ସୁଶାନ୍ତଙ୍କ ବଲ୍‌ରେ ବାଉନ୍ସର ମାରିଲେ ନଗେନ୍ଦ୍ର: ‘ବନ୍ଦେ ଉତ୍କଳ ଜନନୀ’କୁ ନେଇ କହିଲେ ଏମିତି କଥା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମାଟିର ବନ୍ଦନା, ମାଆର ବନ୍ଦନା ଓ ଉତ୍କଳ ଜନନୀର ବନ୍ଦନା। ଇଏ ହେଉଛି ‘ବନ୍ଦେ ଉତ୍କଳ ଜନନୀ’। ବିଧାନସଭା ହେଉ କି ରାଜ୍ୟ ଉତ୍ସବ ସବୁଠି ଆଗେ ଏଇ ବନ୍ଦନା ଗାନ ହୋଇଥାଏ। ହେଲେ ଦୁର୍ଭାଗ୍ୟର ବିଷୟ ପ୍ରତିଟି ଓଡ଼ିଆର ଧମନୀରେ ପ୍ରବାହିତ ଏହି ସଂଗୀତ କିନ୍ତୁ ଆଜି ଯାଏଁ ପାଇନି ରାଜ୍ୟ ସଂଗୀତର ମାନ୍ୟତା। ଏନେଇ ରାଜ୍ୟରେ ବାଦ ବିବାଦ ଲାଗି ରହିଥିବା ବେଳେ ପଶ୍ଚିମ ଓଡ଼ିଶାର ଜଣାଶୁଣା ବିଜେଡି ନେତା ତଥା ମନ୍ତ୍ରୀ ସୁଶାନ୍ତ ସିଂ ଦେଇଛନ୍ତି ବିବାଦୀୟ ମନ୍ତବ୍ୟ। ‘ବନ୍ଦେ ଉତ୍କଳ ଜନନୀ’ରେ ଥିବା ‘ଉତ୍କଳ’ ଶବ୍ଦକୁ ନେଇ ସେ କେଁ ପୂରାଇଥିଲେ। ସୁଶାନ୍ତଙ୍କ ପ୍ରତିକ୍ରିୟା ଉପରେ ସମ୍ବଲପୁର ସାଂସଦ ନଗେନ୍ଦ୍ର ପ୍ରଧାନ ବାଉନ୍‌ସର ମାରିଛନ୍ତି।

ସେ କହିଛନ୍ତି-“‘ବନ୍ଦେ ଉତ୍କଳ ଜନନୀ’ ସଂଗୀତ ପ୍ରତି ଓଡ଼ିଆଙ୍କ ଧମନୀରେ ପ୍ରବାହିତ ହେଉଛି। ଏଥିରୁ ଶବ୍ଦ ପରିବର୍ତ୍ତନ କରିବାର ଅଧିକାର ସଂଗୀତ ରଚୟିତାଙ୍କର ହିଁ ରହିଛି। ଆମେ ବା ସରକାର ଚାହିଁଲେ ମଧ୍ୟ ଶବ୍ଦ ପରିବର୍ତ୍ତନ କରିପାରିବୁ ନାହିଁ।”

ଗତକାଲି ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ‘ବନ୍ଦେ ଉତ୍କଳ ଜନନୀ’ରେ ଥିବା ‘ଉତ୍କଳ’ ଶବ୍ଦକୁ ନେଇ କେଁ ପୂରାଇଥିଲେ। ସେ କହିଥିଲେ-“‘ବନ୍ଦେ ଉତ୍କଳ ଜନନୀ’ ଗୀତ ଆଗରୁ ଅଛି। ପଶ୍ଚିମ ଓଡ଼ିଶାରେ କୋଶଳ ଆନ୍ଦୋଳନ ଯୋଗୁଁ କିଛି ଏହାକୁ ବିରୋଧ କରୁଛନ୍ତି। ବିଭିନ୍ନ ସ୍ଥାନରେ ‘ବନ୍ଦେ ଉତ୍କଳ ଜନନୀ’ ବଦଳରେ ‘ବନ୍ଦେ ଓଡ଼ିଶା’ କଲେ ସମସ୍ତଙ୍କ ପାଇଁ ଗ୍ରହଣୀୟ ହେବ ବୋଲି ସ୍ୱର ଉଠୁଛି। ତେବେ ରାଜ୍ୟ ସରକାର କ’ଣ ନିଷ୍ପତ୍ତି ନେବେ ମୁଁ ଜାଣିନାହିଁ। କିନ୍ତୁ ପଶ୍ଚିମ ଓଡ଼ିଶା ଲୋକଙ୍କ ଭାବାବେଗକୁ ନେଇ ନିଷ୍ପତ୍ତି ନେଲେ ଭଲ ହେବ।”

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଏହି କାଳଜୟୀ ସଂଗୀତକୁ ରାଜ୍ୟ ସଂଗୀତର ମାନ୍ୟତା ଦାବି ବହୁ ପୁରୁଣା। ଉତ୍କଳ ସମ୍ମିଳନୀ ଭଳି ବହୁ ଅନୁଷ୍ଠାନର ଦାବି ପରେ ୨୧ ଡିସେମ୍ବର ୧୯୯୪ ମସିହାରେ ବିଧାନସଭାରେ ପ୍ରଥମ ଥର ପାଇଁ ଏହି ସଂଗୀତ ଗାନ କରାଯାଇଥିଲା। ଏହା ପରେ ୨୦୦୨ ମସିହାରେ ରାଜ୍ୟ ସଂଗୀତ ମାନ୍ୟତା ଦେବାକୁ ବିଧିବଦ୍ଧ ଉଦ୍ୟମ ଆରମ୍ଭ ହୋଇଥିଲା। ତତ୍କାଳୀନ ବାଚସ୍ପତି ଶରତ କରଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ସଂଗୀତ ଗାନର ଅବଧି ମଧ୍ୟ ସ୍ଥିର ହୋଇଥିଲା। ଏହା ପରେ ପୁଣି ୨୦୦୬ରେ ତତ୍କାଳୀନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ଅଧ୍ୟକ୍ଷତାରେ ବୈଠକ ବସି ‘ବନ୍ଦେ ଉତ୍କଳ ଜନନୀ’ ସଂଗୀତର ପ୍ରଥମ, ଚତୁର୍ଥ ଓ ଷଷ୍ଠ ପଦକୁ ରାଜ୍ୟ ସଂଗୀତ ଭାବେ ଗ୍ରହଣ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ହେଲେ ସେବେଠୁ ଯେମିତି ଶୀତଳଭଣ୍ଡାରରେ ପଡିଛି ଏହି ନିଷ୍ପତ୍ତି।