ଘାଟିରେ ଆମ୍ୱୁଲାନ୍ସ ଉପରେ ଓଲଟି ପଡ଼ିଲା ଟ୍ରକ୍; ରୋଗୀ ମୃତ, ୫ ଗୁରୁତର
ବାରିପଦା(ମାଣିକଲାଲ ପାଣି): ଆମ୍ବୁଲାନ୍ସ ଉପରେ ଓଲଟିଲା ଟ୍ରକ। ଘଟଣା ସ୍ଥଳରେ ରୋଗୀ ମୃତ୍ୟୁ ହୋଇଥିବା ବେଳେ ୫ ଗୁରୁତର ଆହତ ହୋଇଛନ୍ତି। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଘାଟିରେ ଘଟିଛି।
ତିରିଂ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣେ ଗୁରୁତର ରୋଗୀଙ୍କୁ ୧୦୮ ଆମ୍ୱୁଲାନ୍ସରେ ବାରିପଦା ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଉଥିଲା। ତେବେ ବାଙ୍ଗିରିପୋଷି ଘାଟିରେ ଆମ୍ୱୁଲାନ୍ସ ଉପରେ ଏକ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଟ୍ରକ୍ ତଳେ ଚାପି ହୋଇ ଆମ୍ୱୁଲାନ୍ସରେ ଥିବା ରୋଗୀଙ୍କର ମୃତ୍ୟୁ ଘଟିଛି। ଏଥିରେ ମୃତକଙ୍କ ପରିବାର ସହ ଆମ୍ୱୁଲାନ୍ସ ଚାଳକଙ୍କୁ ମିଶାଇ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ବାଙ୍ଗିରିପୋଷି ମେଡିକାଲରେ ଭର୍ତ୍ତି କରିଥିଲେ। ପରେ ସେମାନଙ୍କୁ ବାରିପଦା ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି। ସମସ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଶଙ୍କଟାପନ୍ନ ରହିଛି।
ଅନ୍ୟପକ୍ଷରେ ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଚାଳକ ଓ ହେଲ୍ପର ଫେରାର ହୋଇ ଯାଇଛନ୍ତି। ବର୍ତ୍ତମାନ ସେଠାରେ ଉଦ୍ଧାର କାର୍ଯ୍ୟ ଚାଲୁ ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।