ନାତିକୁ ପୋଢୁଆଁ ପାଇଁ ଆସିଥିଲେ, ଅଜାକୁ ଶେଷ କରିଦେଲା ଜ୍ୱାଇଁ

ବାରିପଦା (ମାଣିକ ଲାଲ ପାଣି): ଅଜା ଆସିଥିଲେ ନାତିକୁ ପୋଢୁଆଁ କରିବା ପାଇଁ । ହେଲେ ଜ୍ୱାଇଁ ସହ ବିବାଦ ହେଲା। ଆଉ ଉଭୟଙ୍କ ମଧ୍ୟରେ ବଚସାରୁ ଘଟିଲା ମର୍ଡ଼ର। ଶ୍ଵଶୁରଙ୍କ ଗୋଡ଼ ହାତ ବାନ୍ଧି ବେକ କାଟି ନୃଶଂସ ଭାବେ ହତ୍ୟା କରାଯାଇଛି । ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଖୁଣ୍ଟା ପୁର ଗାଁରେ ଏମିତି ଏକ ଅଭାବନୀୟ ଘଟଣା ଘଟିଛି।

ଆଜି ଖିରିପଦା ଗାଁର ରମେଶ ସିଂ ତାଙ୍କ ୬ ବର୍ଷର ନାତିକୁ ପଢୁଆଁ କରିବା ପାଇଁ ଖୁଣ୍ଟା ପୁର ଗାଁକୁ ଯାଇଥିଲେ ।ତେବେ ପୂର୍ବରୁ ବିବାଦ ଉପୁଜି ଝିଅ ବାପଘରେ ରହୁ ଥିବା ଯୋଗୁଁ ଶ୍ଵଶୁର ଏବଂ ଜ୍ୱାଇଁଙ୍କ ମଧ୍ୟରେ ବିବାଦ ଉପୁଜିଥିଲା ।  ତେବେ ପୂର୍ବ ଘଟଣାକୁ କେନ୍ଦ୍ର କରି ଆଜି ଉଭୟ ଶ୍ଵଶୁର- ଜ୍ୱାଇଁଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇ ପରିସ୍ଥିତି ଚରମସୀମାରେ ପହଞ୍ଚି ଥିଲା। ଆଉ ଶ୍ଵଶୁର ରମେଶଙ୍କ ଗୋଡ ହାତ ବାନ୍ଧି ତାଙ୍କ ବେକକୁ ଦାରେ କାଟି ହତ୍ୟା କରାଯାଇଛି। ଅତ୍ୟଧିକ ରକ୍ତ ସ୍ରାବ ହେବାରୁ ଘଟଣାସ୍ଥଳରେ ଶ୍ଵଶୁରଙ୍କ ମୃତ୍ୟୁ ହୋଇଛି । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ହେଲେ ଅଭିଯୁକ୍ତ ଜ୍ୱାଇଁ ରାଜୁ ସିଂ ଏବଂ ତା ଭାଇ ଲବ ସିଂ ଘରୁ ଫେରାର ହୋଇଯାଇଛନ୍ତି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।