କରଞ୍ଜିଆ (ଦୀପକ ମହାନ୍ତ): ଦେଓ ପ୍ରକଳ୍ପ ଅଧିକାରୀଙ୍କ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ କରଞ୍ଜିଆ ଉପଖଣ୍ଡ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଛି। ଏହାକୁ ନେଇ କିଛି ସମୟ ପାଇଁ ଦୁର୍ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା।
ଆସନ୍ତାକାଲି ଦେଓ ମଧ୍ୟମ ଜଳ ସେଚନ ପ୍ରକଳ୍ପରୁ ପ୍ରଥମ ଥର ପାଇଁ କେନାଲରେ ପାଣି ଛାଡ଼ାଯିବ। ଏହାର ସମୀକ୍ଷା କରିବା ପାଇଁ ଦେଓର କେତେକ ଅଧିକାରୀ, ସ୍ଥାନୀୟ ଉପଜିଲ୍ଲାପାଳ ଓ ସ୍ଥାନୀୟ ବିଧୟିକା ବାସନ୍ତୀ ହେମ୍ବ୍ରମ ପ୍ରମୁଖ ଦେଓ ପ୍ରକଳ୍ପ ହାତିବାରିକୁ ଯାଇଥିଲେ। ସେଠାରୁ କରଞ୍ଜିଆ ଅଭିମୁଖେ ଫେରୁଥିବା ବେଳେ ତାଟ ଛକ ନିକଟରେ ଦେଓ ପ୍ରକଳ୍ପ ଅଧିକାରୀଙ୍କ ଗାଡ଼ି ସମ୍ମୁଖରୁ ଆସୁଥିବା ବାଇକ୍କୁ ଧକ୍କା ଦେଇଥିଲା। ଫଳରେ ଜଣେ ଯୁବକଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା। ବାଇକ୍ ପଛରେ ବସିଥିବା ଅନ୍ୟ ୨ ଜଣ ଯୁବକ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ତାଟ ମେଡିକାଲ୍ରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କରଞ୍ଜିଆ ମେଡିକାଲ୍କୁ ସ୍ଥାନାନ୍ତରିତ କରାଯାଇଛି। ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍ବେଗ ଜନକ ରହିଛି।
ଦୁର୍ଘଟଣାସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ଲୋକେ ମୃତଦେହ ରଖି ରାସ୍ତାରୋକ କରିଥିଲେ। ବୁଝାସୁଝା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିବା ଜଣାପଡ଼ିଛି। ତେବେ ମୃତ ଓ ଆହତଙ୍କ ପରିଚୟ ଜଣାପଡ଼ି ନାହିଁ। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।