Advertisment

ଅଚ୍ଛେ ଦିନ୍‌ର ଉପଭୋକ୍ତା- ପିଆଜ ଭୋକ୍ତା!

ଦେବେନ୍ଦ୍ର ପୃଷ୍ଟି ଇଜିପ୍ଟ ବା ମିଶରର ରାଜଧାନୀ କାଇରୋରୁ ଭାରତର ରାଜଧାନୀ ନୂଆଦିଲ୍ଲୀର ଦୂରତା ହେଉଛି ମାତ୍ର ୪୪୨୬ କିଲୋମିଟର। ସେହିପରି ତୁର୍କୀର ରାଜଧାନୀ ଆଙ୍କାରାରୁ ଭାରତର ରାଜଧାନୀ ନୂଆଦିଲ୍ଳୀର ଦୂରତା ହେଉଛି ୪୨୧୫ କିଲୋମିଟର। ଭାରତରେ ପିଆଜର ମୂଲ୍ୟବୃଦ୍ଧି ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ତୁର୍କୀରୁ ପ୍ରାୟ ୧୨ ହଜାର ଟନ୍‌ ଓ ଇଜିପ୍ଟରୁ ୬ ହଜାର ଟନ୍‌ ପିଆଜ ଆମଦାନୀ କରିବାକୁ ନଭେମ୍ବର ମାସରେ ନିଷ୍ପତ୍ତି ନେଲେ। ଇଜିପ୍ଟ ପିଆଜ ଡିସେମ୍ବର ୧୭ […]

ଅଦ୍ୟତନ ହୋଇଛି
ଅଚ୍ଛେ ଦିନ୍‌ର ଉପଭୋକ୍ତା- ପିଆଜ ଭୋକ୍ତା!

onion

Advertisment

ଦେବେନ୍ଦ୍ର ପୃଷ୍ଟି

ଇଜିପ୍ଟ ବା ମିଶରର ରାଜଧାନୀ କାଇରୋରୁ ଭାରତର ରାଜଧାନୀ ନୂଆଦିଲ୍ଲୀର ଦୂରତା ହେଉଛି ମାତ୍ର ୪୪୨୬ କିଲୋମିଟର। ସେହିପରି ତୁର୍କୀର ରାଜଧାନୀ ଆଙ୍କାରାରୁ ଭାରତର ରାଜଧାନୀ ନୂଆଦିଲ୍ଳୀର ଦୂରତା ହେଉଛି ୪୨୧୫ କିଲୋମିଟର। ଭାରତରେ ପିଆଜର ମୂଲ୍ୟବୃଦ୍ଧି ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ତୁର୍କୀରୁ ପ୍ରାୟ ୧୨ ହଜାର ଟନ୍‌ ଓ ଇଜିପ୍ଟରୁ ୬ ହଜାର ଟନ୍‌ ପିଆଜ ଆମଦାନୀ କରିବାକୁ ନଭେମ୍ବର ମାସରେ ନିଷ୍ପତ୍ତି ନେଲେ। ଇଜିପ୍ଟ ପିଆଜ ଡିସେମ୍ବର ୧୭ ତାରିଖରେ ମୁମ୍ବାଇରେ ପହଞ୍ଚିଲା। ହେଲେ ଏଯାଏଁ ବି ଭାରତର ବିଭିନ୍ନ ପ୍ରାନ୍ତରେ ପିଆଜ ଦର କମି ନାହିଁ। ତୁର୍କୀ ପିଆଜ ଏବେ ସୁଦ୍ଧା ପହଞ୍ଚି ନାହିଁ। ଇଜିପ୍ଟ ପିଆଜ ବି ଖାଉଟି ବଜାରକୁ ଗଲା କି ଦେଶର ବଡ଼ ବଡ଼ ଖୁଚୁରା ବ୍ୟବସାୟୀଙ୍କ ଗୋଦାମ ଯାଇ ସେମାନଙ୍କ ଲାଭରେ ଲାଗିଲା ତାହା ଜଣାନାହିଁ। ଓଡ଼ିଶା ବଜାରରେ ଏବେ ବି ପିଆଜ ଦର କିଲୋ ପିଛା ୧୪୦ ଟଙ୍କା। କେବଳ ଓଡ଼ିଶାରେ ନୁହେଁ, ଏହା ଏକ ରାଷ୍ଟ୍ରୀୟ ଚିନ୍ତାର କାରଣ। ଦେଶର ପ୍ରାୟ ସବୁ ରାଜ୍ୟରେ ପିଆଜ ଦର ଗଲା ସେପ୍ଟେମ୍ବର ମାସରୁ ହୁ ହୁ ହୋଇ ବଢ଼ି ଏଇ ସ୍ତରରେ ପହଞ୍ଚିଛି।

Advertisment

ନିକଟରେ ଶେଷ ହୋଇଥିବା ସଂସଦ ଅଧିବେଶନରେ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ରାମ ବିଳାସ ପାଶ୍ୱାନ ଉପସ୍ଥାପନ କରିଥିବା ତଥ୍ୟ ଅନୁସାରେ ୨୦୧୯ ମାର୍ଚ୍ଚ ମାସରୁ ୨୦୧୯ ନଭେମ୍ବର ମାସ ମଧ୍ୟରେ ଦେଶରେ ପିଆଜି ଦର ୪୦୦ ପ୍ରତିଶତ ବୃଦ୍ଧି ପାଇଛି। ମାର୍ଚ୍ଚ ମାସରେ ଦେଶରେ ପିଆଜର ହାରାହାରି ଦର ଥିଲା କିଲୋ ପିଛା ୧୫.୮୭ ଟଙ୍କା। ଏବେ ଏହା ହାରାହାରି ୧୨୦ ଟଙ୍କା। ନଭେମ୍ବର ଶେଷାର୍ଦ୍ଧରୁ ଡିସେମ୍ବର ପ୍ରଥମାର୍ଦ୍ଧ ମଧ୍ୟରେ ଦେଶର କେତେକ ସହରରେ ପିଆଜ ଦର ୧୮୦ ଟଙ୍କା ଛୁଇଁଥିଲା। ସରକାରୀ ତଥ୍ୟ ଅନୁସାରେ ମାସକ ତଳେ ଦେଶର ୧୧୪ଟି ସହରର ଦର ଭିତ୍ତିରେ ପିଆଜ ଦର ହାରାହାରି କିଲୋ ପ୍ରତି ୧୦୦ ଟଙ୍କା ଥିଲା।

ଆଳୁ ପରି ପିଆଜ ଏକ ଜାତୀୟ ଖାଦ୍ୟ। କି ହିନ୍ଦୁ କି ମୁସଲମାନ, କି ବୌଦ୍ଧ କି ଶିଖ, କି ଖୀରସ୍ତାନ କି ପାର୍ସୀ ଭାରତର ପ୍ରାୟ ସମସ୍ତ ଧର୍ମର ଲୋକ ପିଆଜ ଖାଆନ୍ତି। ଏହା ଦେଶର ପ୍ରାୟ ସବୁ ବର୍ଗର ଲୋକଙ୍କ ଖାଦ୍ୟର ଏକ ପ୍ରକାର ଅବିଚ୍ଛେଦ୍ୟ ଅଂଶ। ତେଣୁ ପିଆଜ ଦରବୃଦ୍ଧି ପ୍ରାୟ ସବୁ ଧର୍ମ ଓ ବର୍ଗର ଲୋକଙ୍କୁ ବାଧିଛି। ଏହା ଏକ ରାଷ୍ଟ୍ରୀୟ ସମସ୍ୟା ଓ ଚିନ୍ତାରେ ପରିଣତ ହୋଇଛି। ତେଣୁ ରାଷ୍ଟ୍ରୀୟ ସରକାର ଏହି ରାଷ୍ଟ୍ରୀୟ ସମସ୍ୟାର ତୁରନ୍ତ ସମାଧାନ କରିବା ଉଚିତ ଥିଲା। ତା’ ହେଲା ନାହିଁ। ସେପ୍ଟେମ୍ବରରୁ ଆସି ଡିସେମ୍ବର ସରିଲା। ଇଜିପ୍ଟ ପିଆଜ ଆସିବା ସତ୍ତ୍ୱେ ଦର କମିଲା ନାହିଁ। ତୁର୍କୀ ପିଆଜ ଏଯାଏଁ ପହଞ୍ଚିଲା ନାହିଁ। ଆଜିକାଲିକର ଅତ୍ୟାଧୁନିକ ପରିବହନ ବ୍ୟବସ୍ଥା ତୁର୍କୀ ବା ଇଜିପ୍ଟରୁ ପିଆଜ ଆମଦାନୀ କରାଗଲେ କେତେ ଦିନରେ ଭାରତେ ପହଞ୍ଚିବା କଥା? ଜଣେ ଲୋକ ବିମାନରେ ଗଲେ ଗୋଟିଏ ଦିନରେ ନୂଆ ଦିଲ୍ଲୀରୁ ଆଙ୍କାରାରେ ପହଂଚିଯିବ। ଜାହାଜରେ ଗଲେ ସର୍ବାଧିକ ୭ ଦିନ ଲାଗିବ। କିନ୍ତୁ ଚାରି ମାସ ହେଲାଣି ଭାରତ ସରକାର କେଉଁଠୁ ଆବଶ୍ୟକ ପିଆଜ ଆଣି ଦର ନିୟନ୍ତ୍ରଣ କରିପାରୁ ନାହାନ୍ତି।

Advertisment

ଏଥିରେ ରାଜ୍ୟ ସରକାରମାନଙ୍କର ଅବେହଳା ମଧ୍ୟ କମ୍‌ ନାହିଁ। ମୁକ୍ତ ବଜାର ଉଦାର ଅର୍ଥନୀତିର ଯୁଗରେ ଆଜିକାଲି ରାଜ୍ୟ ସରକାରଗୁଡ଼ିକ ମଧ୍ୟ ପୁଞ୍ଜି ପାଇଁ ବିଦେଶୀ ଶିଳ୍ପପତିମାନଙ୍କ ସହିତ ସିଧାସଳଖ କଥାବାର୍ତ୍ତା କରୁଛନ୍ତି। ଓଡ଼ିଶା ସରକାର ତ ପ୍ରାୟ ପ୍ରତି ବର୍ଷ ବିଦେଶକୁ ପ୍ରତିନିଧି ଦଳ ପଠାଇ ଓଡ଼ିଶାକୁ ପୁଞ୍ଜି ଆକର୍ଷଣ କରିବାର ଉଦ୍ୟମ ଅବ୍ୟାହତ ରଖିଛନ୍ତି। ଏଭଳି ରାଜ୍ୟ ସରକାର ଚାହିଁଲେ କ’ଣ ଭାରତ ସରକାରଙ୍କଠାରୁ ଅନୁମତି ହାସଲ କରି ବିଦେଶରୁ ପିଆଜ ଆମଦାନୀ କରିପାରି ନଥାନ୍ତେ? କରିପାରିଥାନ୍ତେ କିନ୍ତୁ କରିନାହାନ୍ତି। ଉଭୟ ଜାତୀୟ ଓ ରାଜ୍ୟ ସରକାରର ପରିଚାଳନା ଦାୟିତ୍ୱରେ ଥିବା ନେତା ଓ ବାବୁମାନଙ୍କୁ ପିଆଜ ଦର ବାଧୁ ନାହିଁ। କାରଣ ବଜାରରେ ଦର ବଢ଼ିଲେ ସେମାନଙ୍କର ଲାଭ। ସେମାନେ ଲୋକଙ୍କ ଟିକସ ଅର୍ଥରୁ ମହଙ୍ଗା ଭତ୍ତା ପାଇବେ। ମହଙ୍ଗା ଭତ୍ତା ବଢ଼ି ବଢ଼ି ୧୦୦ ପ୍ରତିଶତ ହେଲେ ମୂଳ ଦରମାରେ ମିଶି ଦରମା ପ୍ରାୟ ଦୁଇ ଗୁଣ ହୋଇଯାଏ। ତେଣୁ ସେମାନେ କାହିଁକି ଚିନ୍ତା କରିବେ। ବରଂ ଖୁସି ହେବେ- ମୁଦ୍ରାସ୍ଫୀତି ସେମାନଙ୍କ ଆୟ ସ୍ଫୀତ କରେ, ଗରୀବଙ୍କ ଆୟ ହ୍ରାସ।

ତଥାପି ଦେଶର କେଉଁ ଭାଗରେ ପିଆଜ ବିରୋଧରେ ନାଗରିକତା ସଂଶୋଧନ ଆଇନ ବିରୋଧରେ ହେଉଥିବା ଆନ୍ଦୋଳନ ପରି ଆନ୍ଦୋଳନ ହେଲା ନାହିଁ। କାଁ ଭାଁ କେଉଁଠି ବିରୋଧୀ ଦଳର ହାତ ଗଣନ୍ତା ନେତା ଓ କର୍ମୀମାନେ ଗଣମାଧ୍ୟମରେ ଅସ୍ତିତ୍ୱ ଜାହିର କରିବା ପାଇଁ ବା ଲୋକଙ୍କ ସହ ଅଛନ୍ତି ବୋଲି ଦେଖେଇ ହେବାକୁ ଫଟୋ ଉଠା କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। କିନ୍ତୁ ସରକାରଙ୍କ ଉପରେ ଚାପ ପ୍ରୟୋଗ କରିବା ପାଇଁ ଯେପରି ଆନ୍ଦୋଳନ ହେବା କଥା ତାହା କେଉଁଠି ହୋଇନାହିଁ। ଦରବୃଦ୍ଧି ଦାଉ ସମ୍ଭାଳି ନପାରି କିଛି ଲୋକ ପିଆଜ ଖାଇବା ଛାଡ଼ିଦେଲେ ହେଲେ ସରକାରଙ୍କ ନିଷ୍କ୍ରିୟତା ବିରୋଧରେ ରାସ୍ତାକୁ ବାହାରିଲେ ନାହିଁ।

ଏଥିରୁ ସରକାର ବୁଝିଲେ ଯେ ଲୋକେ ବାସ୍ତବରେ ଅଚ୍ଛେ ଦିନ ଉପଭୋଗ କରୁଛନ୍ତି। ଦର ଯେତେ ହେଲେ ମଧ୍ୟ ପିଆଜ କିଣୁଛନ୍ତି। ଲୋକଙ୍କ ଆୟ ବଢ଼ି ନଥିଲେ ସେମାନେ ପିଆଜ କିଣନ୍ତେ ନାହିଁ। ଏଭଳି ଚିନ୍ତା କରି ସରକାର ହୁଏତ ଆର୍ଥନୀତିକ ମାନ୍ଦାବସ୍ଥା ପରି ମାନ୍ଦା ପଡ଼ିଗଲେ। ପିଆଜ ଦରବୃଦ୍ଧି ଚାରି ମାସ ସ୍ଥାୟୀ ହୋଇଗଲା। ନୂଆ ଅମଳ ହେଲେ କେଜାଣି କମିବ! ସେତେବେଳେ ସରକାର କହିପାରନ୍ତି, କହିଥିଲୁ ଜାନୁଆରୀରୁ ପିଆଜ ଦର କମିବ, କମିଲା ନା ନାହିଁ! ଲୋକେ ଓଲୁ ପରି ସବୁ ବୁଝିଯିବେ, ଆରେ ସତେ ତ!

ଯେଉଁ ବୁଦ୍ଧିଜୀବୀ, ଲେଖକ, ସାମ୍ବାଦିକ, ଛାତ୍ର ଗୋଷ୍ଠୀ ବା ଅନ୍ୟ କେଉଁ ବର୍ଗର ସହରୀ ବାସିନ୍ଦା ଏବେ ରାଷ୍ଟ୍ରୀୟ ସରକାରଙ୍କର ନାଗରିକତା ସଂଶୋଧନ ଆଇନ ଓ ସମ୍ଭାବ୍ୟ ଜାତୀୟ ନାଗରିକ ପଞ୍ଜିକା ବିରୋଧରେ ହିଂସାତ୍ମକ ଆନ୍ଦୋଳନ ଆୟୋଜନ କରୁଛନ୍ତି, ଯେଉଁଥିରେ ଡିସେମ୍ବର ୨୧ ତାରିଖ ସୁଦ୍ଧା ଅନ୍ୟୁନ ୧୫ ଜଣ ଲୋକଙ୍କର ପ୍ରାଣହାନୀ ଘଟିଲାଣି, ସେମାନେ ମଧ୍ୟ ପିଆଜ ବିରୋଧରେ ଏଭଳି ଆନ୍ଦୋଳନର ଆବଶ୍ୟକତା ଅନୁଭବ କରି ନଥିଲେ। କରିବେ ବା କାହିଁକି? ସେମାନେ କ’ଣ ୪୦୦ ପ୍ରତିଶତ ଅଧିକ ଦରରେ ପିଆଜ କିଣିବାକୁ ଅସମର୍ଥ ଥିଲେ ନା କ’ଣ? ପିଆଜ ସେମାନଙ୍କ ପାଇଁ ଏକ ଅଳିକ ବସ୍ତୁ। ତେବେ ସେମାନେ ଏହା ମଧ୍ୟ ହିସାବ କଲେ ନାହିଁ ଯେ ଏଇ କେଇ ମାସ ମଧ୍ୟରେ ଦେଶରେ ଅଟା ଦର ପ୍ରାୟ ୨୦ ପ୍ରତିଶତ, ଚିନି ଦର ୧୪ ପ୍ରତିଶତ, ଖାଦ୍ୟତୈଳ ଦର ୧୫ ପ୍ରତିଶତ ଓ ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟର ଦର ପ୍ରାୟ ୩୫ ପ୍ରତିଶତ ବୃଦ୍ଧି ପାଇଛି। ଆଳୁ ଓ ଅନ୍ୟ ପନିପରିବା ଦର ମଧ୍ୟ ବଢ଼ିଛି। ଏସବୁ ଦରବୃଦ୍ଧି ସହରବାସୀ ଧନୀ ଓ ମଧ୍ୟବିତ୍ତ ବର୍ଗଙ୍କୁ ହୁଏତ ବାଧି ନାହିଁ। ତେଣୁ ସେମାନେ ଦରବୃଦ୍ଧି ବିରୋଧରେ ବିକ୍ଷୋଭ ପଟୁଆର ବାହାର କରିନାହାନ୍ତି।

ଠିକ ଏହି ସମୟରେ ଯେତେବେଳେ ଶିଳ୍ପ ଉତ୍ପାଦନରେ ମାନ୍ଦାବସ୍ଥା, ନିଯୁକ୍ତି କ୍ଷେତ୍ରରେ ମାନ୍ଦାବସ୍ଥା, ଅଧିକ ମୂଲ୍ୟଯୁକ୍ତ ଖାଉଟି ସାମଗ୍ରୀ କାରବାରରେ ମାନ୍ଦାବସ୍ଥା ଓ ଖାଦ୍ୟ ମୁଦ୍ରାସ୍ଫୀତି ହାର ୫.୫ ପ୍ରତିଶତ ଟପିଛି ସରକାର ଦୁଇ ଦିନ ଭିତରେ ଲୋକସଭା ଓ ରାଜ୍ୟସଭାରେ ନାଗରିକ ସଂଶୋଧନ ବିଲ୍‌ ପାଶ୍‌ କରାଇ ଦକ୍ଷତାର ପ୍ରମାଣ ଦେଲେ। ପ୍ରଧାନମନ୍ତ୍ରୀ କହିଲେ ଏହା ପଡ଼ୋଶୀ ଦେଶରେ ନିର୍ଯାତିତ ସଂଖ୍ୟାଲଘୁଙ୍କ ପ୍ରତି କରୁଣାର ପ୍ରଦର୍ଶନ। ଭଲ କଥା, ଭାରତ ସରକାର ଏହିପରି ଧାର୍ମିକ ଭିତ୍ତିରେ କରୁଣା ପ୍ରଦର୍ଶନ କରୁଥାନ୍ତୁ ବା ନିଷ୍ଠୁରତା, କିନ୍ତୁ ଜାତି, ଧର୍ମ ନିର୍ବିଶେଷରେ ସାଧାରଣ ଖାଉଟିଙ୍କ ସ୍ୱାର୍ଥ କଥା ତ ଟିକେ ଚିନ୍ତା କରନ୍ତୁ। ସେମାନେ ଏବେ ବହୁ କାରଣରୁ ସରକାରଙ୍କ କୃପା-ପ୍ରାର୍ଥୀ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe