ଗୃହମନ୍ତ୍ରୀଙ୍କ ବହିଷ୍କାର ଦାବି: ନବୀନ ନିବାସ ଘେରିଲା ଛାତ୍ର କଂଗ୍ରେସ, ଡିଜି ଅଫିସରେ ଯୁବ କଂଗ୍ରେସ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ସମ୍ପୃକ୍ତ ଅଭିଯୋଗରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ଗିରଫ ଦାବିରେ ଉଭୟ ଛାତ୍ର ଓ ଯୁବ କଂଗ୍ରେସ ଆଜି ନିଜର ଶକ୍ତି ପ୍ରଦର୍ଶନ କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନ ନବୀନ ନିବାସକୁ ଛାତ୍ର କଂଗ୍ରେସ ଓ କଟକସ୍ଥିତ ଡିଜି ଅଫିସକୁ ଯୁବ କଂଗ୍ରେସ କର୍ମୀମାନେ ଆଜି ଘେରାଉ କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ଆଜି ପ୍ରଦେଶ ଛାତ୍ର […]

congress

Ordigital Desk
  • Published: Tuesday, 26 October 2021
  • , Updated: 26 October 2021, 10:24 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ସମ୍ପୃକ୍ତ ଅଭିଯୋଗରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ଗିରଫ ଦାବିରେ ଉଭୟ ଛାତ୍ର ଓ ଯୁବ କଂଗ୍ରେସ ଆଜି ନିଜର ଶକ୍ତି ପ୍ରଦର୍ଶନ କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନ ନବୀନ ନିବାସକୁ ଛାତ୍ର କଂଗ୍ରେସ ଓ କଟକସ୍ଥିତ ଡିଜି ଅଫିସକୁ ଯୁବ କଂଗ୍ରେସ କର୍ମୀମାନେ ଆଜି ଘେରାଉ କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।

ଆଜି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ନେତୃତ୍ୱରେ କଳାହାଣ୍ଡି ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟାରେ ସଂପୃକ୍ତ ଗୃହ ରାଷ୍ଟମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ଗିରଫ ଦାବିରେ ପ୍ରଦେଶ ଛାତ୍ର କଂଗ୍ରେସ ନବୀନ ନିବାସ ଘେରାଉ କରିଥିଲା । ଏଥିରେ ସାରା ରାଜ୍ୟର ହଜାର ହଜାର ଛାତ୍ର କଂଗ୍ରେସ ନେତା ଓ କର୍ମୀ ତଥା ଛାତଛାତ୍ରୀମାନେ ସାମିଲ ହୋଇଥିଲେ । ଭୁବନେଶ୍ୱରରୁ ବିଭିନ୍ନ କୋଣରୁ ମୋଟର ସାଇକେଲ ର‌୍ୟାଲିରେ ଆସି ଛାତ୍ରନେତାମାନେ ଫରେଷ୍ଟ ପାର୍କଠାରେ ଏକଜୁଟ ହୋଇଥିଲେ। ତାପରେ ଏକ ବିଶାଳ ର‌୍ୟାଲି ନବୀନ ନିବାସ ଆଡ଼କୁ ମାଡ଼ି ଯାଇଥିଲେ । ବାଟରେ ର‌୍ୟାଲି ଦୁଇଭାଗ ହୋଇଥିଲା । ୫୦୦ରୁ ଊର୍ଦ୍ଧ୍ୱ ଛାତ୍ର କଂଗ୍ରେସ ନେତା ଓ କର୍ମୀ ମୁଖ୍ୟ ର‌୍ୟାଲିରୁ ବାହାରି ଏୟାରପୋର୍ଟ ଛକ ଆଗରେ ପହଂଚି ନବୀନ ନିବାସ ଆଡ଼କୁ ଧସେଇ ପସିଥିଲେ। ନବୀନ ନିବାସକୁ ସୁରକ୍ଷା ଦେବା ପାଇଁ ସେଠାରେ ଶତାଧିକ ପୁଲିସ ବାରିକେଡ କରି ବିକ୍ଷୋଭକାରୀଙ୍କୁ ଅଟକାଇଥିଲା। ପୋଲିସ ସହ ସଂଘର୍ଷରେ କିଛି ଛାତ୍ର ନେତା ଆହତ ହୋଇ କ୍ୟାପିଟାଲ ହସପିଟାଲରେ ଚିକିତ୍ସିତ ହେଉଛନ୍ତି।

ଏହି ଅବସରରେ ଛାତ୍ର ସଭାପତି ୟାସିର ନୱାଜ କହିଛନ୍ତି ଯେ ପୁଲିସ ବଳୟ ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେତେଦିନ ଆତ୍ମଗୋପନ କରିବେ? ଶିକ୍ଷୟିତ୍ରୀ ମମିତା ମେହେରର ହତ୍ୟାକାରୀ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବଂଚାଇବା ପାଇଁ ମୁଖ୍ୟମନ୍ତ୍ରୀ କୌଶଳକ୍ରମେ ସମସ୍ତ ପ୍ରମାଣ ନଷ୍ଟ କରିବାକୁ ଚକ୍ରାନ୍ତ କରିଛନ୍ତି । ନବୀନ ସରକାରଙ୍କ ୨୨ ବର୍ଷର କୁଶାସନରେ ବେବିନା, ଇତିଶ୍ରୀ, କୁନ୍ଦୁଲି ଛାତ୍ରୀ,ସ୍ମିତା ରାଣୀ, ମାଧବୀ ଲତା, ପରୀ ପ୍ରଭୃତି ଅନେକ ନିରୀହ ମହିଳା ବିଜେଡ଼ି ମନ୍ତ୍ରୀ, ବିଧାୟକ, ସାଂସଦ ଓ ନେତାଙ୍କଦ୍ୱାରା ହତ୍ୟାର ଶୀକାର ହୋଇଛନ୍ତି ଏବଂ ମୁଖ୍ୟମନ୍ତ୍ରୀ ନବୀନ ବାବୁ ସେଇ ନିରୀହ ମହିଳାମାନଙ୍କୁ ନ୍ୟାୟ ଦେବେ କ’ଣ, ପାପକୁ ଘୋଡାଇ ପକାଉଛନ୍ତି । ସୁତରାଂ ଶିକ୍ଷୟିତ୍ରୀ ମମିତାର ପରିବାର ନ୍ୟାୟ ନ ପାଇବା ପର୍ଯ୍ୟନ୍ତ ଛାତ୍ର କଂଗ୍ରେସ ରାଜରାସ୍ତାରେ ଲଢ଼େଇରୁ ହଟିବ ନାହିଁ ।

ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ପ୍ରଭାରୀ ସୁଶ୍ରୀ ଅନୁଲେଖା ବୋଷ, ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟାନୟକ, ସୁରେଶ କୁମାର ରାଉତରାୟ, ରଜତ ଚୌଧୁରୀ, ପ୍ରକାଶ ମିଶ୍ର, ମନୋଜ ବଶ୍ୱାଳ, ମନୋଜ ମହାପାତ୍ର, ଅଜୟ ସାହୁ, ନିହାର ବେହେରା, କିରଣ ସାହୁ, ଦୀପ୍ତି ରଞ୍ଜନ ପରିଡ଼ା, ସୁନିଲ ମାଟିଆ, ଅର୍ମାନ ଜେନା, ବିପ୍ଳବ ପରିଡ଼ା, ମହମ୍ମଦ ଗୁଲଫାମ, ସାଗର ପଟ୍ଟନାୟକ, ରଞ୍ଜିତ ସେନାପତି, ବାବୁ ଜେନା, ଅଭିରାମ ଗୌଡ଼, କାର୍ତିକେଶ୍ୱର କାଣ୍ଡି, ଆଲୋକ ଲେଙ୍କା, ବଟକୃଷ୍ଣ ରାଉତରାୟ, ବିଶ୍ୱଭୂଷଣ ମହାପାତ୍ର, ଅଖିଳେଷ ଯାଦବ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

ସେହିପରି ଯୁବ କଂଗ୍ରେସ କର୍ମୀମାନେ ଆଜି କଟକସ୍ଥିତ ପୁଲିସ ଡିଜି କାର୍ଯ୍ୟାଳୟ ଘେରାଉ କରି ୭୨ଘଣ୍ଟା ମଧ୍ୟରେ ଗୃହମନ୍ତ୍ରୀଙ୍କୁ ଗିରଫ କରିବା ନିମନ୍ତେ ଦାବିପତ୍ର ଦେଇଛନ୍ତି । ନହେଲେ ଆସନ୍ତା ୩୦ତାରିଖରେ ଯୁବ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଘେରାଉ କରାଯିବ ଏବଂ ଏଥିସହ ମନ୍ତ୍ରୀଙ୍କୁ ସବୁ ସ୍ଥାନରେ କଳାପତାକା ଦେଖାଇ ରାଜ୍ୟବ୍ୟାପୀ ବିରୋଧ କରାଯିବ ବୋଲି ଯୁବ କଂଗ୍ରେସ ସଭାପତି ସ୍ମୃତିରଞ୍ଜନ ଲେଙ୍କା ଚେତାବନୀ ଦେଇଥିଲେ । ଯୁବ କଂଗ୍ରେସ ସଭାପତି ଶ୍ରୀ ଲେଙ୍କାଙ୍କ ନେତୃତ୍ୱରେ ଶତାଧିକ କର୍ମୀ ବକ୍ସିବଜାର ଛକଠାରୁ ଶୋଭାଯାତ୍ରାରେ ବାହାରି ପୁଲିସ ଡିଜିଙ୍କ କାର୍ଯ୍ୟାଳୟରେ ପହଂଚିଥିଲେ । ସେଠାରେ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ଉପସ୍ଥିତିରେ ଯୁବ କଂଗ୍ରେସ ସଭାପତି ଶ୍ରୀ ଲେଙ୍କା ଓ ଅନ୍ୟ କର୍ମକର୍ତାମାନେ

ପୋଲିସ ଡିଜିଙ୍କୁ ଭେଟି ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାର ନିରପେକ୍ଷ ତଦନ୍ତ ହେଉନଥିବା ଅଭିଯୋଗ କରିଥିଲେ । ମାମଲାର ଉପଯୁକ୍ତ ତଦନ୍ତ ପାଇଁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ୭୨ ଘଂଟା ମଧ୍ୟରେ ଗିରଫ କରିବାକୁ ଶ୍ରୀ ଲେଙ୍କା ଦାବି କରିଥିଲେ । ନଚେତ ଆସନ୍ତା ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଯୁବ କଂଗ୍ରେସ କର୍ମୀ ଘେରାଉ କରିବେ ବୋଲି ସେ କହିଥିଲେ । ଏନେଇ ପୋଲିସ ମହାନିର୍ଦ୍ଦେଶକଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା ।
ସେହିପରି ବିଧାୟକ ମହମ୍ମଦ ମୋକିମ ମଧ୍ୟ ଯଦି ତୁରନ୍ତ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ଗଣତାନ୍ତ୍ରିକ ଉପାୟରେ ରାଜ୍ୟବ୍ୟାପୀ ଆନ୍ଦୋଳନ ଜାରଦାର ହେବ ବୋଲି କହିଥିଲେ । ଦାବିପତ୍ର ପ୍ରଦାନ ସମୟରେ ଉପସଭାପତି ମହମ୍ମଦ ଅଲିମ, ବୀରେନ୍ଦ୍ର ବାଗ, ସୁନିତା ବାଗ, ବିଶ୍ୱରଞ୍ଜନ ଦାଶ, ଆର୍ଯ୍ୟବୀର ଲେଙ୍କା, ତ୍ରିଲୋଚନ ପାଣିଗ୍ରାହୀ, ବିକି ଚକ୍ରବର୍ତୀ, ସାଉଲ ମଙ୍ଗରାଜ, ପ୍ରଶାନ୍ତ ମଲ୍ଲିକ, ସତ୍ୟପ୍ରକାଶ ସାମଲ, ମହମ୍ମଦ ସାହେବ, ଅମ୍ରିତା ଦାଶ, ପ୍ରଦୀପ ସାହୁ, ଜ୍ଞାନରଞ୍ଜନ ରାଉତ, ମନୋରଞ୍ଜନ ପଟ୍ଟନାୟକ ଓ କମଳ ଚରଣ କାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ ।

Related story