କୋଣାର୍କ(ସଞ୍ଜୟ ପତି): ଗତକାଲି ବିଳମ୍ବିତ ରାତ୍ରିରେ ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ ନୟାହାଟ ନରସିଂହପୁର ଶାସନ ଗ୍ରାମରେ ଏକ ବଡ ଧରଣର ଡକାୟତି ହୋଇଥିବା ଅଭିଯୋଗ ହୋଇଛି । ଗ୍ରାମର ଯୋଗେନ୍ଦ୍ର ମାଳତୀ ନାମକ ବ୍ୟକ୍ତିଙ୍କ ଘରେ ୪ ଦୁର୍ବୃତ୍ତ ପଶି ୪ ଭରି ସୁନା ଅଳଙ୍କାର ସହ ଲକ୍ଷେ ୯୦ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣକୁ ଗ୍ରାମବାସୀ କାବୁ କରି ନେଇ ନିର୍ଧୂମ ଛେଚିଥିବା ଜଣାଯାଇଛି।
ଗତକାଲି ରାତି ପ୍ରାୟ ୩ଟାରେ ଦୁଇଟି ବାଇକ୍ରେ ୪ ଦୁର୍ବୁତ୍ତ ଆସି ଗ୍ରାମର ଯୋଗେନ୍ଦ୍ର ମାଳତୀଙ୍କ ଘରେ ପହଞ୍ଚିଥିଲେ। ସେମାନେ ଘର ପଛପଟ କବାଟ ଭାଙ୍ଗି ଭିତରେ ପଶିଥିଲେ। ଏହାପରେ ବାରଣ୍ଡାରେ ଶୋଇଥିବା ଲୋକଙ୍କୁ ଛୁରୀ ଦେଖାଇ ଏକ ବାକ୍ସରେ ଥିବା ୪ ଭରି ସୁନା ଅଳଙ୍କାର ଓ ଲକ୍ଷେ ୯୦ ହଜାର ଟଙ୍କା ଲୁଟ କରି ନେଇଥିବା ଯୋଗେନ୍ଦ୍ର ଅଭିଯୋଗ କରିଛନ୍ତି ।
ଲୁଟ୍ ପରେ ଡକାୟତମାନେ ଫେରାର ହେଉଥିବା ବେଳେ ଜଣେ ଡକାୟତକୁ ବାଇକ୍ ସହ ଗ୍ରାମବାସୀ କାବୁ କରିନେଇଥିଲେ । ଧରା ପଡିଥିବା ଡକାୟତକୁ ଗ୍ରାମବାସୀ ନିର୍ଧୁମ ଛେଚି ନୟାହାଟ ଫାଣ୍ଡି ପୁଲିସ୍କୁ ହସ୍ତାନ୍ତର କରିଛନ୍ତି । ଧରାପଡିଥିବା ଡକାୟତଜଣକ ଅସ୍ତରଙ୍ଗ ଅଞ୍ଚଳର ବୋଲି ଜଣାପଡ଼ିଛି। ପୁଲିସ୍ ତାକୁ ପଚରାଉଚରା ଚଳାଇଥିବା ବେଳେ ବାଇକ୍କୁ ଜବତ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।