ଭାସିଗଲେ ତିନି, ଉଦ୍ଧାର ହେଲେ ଦୁଇ

ପୁରୀ (ଓଡ଼ିଶା ରିପୋର୍ଟର): ପୁରୀ ଲାଇଟ୍‌ ହାଉସ୍‌ ବେଳାଭୂମିରେ ଭାସିଗଲେ ୩ ପର୍ଯ୍ୟଟକ। ସେମାନଙ୍କ ଭିତରୁ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇ ପୁରୀ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଏବେ ସୁଦ୍ଧା ଜଣଙ୍କ ପତ୍ତା ମିଳୁନାହିଁ। ତାଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଚାଲିଛି।

ଭଦ୍ରକ ଜିଲ୍ଲାର ରାହେଶ କୁମାର ସିଂ, ଅନୁଗୋଳର ଓମ୍‌ ପ୍ରକାଶ ଯାଦବ ଓ ସହିଦ ଅନୱର ଶ୍ରୀକ୍ଷେତ୍ର ଯାଇଥିଲେ। ସେମାନେ ଲାଇଟ୍‌ ହାଉସ୍‌ ବେଳାଭୂମିରେ ଗାଧୋଉଥିଲେ। ଏହି ସମୟରେ ଆସିଥିବା ବଡ଼ ଲହଡିରେ ସେମାନେ ଭାସିଯାଇଥିଲେ। ଚିତ୍କାର ଶୁଣି ଉଦ୍ଧାର ପାଇଁ ଯାଇଥିଲେ ଲାଇଫଗାର୍ଡ। ଭାସି ଯାଇଥିବା ୩ ଜଣଙ୍କ ଭିତରୁ ରାହେଶ କୁମାର ସିଂ ଓ ଓମ୍ ପ୍ରକାଶ ଯାଦବଙ୍କୁ ଉଦ୍ଧାର କରି ସମୁଦ୍ର କୂଳ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ପୁରୀ ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। ଏବେ ମଧ୍ୟ ସହିଦ ଅନୱର ନିଖୋଜ ଅଛନ୍ତି। ତାଙ୍କୁ ଉଦ୍ଧାର କରିବା ପାଇଁ ଲାଇଫଗାର୍ଡମାନେ ଲାଗି ପଡ଼ିଛନ୍ତି।

ସୂଚନାରୁ ପ୍ରକାଶ, ପ୍ରତିଦିନ ଶ୍ରୀକ୍ଷେତ୍ରକୁ ହଜାର ହଜାର ପର୍ଯ୍ୟଟକ ଆସୁଛନ୍ତି। ସେମାନେ ମହାପ୍ରଭୁଙ୍କୁ ଦର୍ଶନ କରି ମହୋଦଧିରେ ବୁଡ଼ ପକାଉଛନ୍ତି। କିନ୍ତୁ ଅସାବଧାନତା ଯୋଗୁ କେତେକ ପର୍ଯ୍ୟଟକ ବୁଡ଼ ପକାଇଲା ବେଳେ ଭାସି ଯାଉଥିବା ଦେଖିବାକୁ ମିଳିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।