ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ହୁ ହୁ ହୋଇ ବ୍ୟାପୁଛି ମୋବାଇଲ ଗେମ୍ ମାୟା ଜାଲ। ଟାଣି ହୋଇ ଯାଉଛନ୍ତି ଶିଶୁ ଓ ଯୁବ ପିଢ଼ି। ମୋବାଇଲ ପ୍ରିମିୟର ଲିଗ୍(ଏମ୍ପିଏଲ୍) ନାମକ ଏକ ଗେମିଂ ଫ୍ଲାଟଫର୍ମ ପକ୍ଷରୁ ପ୍ରକାଶିତ ଇଣ୍ଡିଆ ମୋବାଇଲ ଗେମିଂ ରିପୋର୍ଟ ୨୦୨୨ରୁ ଆସିଛି ଏମିତି ଚିନ୍ତାଜନକ ତଥ୍ୟ।
ରିପୋର୍ଟ ଅନୁସାରେ ବର୍ଷକ ଭିତରେ ଓଡ଼ିଶାରେ ମୋବାଇଲ ଗେମ୍ ୟୁଜରଙ୍କ ସଂଖ୍ୟା ବଢିଛି ପ୍ରାୟ ୫୫ ପ୍ରତିଶତ। ଯାହାକି ସାରା ଦେଶରେ ଏକ ନମ୍ବର। ତା’ତଳକୁ ପଞ୍ଜାବ, ତାମିଲନାଡୁ, ପୁଡୁଚେରୀ ଓ ହିମାଚଳ ପ୍ରଦେଶ ଅଛନ୍ତି। ଅନ୍ୟ ଗୁରୁତ୍ୱପୂର୍ଣ୍ଣ କଥା ହେଲା କେବଳ ରାଜଧାନୀ ଭୁବନେଶ୍ୱରରେ ମୋବାଇଲ ଗେମ୍ ୟୁଜରଙ୍କ ସଂଖ୍ୟା ବଢିଛି ୧୬ ଶହ ୫୨ ପ୍ରତିଶତ। ସର୍ବାଧିକ ଖେଳା ଯାଉଥିବା ଗେମ୍ ଗୁଡିକ ହେଲା- ଲୁଡୋ, ସାପ, କ୍ୟାରମ, ଫ୍ରୁଟ ଡାର୍ଟ ଓ ପଜଲ ପୋକର। ଯାହାର ମୁଖ୍ୟ ୟୁଜର୍ସ ହେଉଛନ୍ତି ଶିଶୁ ଓ ସ୍କୁଲ ପିଲା। ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଉଭୟ ଚାଇଲ୍ଡ ଲାଇନ୍ ଓ ଶିଶୁ ସୁରକ୍ଷା ଆୟୋଗ। ଅଭିଭାବକଙ୍କ ସଚେତନତା ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଇଥିବାଳେ ଆଗକୁ ମୋବାଇଲ୍ର ନକରାତ୍ମକ ପ୍ରଭାବକୁ ନେଇ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ।
ରିପୋର୍ଟରେ ଆହୁରି କୁହାଯାଇଛି, ସର୍ବାଧିକ ମୋବାଇଲ ଗେମରଙ୍କ ସଂଖ୍ୟାରେ ଆଗରେ ରହିଛି ଉତ୍ତର ପ୍ରଦେଶ। ତା’ତଳକୁ ମହାରାଷ୍ଟ୍ର, ରାଜସ୍ଥାନ, ବିହାର ଓ ପଶ୍ଚିମବଙ୍ଗ ରହିଛି। ତେବେ ଆଶ୍ଚର୍ଯ୍ୟର କଥା ମେଟ୍ରୋ ସିଟି ତୁଳନାରେ ଛୋଟ ସହର ଗୁଡିକରେ ଅଧିକ ବଢୁଛି ମୋବାଇଲ ଗେମ୍ ଡେଭଲପ୍ରଙ୍କ ସଂଖ୍ୟା। ଯାହାକୁ ନେଇ ଅଭିଭାବକ ମଧ୍ୟ ଟେନସନରେ। କେମିତି ମୋବାଇଲଠୁ ପିଲାକୁ ଦୂରଇବେ ଓ କେମିତି ସେମାନଙ୍କୁ ସଚେତନ କରାଇବେ, ସେ ନେଇ ଚିନ୍ତାରେ। ଆଇଟି ବିଶେଷଜ୍ଞଙ୍କ ମତରେ ସ୍ପିଡ ଇଣ୍ଟରନେଟ କମ୍ ଦାମରେ ମିଳିବା ସହ ଆଧୁନିକ ଟେକ୍ନୋଲୋଜି ବ୍ୟବହାର ଦ୍ୱାରା ଆକର୍ଷଣୀୟ ଖେଳ ଆଡକୁ ଆକର୍ଷିତ ହୋଇ ଅଭ୍ୟାସରେ ପଡୁଛନ୍ତି ପିଲା। ଯଦ୍ୱାରା ସାଇବର ଠକେଇରେ ଶିକାର ହୋଇ ଅର୍ଥ ମଧ୍ୟ ହରାଉଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।