ଚୌଦ୍ଵାର(ଓଡ଼ିଶା ରିପୋର୍ଟର): ସ୍ତ୍ରୀ, ପିଲା ଦେହ ଭଲ ରହୁ ନ ଥିବାରୁ ଗାଁର ଜଣେ ବୃଦ୍ଧାଙ୍କୁ ଡାହାଣୀ ସନ୍ଦେହ କରୁଥିଲେ ବ୍ୟକ୍ତି। ଡାକ୍ତର ଦେଖାଇ ସୁସ୍ଥ କରିବା ପରିବର୍ତ୍ତେ ମହିଳାଜଣକ ଗୁଣି କରି ଏପରି କାଣ୍ଡ ଘଟାଉଥିବା ଭାବୁଥିଲେ। ଏହି ସନ୍ଦେହ କ୍ରମଶଃ ଘନିଭୂତ ହୋଇ ନେଲା ଉଗ୍ର ରୂପ । ଶେଷରେ ବ୍ୟକ୍ତିଜଣକ ମହିଳାଙ୍କ ତଣ୍ଟିକୁ ଧାରୁଆ ଅସ୍ତ୍ରରେ କାଟି ଦେଇଛନ୍ତି। ଏପରି ଅମାନବୀୟ ଘଟଣା କଟକ ଜିଲ୍ଲା ଟାଙ୍ଗୀ ଥାନା ଗରୁଡ଼ଗାଁ ପଞ୍ଚାୟତ ଚନ୍ଦନପୁର ଗାଁରେ ଘଟିଛି। ମୃତା ମହିଳାଜଣକ ହେଲେ ମୀନା ଚାତର ।
ଚନ୍ଦନପୁର ଗାଁର ବାଗୁନ ପୂର୍ତ୍ତି ନାମକ ବ୍ୟକ୍ତିଙ୍କ ପିଲା ଓ ସ୍ତ୍ରୀର ଦେହ ଅନେକ ସମୟରେ ଖରାପ ହେଉଥିଲା । ଦେହ ଖରାପ ହେଉଥିବାର କାରଣ ରୋଗ ନୁହେଁ ବରଂ ସେହି ଗ୍ରାମରେ ଥିବା ମୀନା ଚାତର ବୋଲି ସେ ସନ୍ଦେହ କରୁଥିଲେ ।
[caption id="attachment_789624" align="aligncenter" width="650"] ଘଟଣାସ୍ଥଳରେ ଶୋକାକୁଳ ପରିବାର।[/caption]
ମୀନା ଡାହାଣୀ ହୋଇଥିବାରୁ ସେ ଗୁଣି କରି ଏପରି କରୁଥିବା ବିଶ୍ୱାସ କରୁଥିଲେ ବାଗୁନ ପୂର୍ତ୍ତି । ଏହାକୁ ନେଇ ଉଭୟ ପରିବାର ମଧ୍ୟରେ ପୂର୍ବରୁ ଝଗଡ଼ା ବି ଲାଗିଥିଲା। ଏହାପରେ ମିନା ଗତକାଲି ଘର ଅଗଣାରେ ବସିଥିବା ବେଳେ ସୁଯୋଗ ଦେଖି ବାଗୁନ ଏକ ଧାରୁଆ ଅସ୍ତ୍ରରେ ତାଙ୍କ ବେକ କାଟି ହତ୍ୟା କରିଥିଲେ। ତୁରନ୍ତ ମିନାଙ୍କ ପରିବାର ଲୋକେ ପହଞ୍ଚି ସେ ରକ୍ତାକ୍ତ ଅବସ୍ଥାରେ ପଡିଥିବା ବେଳେ ତାଙ୍କ ମୃତ୍ୟୁ ହୋଇ ଯାଇଥିବା ଦେଖିବାକୁ ପାଇଲେ।
ଅଭିଯୋଗ ପାଇ ଟାଙ୍ଗୀ ପୁଲିସ ସାଇଣ୍ଟିଫିକ ଟିମ୍ ସହ ଘଟଣା ସ୍ଥଳରେ ପହଞ୍ଚି ଶବ ବ୍ୟବଛେଦ ପାଇଁ କଟକ ବଡ ମେଡିକାଲ ପଠାଇଛି । ଘଟଣା ଘଟାଇ ହତ୍ୟାକାରୀ ଫେରାର ହୋଇଯାଇଛି । ଆଜିବି ଏଭଳି ଅନ୍ଧ ବିଶ୍ୱାସରେ ଲୋକଙ୍କ ଜୀବନ ଯାଉଥିବା ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।