ ଚଳପ୍ରଚଳ କରୁଥିବା ‘ମୋ ବସ’ର ସମୟରେ ପରିବର୍ତ୍ତନ କରିଛନ୍ତି। ଶ୍ରୀ ବୋଥ୍ରା ନିଜେ ଆଜି ଟ୍ୱିଟ୍ କରି ଏହି ସୂଚନା ମଧ୍ୟ ଦେଇଛନ୍ତି।
Dear Sai#MoBus moves with love of commuters like you. The timing of your bus will be changed from Monday. The first bus will start at 7 AM. You won't be late for school.
With affection from entire team of @CRUT_BBSR. https://t.co/kimd85bXIg
— Arun Bothra (@arunbothra) January 9, 2021
ସୂଚନା ଅନୁସାରେ, ଏମବିଏସ୍ ପବ୍ଲିକ ସ୍କୁଲର ଛାତ୍ର ଶ୍ରୀ ପ୍ରଧାନ ଟ୍ୱିଟ୍ ମାଧ୍ୟମରେ ‘କ୍ରୁଟ୍ ଭୁବନେଶ୍ୱର’ ଓ ଏହାର ପରିଚାଳନା ନିର୍ଦ୍ଦେଶକ ଅରୁଣ ବ୍ରୋଥାଙ୍କୁ ଜଣାଇଥିଲେ ଯେ, ଦୈନିକ ସ୍କୁଲ ଯିବା ପାଇଁ ସେ ମୋ ବସ୍ ସେବା ଉପଯୋଗ କରନ୍ତି। କିନ୍ତୁ ଏବେ ବସ୍ ସମୟରେ ପରିବର୍ତ୍ତନ ହୋଇଯାଇଛି। ତାଙ୍କର ସ୍କୁଲରେ ରିପୋର୍ଟିଂ କରିବା ସମୟ ସକାଳ ସାଢ଼େ ୭ଟା ହୋଇଥିବାବେଳେ ସେ ରହୁଥିବା ଲିଙ୍ଗିପୁର ଦେଇ(ରୁଟ୍ ନମ୍ବର-୧୩) ପ୍ରଥମ ବସ୍ ସକାଳ ୭ଟା ୪୦ମିନିଟରେ ଲିଙ୍ଗିପୁରରୁ ଛାଡ଼ୁଛି। ତେଣୁ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ସେ ଅନୁରୋଧ କରିଥିଲେ।
ଆଉ ଛାତ୍ର ଶ୍ରୀ ପ୍ରଧାନଙ୍କର ଗତକାଲିର ଏହି ଟ୍ୱିଟ୍ ଉପରେ ଆଜି ସକାଳେ କ୍ରୁଟ୍ (କ୍ୟାପିଟାଲ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ) ପ୍ରତିକ୍ରିୟା ଦେଇ ଏହା ଉପରେ ଯାହାକିଛି କରାଯାଇପାରିବ ସେ ଦିଗରେ ପଦକ୍ଷେପ ନିଆଯିବ ବୋଲି ଆଶ୍ୱାସନା ଦେଇଥିଲା। ତେବେ କ୍ରୁଟ୍ ପରିଚାଳନା ନିର୍ଦ୍ଦେଶକ ଅରୁଣ ବ୍ରୋଥା ଆଜି ଅପରାହ୍ନରେ ଟ୍ୱିଟ୍ ମାଧ୍ୟମରେ ସମ୍ପୃକ୍ତ ସ୍କୁଲ ଛାତ୍ର ଶ୍ରୀ ପ୍ରଧାନଙ୍କୁ ସେହି ରୁଟ୍ରେ ଚାଲୁଥିବା ବସ୍ର ସମୟରେ ପରିବର୍ତ୍ତନ କରାଯାଇଛି ଓ ସ୍କୁଲ ପହଂଚିବାରେ ବିଳମ୍ବ ହେବ ନାହିଁ ବୋଲି ଜଣାଇଛନ୍ତି। ପ୍ରଥମ ବସ୍ ସକାଳ ୭ଟାରେ ଛାଡ଼ିବ ବୋଲି ସେ କହିଛନ୍ତି।
କ୍ରୁଟ୍ ଭୁବନେଶ୍ୱରର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବୋଥ୍ରାଙ୍କର ଏଭଳି ପଦକ୍ଷେପକୁ ସୋସିଆଲ ମିଡିଆରେ ବେଶ୍ ପ୍ରଶଂସା କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।