'ତଦନ୍ତ ଆଳରେ ଯଦୁପୁରରେ କେବଳ ଡ୍ରାମା କରୁଛି SIT'

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପରୀ ହତ୍ୟାକାଣ୍ଡ ଘଟଣାରେ ଏସଆଇଟି ଜଣେ ନାବାଳକକୁ ଗିରଫ କରିଛି। ତଦନ୍ତ ଆଳରେ ଯଦୁପୁରରେ ଏସଆଇଟି କେବଳ ଡ୍ରାମା କରୁଛି ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ କହିଛନ୍ତି। ଏପଟେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବିଜେପିକୁ ସମାଲୋଚନା କରି କହିଛନ୍ତି ଯେ, ଗିରଫ ବ୍ୟକ୍ତି ଦୋଷୀ ନୁହେଁ ବୋଲି ବିଜେପି କହୁଛି, ତା’ହେଲେ ପ୍ରକୃତ ଦୋଷୀ କିଏ ତାହା ବିଜେପି କହୁ ବୋଲି ସେ ପ୍ରଶ୍ନ କରିଛନ୍ତି। […]

sit1

Ranjit Kumar Jena
  • Published: Monday, 21 December 2020
  • , Updated: 21 December 2020, 10:35 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପରୀ ହତ୍ୟାକାଣ୍ଡ ଘଟଣାରେ ଏସଆଇଟି ଜଣେ ନାବାଳକକୁ ଗିରଫ କରିଛି। ତଦନ୍ତ ଆଳରେ ଯଦୁପୁରରେ ଏସଆଇଟି କେବଳ ଡ୍ରାମା କରୁଛି ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ କହିଛନ୍ତି। ଏପଟେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବିଜେପିକୁ ସମାଲୋଚନା କରି କହିଛନ୍ତି ଯେ, ଗିରଫ ବ୍ୟକ୍ତି ଦୋଷୀ ନୁହେଁ ବୋଲି ବିଜେପି କହୁଛି, ତା’ହେଲେ ପ୍ରକୃତ ଦୋଷୀ କିଏ ତାହା ବିଜେପି କହୁ ବୋଲି ସେ ପ୍ରଶ୍ନ କରିଛନ୍ତି।

ପରୀକୁ ନ୍ୟାୟ ପାଇଁ ବିଜେପି ପକ୍ଷରୁ ଚାଲିଥିବା ପଦଯାତ୍ରାର ଦ୍ୱିତୀୟ ଦିନରେ ଶ୍ରୀ ନାଏକ ସାମିଲ ହୋଇ କହିଛନ୍ତି ଯେ, ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏହାକୁ ହତ୍ୟା ବୋଲି ସ୍ୱୀକାର କରିଥିଲେ। ପରୀର ମୃତ ଶରୀରରୁ ଦୁଷ୍କର୍ମ ହୋଇଛି ବୋଲି କୌଣସି ପ୍ରମାଣ ମିଳିପାରିବ ନାହିଁ ବୋଲି ଲିଖିତ ଉତ୍ତର ମଧ୍ୟ ରଖିଥିଲେ। କିନ୍ତୁୂ କୋର୍ଟ ମନିଟରିଂ କରୁନଥିବା ତଥା ପୁଲିସ କ୍ଷମତା ନଥିବା ଏସଆଇଟି ମୁଖ୍ୟ ଅରୁଣ ବ୍ରୋଥା ପରୀ ସହ ଦୁଷ୍କର୍ମ ହୋଇଛି ବୋଲି କହିଛନ୍ତି । ତା’ହେଲେ ଗୃହ ରାଷ୍ଟ୍ରମନ୍ତ୍ରୀ କି ଏସଆଇଟି ମୁଖ୍ୟ ଅରୁଣ ବ୍ରୋଥାଙ୍କ ମଧ୍ୟରୁ କିଏ ସତ କହୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।

ଏସଆଇଟି ମୁଖ୍ୟ ଅରୁଣ ବ୍ରୋଥା ବିଜେଡିର ହାତବାରେସି ସାଜି ଲିପାପୋତା କରି ପରୀ ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ବାବୁଲି ନାଏକ ଏବଂ ତାଙ୍କୁ ସୁରକ୍ଷା ଦେଉଥିବା ଶାସକ ଦଳ ମନ୍ତ୍ରୀ ଅରୁଣ ସାହୁଙ୍କ ପାଇଁ ସୁରକ୍ଷା କବଚ ସାଜିଛନ୍ତି ବୋଲି ଶ୍ରୀ ନାଏକ ଅଭିଯୋଗ କରିଛନ୍ତି। ଶାସକ ଦଳର ପ୍ରଭାବ ପୁଲିସର ନିଷ୍କ୍ରିୟତା ପାଇଁ ନୟାଗଡ ଜିଲ୍ଲା ଯଦୁପୁର ଗାଁର ୫ ବର୍ଷୀୟ ଝିଅ ‘ପରୀ’ର ହୃଦୟ ବିଦାରକ ହତ୍ୟା ଘଟଣା ୫ ମାସ ବିତିଯାଇଥିଲେ ସୁଦ୍ଧା କୌଣସି ଅପରାଧିଙ୍କ ଟେର୍ ମିଳିଲା ନାହିଁ ।

ବିଧାନସଭା ଭିତରେ ଓ ବାହାରେ ପରୀ ସମେତ ରାଜ୍ୟର ନିଖୋଜ ୫୫୦୦ରୁ ଉର୍ଦ୍ଧ୍ୱ ଶିଶୁଙ୍କୁ ଖୋଜି ଉଦ୍ଧାର କରିବା ଓ କୋଳଶୂନ୍ୟ ହୋଇଥିବା ମା’ ମାନଙ୍କୁ ନ୍ୟାୟ ପ୍ରଦାନ ପାଇଁ ବିଜେପି ପ୍ରଥମରୁ ଦାବି କରିଆସୁଛି। ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ବିଜେପି ରାଜ୍ୟପାଳଙ୍କ ପାଖରେ ମଧ୍ୟ ଫେରାଦ ହେଲା। ରାଜ୍ୟସରକାର ଭୟଭୀତ ହୋଇ ବିଧାନସଭା ଗୃହକାର୍ଯ୍ୟକୁ ବନ୍ଦ କରିଦେଲେ। ରାଜ୍ୟସରକାର ଚଂଚକତା କରି ନିଜର ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ ଏସଆଇଟି ତଦନ୍ତର ଘୋଷଣା କଲେ। କିନ୍ତୁ ଗଠିତ ଏସଆଇଟିର ବୈଧତାକୁ ନେଇ ପ୍ରଶ୍ନ ଉଠିଛି। ଏସଆଇଟି ମୁଖ୍ୟ ଟଙ୍କା ଲାଂଚ ଯାଚି ତଦନ୍ତକୁ ପ୍ରଭାବିତ କରିବା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ପାଇଛି । ପରୀ ଘଟଣାକୁ ଚପାଇ ଦେବା ପାଇଁ ତଦନ୍ତ ଆଳରେ ଏସଆଇଟି ଯଦୁପୁରରେ କେବଳ ଡ୍ରାମା କରୁଛି ବୋଲି ଶ୍ରୀ ନାଏକ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ଘଟଣାରେ ବିଜେପିକୁ ସମାଲୋଚନା କରି କହିଛନ୍ତି ଯେ କଂଗ୍ରେସ ଏସଆଇଟି ତଦନ୍ତ ଦାବି କରିଥିଲା, ଆଜି ଏସଆଇଟି ଅଭିଯୁକ୍ତକୁ ଗିରଫ କରିଛି। ବିଜେପି କହୁଛି ଗିରଫ ବ୍ୟକ୍ତି ଦୋଷୀ ନୁହଁନ୍ତି, ପ୍ରକୃତ ଦୋଷୀ କିଏ ବିଜେପି କହୁ ବୋଲି ସେ ପ୍ରଶ୍ନ କରିଛନ୍ତି। ସ୍ଥାନୀୟ ମନ୍ତ୍ରୀଙ୍କ ବିରୋଧରେ ଫୋନ୍ ବାର୍ତ୍ତାଳାପ ଅଭିଯୋଗ ଆସିଥିଲା। ଏସଆଇଟି ଉକ୍ତ ଫୋନ୍ ବାର୍ତ୍ତାଳାପର ମଧ୍ୟ ତଦନ୍ତ କରୁ। ମହିଳା ନିର୍ଯାତନାରେ ଲୋକସଂଖ୍ୟା ଦେଖିଲେ ଓଡ଼ିଶା ଦେଶରେ ୧ନମ୍ବର। ପରୀ ମାମଲାରେ କିନ୍ତୁ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରୁନାହିଁ। ବିଜେପି ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା ଦେବାକୁ ଚାହୁଁଛି ବୋଲି ନରସିଂହ କହିଛନ୍ତି । ସୂଚନାଯୋଗ୍ୟ, ପରୀକୁ ନ୍ୟାୟ ଦେବା ପାଇଁ ବିଜେପିର ଏହି ପଦଯାତ୍ରା ଆଜି ଦ୍ୱିତୀୟ ଦିନରେ ପହଂଚିଛି।

Related story