ଗୃହରେ ଏକକ ଟ୍ରିବ୍ୟୁନାଲ୍‌ ତାତି: ବିଜେଡି ସମର୍ଥନ ପଛର ସ୍ୱାର୍ଥ କଣ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜଳ ବିବାଦର ସମାଧାନ ନେଇ ଏକକ ଟ୍ରିବ୍ୟୁନାଲ୍‌ ଗଠନ ପାଇଁ ଆସିଥିବା ବିଲକୁ ଲୋକସଭାରେ ମଞ୍ଜୁରୀ ମିଳିଛି। ଏହାକୁ ନେଇ ଆଜି ବିଧାନସଭାରେ ତାତି ଦେଖିବାକୁ ମିଳିଛି। ଶାସକ ବିଜେଡି ଆରମ୍ଭରୁ ଏକକ ଟ୍ରିବ୍ୟୁନାଲକୁ ବିରୋଧ କରୁଥିବା ବେଳେ ପାର୍ଲାମେଣ୍ଟରେ କେମିତି ଏହି ବିଲକୁ ସମର୍ଥନ କଲା ବୋଲି ଶୂନ୍ୟ କାଳରେ ପ୍ରଶ୍ନ କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ମହାନଦୀର ପାଣି କମୁଥିବା ବେଳେ ରାଜ୍ୟର କେଉଁ ସ୍ୱାର୍ଥ ରକ୍ଷା […]

assamble

assamble

Manoranjan Sial
  • Published: Thursday, 01 August 2019
  • Updated: 01 August 2019, 08:19 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜଳ ବିବାଦର ସମାଧାନ ନେଇ ଏକକ ଟ୍ରିବ୍ୟୁନାଲ୍‌ ଗଠନ ପାଇଁ ଆସିଥିବା ବିଲକୁ ଲୋକସଭାରେ ମଞ୍ଜୁରୀ ମିଳିଛି। ଏହାକୁ ନେଇ ଆଜି ବିଧାନସଭାରେ ତାତି ଦେଖିବାକୁ ମିଳିଛି। ଶାସକ ବିଜେଡି ଆରମ୍ଭରୁ ଏକକ ଟ୍ରିବ୍ୟୁନାଲକୁ ବିରୋଧ କରୁଥିବା ବେଳେ ପାର୍ଲାମେଣ୍ଟରେ କେମିତି ଏହି ବିଲକୁ ସମର୍ଥନ କଲା ବୋଲି ଶୂନ୍ୟ କାଳରେ ପ୍ରଶ୍ନ କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର।

ମହାନଦୀର ପାଣି କମୁଥିବା ବେଳେ ରାଜ୍ୟର କେଉଁ ସ୍ୱାର୍ଥ ରକ୍ଷା ପାଇଁ ସରକାରୀ ଦଳ ବିଲକୁ ସମର୍ଥନ କଲା, ମୁଖ୍ୟମନ୍ତ୍ରୀ ତାହା ସ୍ପଷ୍ଟ କରନ୍ତୁ ବୋଲି ଦାବି କରିଥିଲେ ନରସିଂହ। ଏହି ସମର୍ଥନ ପଛରେ କିଛି ଗୁପ୍ତ ବୁଝାମଣା ଅଛି କି ବୋଲି ସେ ପ୍ରଶ୍ନ କରିଥିଲେ। ମହାନଦୀ ବିବାଦ ନେଇ ପୂର୍ବରୁ ବିଧାନସଭାରେ ସର୍ବଦଳୀୟ ବୈଠକ ବସି ଦୁଇଟି ଗୃହ କମିଟି ଗଠନ ହୋଇଥିଲା। ଗୋଟିଏ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଓ ଅନ୍ୟଟି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ। ଦଳ ମତ ନିର୍ବିଶେଷରେ ସମସ୍ତେ ଏକକ ଟ୍ରିବ୍ୟୁନାଲ୍‌ ପ୍ରସ୍ତାବକୁ ବିରୋଧ କରୁଥିବା ବେଳେ ଏବେ ହଠାତ ତା'କୁ ସମର୍ଥନ ଦେବା ପଛର ରହସ୍ୟକୁ ନେଇ ସରକାରଙ୍କୁ ଟାର୍ଗେଟ କରିଥିଲେ ଶ୍ରୀ ମିଶ୍ର।

ମହାନଦୀର ଉପର ମୁଣ୍ଡରେ ଛତିଶଗଡ଼ ବେଆଇନ ଭାବେ ବ୍ୟାରେଜ ନିର୍ମାଣ କରୁଛି। ଏହାକୁ ନେଇ ଅନେକ ବାଦ ବିବାଦ ପରେ ଗତବର୍ଷ ମାର୍ଚ୍ଚ ୧୨ ତାରିଖରେ ମହାନଦୀ ଟ୍ରିବ୍ୟୁନାଲ ଗଠନ କରିଥିଲେ କେନ୍ଦ୍ର ସରକାର। ତେବେ ଏକକ ଟ୍ରିବ୍ୟୁନାଲ୍‌ ଗଠନ ପରେ ଦେଶରେ ଅଦ୍ୟାବଧି ଥିବା ୯ଟି ଟ୍ରିବ୍ୟୁନାଲ୍‌ର କୌଣସି ଅର୍ଥ ବା ଗୁରୁତ୍ୱ ରହିବ ନାହିଁ। ଏକକ ଟ୍ରିବ୍ୟୁନାଲ୍‌ ହିଁ ସବୁ ଜଳ ବିବାଦର ବିଚାର କରିବେ। ତେବେ ଏଥିରେ ଓଡ଼ିଶାକୁ ନ୍ୟାୟ ମିଳିବ ନା ନାହିଁ, ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। କେବେ ମହାନଦୀ ବିବାଦର ଶୁଣାଣି ସରିବ ଓ ଓଡ଼ିଶାକୁ ତାର ପ୍ରାପ୍ୟ ମିଳିବ? ତାହା ସମୟ କହିବ ବୋଲି ରାଜ୍ୟ ଜଳସଂପଦ ମନ୍ତ୍ରୀ ରଘୁନନ୍ଦନ ଦାସ କହିଛନ୍ତି। ଅନ୍ୟପକ୍ଷରେ ତିନି ବର୍ଷ ମଧ୍ୟରେ ଦେଶର ସବୁ ନଦୀ ଜଳ ବିବାଦର ସମାଧାନ ହେବ ବୋଲି କହିଛନ୍ତି କେନ୍ଦ୍ର ଜଳସଂପଦ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ୱତ।

ଏକକ ଟ୍ରିବ୍ୟୁନାଲକୁ ସାମ୍ବିଧାନିକ ଅଧିକାର ଦେବା ପାଇଁ ଗତକାଲି ସଂସଦରେ ଆଲୋଚନା ବେଳେ ସଂଶୋଧନ ପ୍ରସ୍ତାବ ଆଣିଥିଲେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ। ମାତ୍ର ଏହା କାଟ୍ ଖାଇ ଯାଇଥିଲା। ଅନ୍ୟପକ୍ଷରେ ଟ୍ରିବ୍ୟୁନାଲର ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇପାରିବ, ଏପରିସ୍ଥଳେ ଏକକ ଟ୍ରିବ୍ୟୁନାଲକୁ ଓଡ଼ିଶାକୁ କେତେ ଲାଭ ମିଲିବ, ଏବେଠୁ ତାହା କହିବା କଷ୍ଟକର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos