ଆଳି(ବନମାଳି ସାହୁ): 'ଖାଇବାକୁ ବସିଥିଲି। ହଠାତ ବାଜି ଉଠିଲା ଯୁଦ୍ଧ ସାଇରନ୍। ମାଡ ହେଲା ମିସାଇଲ୍। ଭୟରେ ଥରି ଉଠିଲା ଛାତି। ଶୀଘ୍ର ରୁମ୍ ଖାଲି କରି ତଳକୁ ଚାଲିଆସିଲୁ। ଆଉ ବଙ୍କର ଭିତରେ କାଟିଲୁ ରାତି। ପାଖରେ କିଛି ଖାଇବାକୁ ନଥିବା ବେଳେ କେବଳ ପାଣି ପିଇ ଓ ବିସ୍କୁଟ ଖାଇ କାଟିବାକୁ ପଡିଥିଲା ଦିନ।' ଏଭଳି କିଛି ଯୁଦ୍ଧର ଲୋମଟାଙ୍କୁରା କାହାଣୀ ବଖାଣିଛନ୍ତି ୟୁକ୍ରେନ୍ରୁ ଫେରିଥିବା ଓଡ଼ିଆ ଛାତ୍ର।
କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ମାଳପଟଣା ଗାଁର ଶୁଭ୍ରକାନ୍ତ ଲେଙ୍କା। ସେ ଡିସେମ୍ବର ମାସରେ ଡାକ୍ତରୀ ପାଠ ପଢ଼ିବା ପାଇଁ ୟୁକ୍ରେନ ଯାଇଥିଲେ। ୟୁକ୍ରେନର ଟର୍ଣ୍ଣୋପିଲ ନ୍ୟାସନାଲ ମେଡିକାଲ ୟୁନିଭରସିଟିରେ ଶୁଭ୍ରକାନ୍ତ ଡାକ୍ତରୀ ପାଠ ପଢ଼ୁଥିଲେ। ସେ ସେଠାକାର ପ୍ରଥମ ବର୍ଷର ଡାକ୍ତରୀ ଛାତ୍ର ଭାବରେ ଲିଭିସ୍କ ଷ୍ଟ୍ରିଟ-୯ ହଷ୍ଟେଲରେ ରହୁଥିଲେ। ତେବେ ଫେବ୍ରୁଆରୀ ୨୪ ତାରିଖ ସକାଳୁ ଉଠିବା ପରେ ରୁଷ ୟୁକ୍ରନ୍ ଉପରେ ଆକ୍ରମଣ କରିଥିବା ଖବର ସେ ଜାଣଇବାକୁ ପାଇଥିଲେ। ତା' ପରଦିନ ରାତିରେ ଖାଇବା ତିଆରି କରୁଥିବା ସମୟରେ ହଠାତ ଏମରଜେନ୍ସି ସାଇରନ ବାଜି ଉଥିଠିଲା। ଏହାପରେ ଘନ ଘନ ମାଡ ହୋଇଥିଲା ମସାଇଲ ସାଙ୍ଗକୁ ରକେଟ୍। ଭୟରେ ଥରି ଉଠିଥିଲେ ଶୁଭ୍ରକାନ୍ତଙ୍କ ସମେତ ହଷ୍ଟେଲ ଭିତରେ ଥିବା ସମସ୍ତ ଛାତ୍ର।
ପରେ ଶୁଭ୍ରକାନ୍ତ ଓ ଅନ୍ୟ ୨୦ ଭାରତୀୟ ଛାତ୍ରଙ୍କ ସମେତ ସମସ୍ତ ଛାତ୍ର ଜରୁରୀ କାଗଜପତ୍ର ଧରି ଛାତ୍ରାବାସ ତଳକୁ ଚାଲି ଆସିଥିଲେ। ସେଠାରୁ ଏକ ବଙ୍କର ଭିତରେ ତାଙ୍କୁ ରଖାଯାଇଥିଲା। ସେଠାରେ ସେମାନେ ଗୋଟିଏ ଦିନ ବିତାଇଥିଲେ। ଏହାପରେ ୟୁକ୍ରେନ୍ ଛାଡିବା ପାଇଁ ଆରମ୍ଭ ହୋଇଥିଲା ସଂଘର୍ଷ। ବସରେ ୟୁକ୍ରେନ୍ ପୋଲାଣ୍ଡ ସୀମା ଆଡକୁ ଯାଇଥିଲେ। କିନ୍ତୁ ଟ୍ରାଫିକ ଯୋଗୁଁ ତାଙ୍କୁ ୫୦ କିଲୋମିଟର ଦୂରରୁ ଓହ୍ଲାଇବାକୁ ପଡିଥିଲା। ପୋଲାଣ୍ଡ ସୀମାରେ ପହଞ୍ଚିବା ପାଇଁ ଶୁଭ୍ରକାନ୍ତ ଓ ଅନ୍ୟ ଛାତ୍ରମାନଙ୍କୁ ଚାଲିବାକୁ ପଡିଥିଲା ମାଇଲ ମାଇଲ ବାଟ। ପ୍ରାୟ ୨ରୁ ୩ ଦିନ ଚାଲିବା ପରେ ସେମାନେ ପୋଲାଣ୍ଡ ସୀମାରେ ପହଞ୍ଚିଥିଲେ।
ଯୁଦ୍ଧଭୂମିରେ ଗୋଟିଏ ସପ୍ତାହର ଆତଙ୍କିତ ଜୀବନ କାଟିବା ପରେ ୬ ତାରିଖ ବିଳମ୍ବିତ ରାତିରେ ନିଜ ଘର ମାଳପାଟଣାରେ ପହଞ୍ଚିଥିବା ଓଡ଼ିଆ ଛାତ୍ର ଶୁକ୍ରକାନ୍ତ ଏଭଳି କିଛି ଫେରନ୍ତା ବାଟର ଲୋମଟାଙ୍କୁରା ଦୁଃଖଦ କାହାଣୀ ବଖାଣିଛନ୍ତି। ସେପଟେ ଯୁଦ୍ଧ ହେବା କଥା ଶୁଣି ଶୁଭ୍ରକାନ୍ତଙ୍କ ପରିବାର ଲୋକେ ପୁଅର ଫେରିବା ବାଟକୁ ଚାହିଁ ରହିଥିଲେ। ଏବେ ପୁଅ ଫେରିବା ପରେ କାନ୍ଦ ବୋବାଳିରେ ଫାଟି ପଡୁଥିବା ପରିବାରରେ ଖୁସିର ଲହରୀ ଖେଳିଯାଇଛି।
କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପରିବାର ଲୋକେ କୃତଜ୍ଞତା ଜଣାଇଛନ୍ତି। ଶୁଭ୍ରକାନ୍ତଙ୍କ ଡାକ୍ତରୀ ପାଠପଢାର ଆଗକୁ ଯେପରି ଜାରି ରହିବ ସେ ନେଇ କିଛି ବ୍ୟବସ୍ଥା କରିବା ପାଇଁ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି ପରିବାର ଲୋକେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।