Advertisment

୨୯% ଓଡ଼ିଆ ବୁଣାକାରଙ୍କର ଅଛି ବ୍ୟାଙ୍କ ଆକାଉଣ୍ଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସବୁ ନାଗରିକଙ୍କୁ ବ୍ୟାଙ୍କ ସହ ଯୋଡ଼ିବା ପାଇଁ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ଓଡ଼ିଶାରେ ବେଶ ସଫଳ ହୋଇଥିଲା। ଏପରିକି ୧.୫ କୋଟି ଲୋକ ଏହି ଯୋଜନା ଅଧୀନରେ ବ୍ୟାଙ୍କ ଆକାଉଣ୍ଟ ଖୋଲିଥିଲେ। କିନ୍ତୁ ବର୍ତ୍ତମାନ କେନ୍ଦ୍ର ସରକାର ଜାରି କରିଥିବା ଏକ ରିପୋର୍ଟରୁ ଜଣାପଡ଼ିଛି ଓଡ଼ିଶାର ମାତ୍ର ୨୯% ବୁଣାକାରଙ୍କର ବ୍ୟାଙ୍କ ଆକାଉଣ୍ଟ ରହିଛି। କିନ୍ତୁ ଓଡ଼ିଶାର ୯୭% ବୁଣାକାରଙ୍କର ଆଧାର କାର୍ଡ ରହିଥିବା ଜଣାପଡ଼ିଛି। କେନ୍ଦ୍ର ଟେକ୍ସଟାଇଲ ମନ୍ତ୍ରଣାଳୟ […]

୨୯% ଓଡ଼ିଆ ବୁଣାକାରଙ୍କର ଅଛି ବ୍ୟାଙ୍କ ଆକାଉଣ୍ଟ

Weaver

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସବୁ ନାଗରିକଙ୍କୁ ବ୍ୟାଙ୍କ ସହ ଯୋଡ଼ିବା ପାଇଁ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ଓଡ଼ିଶାରେ ବେଶ ସଫଳ ହୋଇଥିଲା। ଏପରିକି ୧.୫ କୋଟି ଲୋକ ଏହି ଯୋଜନା ଅଧୀନରେ ବ୍ୟାଙ୍କ ଆକାଉଣ୍ଟ ଖୋଲିଥିଲେ। କିନ୍ତୁ ବର୍ତ୍ତମାନ କେନ୍ଦ୍ର ସରକାର ଜାରି କରିଥିବା ଏକ ରିପୋର୍ଟରୁ ଜଣାପଡ଼ିଛି ଓଡ଼ିଶାର ମାତ୍ର ୨୯% ବୁଣାକାରଙ୍କର ବ୍ୟାଙ୍କ ଆକାଉଣ୍ଟ ରହିଛି। କିନ୍ତୁ ଓଡ଼ିଶାର ୯୭% ବୁଣାକାରଙ୍କର ଆଧାର କାର୍ଡ ରହିଥିବା ଜଣାପଡ଼ିଛି।

Advertisment

କେନ୍ଦ୍ର ଟେକ୍ସଟାଇଲ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଅଲ୍‌ ଇଣ୍ଡିଅର ହ୍ୟାଣ୍ଡଲୁମ୍‌ ସେନ୍ସସ୍‌ ୨୦୧୯-୨୦ରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ ଓଡ଼ିଶାରେ ମୋଟ ୫୩,୪୭୨ ବୁଣାକାର ଅଛନ୍ତି। ଏମାନଙ୍କ ମଧ୍ୟରୁ ୫୨,୦୩୧ ଜଣଙ୍କର ଆଧାର କାର୍ଡ ରହିଛି। କିନ୍ତୁ ୧୫,୮୨୬ ଜଣଙ୍କର ବ୍ୟାଙ୍କରେ ଆକାଉଣ୍ଟ ରହିଛି।

କେନ୍ଦ୍ର ସରକାର ଡିଜିଟାଲ ଇଣ୍ଡିଆ କଥା କହୁଥିବାବେଳେ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା ବର୍ତ୍ତମାନର ସରକାରରେ ସୁଦୃଢ଼ କରାଯାଉଥିବା କୁହାଯାଉଛି। ଅନ୍ୟପକ୍ଷରେ ଉଭୟ ରାଜ୍ୟ ଓ କେନ୍ଦ୍ର ଡାଇରେକ୍ଟ ବେନିଫିଟ୍‌ ଟ୍ରାନ୍ସଫର (ଡିବିଟି) ବା ହିତାଧିକାରୀଙ୍କ ଆକାଉଣ୍ଟକୁ ସିଧାସଳଖ ଫାଇଦା ପାଇଁ ପ୍ରୟାସ କରୁଥିବା କହିଆସୁଛନ୍ତି। କିନ୍ତୁ ବର୍ତ୍ତମାନ ଆସିଥିବା ତଥ୍ୟ କିଛି ଅଲଗା ବୟାନ କରୁଛି।

Advertisment

ଅନ୍ୟପକ୍ଷରେ ଏମାନଙ୍କର ବ୍ୟାଙ୍କ ଆକାଉଣ୍ଟ ନଥିବାରୁ ବୁଣାକାରମାନେ ଋଣ କିପରି ନେଉଥିବେ ତାହା ମଧ୍ୟ ଚିନ୍ତାଜନକ। ମିଳିଥିବା ତଥ୍ୟ ଅନୁଯାୟୀ, ଏକ ତୃତୀୟାଂଶରୁ କମ୍‌ ବୁଣାକାର ବିଧିବଦ୍ଧ ଭାବେ ଋଣ ନେଉଛନ୍ତି। ଅର୍ଥାତ ଅନ୍ୟ ସମସ୍ତେ ହାତ ଉଦ୍ଧାରି ବା ଧାର କରଜ ଆଦି ଅଣସଂଗଠିତ ଋଣ ନେଉଥିବା ଏଥିରୁ ନିଶ୍ଚିତ। ଏପରି କ୍ଷେତ୍ରରେ ସୁଧର ପରିମାଣ କେତେ ଭୟଙ୍କର ତାହା ସମସ୍ତେ ଜାଣନ୍ତି। ରାଜ୍ୟରେ ଋଣ ସହ ଜଡ଼ିତ ଆତ୍ମହତ୍ୟା ନେଇ ସରକାର ଯଦିଓ ସ୍ୱୀକାର କରନ୍ତିନି ଏହା ଚିନ୍ତାଜନକ ପ୍ରସଙ୍ଗ ବୋଲି କହିହେବ।

୮ ବର୍ଷ ତଳେ ବରଗଡ଼ରେ ଏଭଳି ଏକ ଘଟଣା ଘଟିଥିଲା। ଯେଉଁଥିରେ ପାରମ୍ପରିକ ବୁଣାକାର ଉତ୍ତର ମେହେର ଏବଂ ତାଙ୍କ ପରିବାର ଆତ୍ମହତ୍ୟା କରିଥିଲେ। ଯାହାକି ସାରା ରାଜ୍ୟରେ ଚର୍ଚ୍ଚାକୁ ଆସିଥିଲା ଏବଂ ସରକାର ବୟନ ନୀତିରେ ପରିବର୍ତ୍ତନ ଆଣିବାକୁ ବାଧ୍ୟ ହୋଇଥିଲେ। ଅବଶ୍ୟ ବର୍ତ୍ତମାନ ଆସିଥିବା ରିପୋର୍ଟ ଅନୁଯାୟୀ ସ୍ଥିତିରେ କିଛି ପରିମାଣରେ ଉନ୍ନତି ହୋଇଥିବା ଜଣାପଡ଼ିଛି। ଏହି ରିପୋର୍ଟ ଅନୁଯାୟୀ ୭୦% ବୁଣାକାର ଓବିସି ବର୍ଗର। ୯୪% ହିନ୍ଦୁ ଧର୍ମର ହୋଇଥିବାବେଳେ ୨.୩% ବୌଦ୍ଧ, ଯାହାକି ଦେଶରେ ସର୍ବାଧିକ।

ଓଡ଼ିଶାର ବୁଣାକାରଙ୍କ ମଧ୍ୟରୁ ୭.୬% ଜମାରୁ ସ୍କୁଲ ଯାଇନାହାନ୍ତି। ୨.୬% ଗ୍ରାଜୁଏସନ୍‌ କରିଛନ୍ତି। ୩୧% ପ୍ରାଥମିକ ବିଦ୍ୟାଳୟ ଯାଇଛନ୍ତି। ସାମାଜିକ ସୁରକ୍ଷା କଥା ଦେଖିଲେ ଓଡ଼ିଶାର ୧୦% ବୁଣାକାରଙ୍କର ବୀମା ରହିଛି। ଏହା ସମଗ୍ର ଦେଶରେ ଦ୍ୱିତୀୟ ସର୍ବାଧିକ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe