ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସ୍-୨୦୨୦ ପରୀକ୍ଷା ଫଳ। ଉତ୍ତୀର୍ଣ୍ଣ ହେଲେ ମୋଟ ୩୯୨ ପରୀକ୍ଷାର୍ଥୀ। ସେଥି ମଧ୍ୟରୁ ୧୪୮ ଜଣ ଛାତ୍ରୀ ଅଛନ୍ତି। ତେଜସ୍ୱିନୀ ବେହେରା ହୋଇଛନ୍ତି OAS ଟପର।
ଆଜି ପ୍ରକାଶ ପାଇଥିବା ଓଏଏସ୍ ପରୀକ୍ଷା ଫଳ। ଏଥିରେ ପ୍ରଥମ ୩ଟି ସ୍ଥାନ ଅଧିକାର କରିଛନ୍ତି ଛାତ୍ରୀ। ତେଜସ୍ୱିନୀ ବେହେରା OAS ଟପର ହୋଇଥିବା ବେଳେ ଶୁଭଙ୍କରୀ ସୁଦେଷ୍ଣା ଦାଶ ଦ୍ୱିତୀୟ ଓ ଅନନ୍ୟା ସୃଷ୍ଟି ଶତପଥୀ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି ଚତୁର୍ଥରେ ଦେବବ୍ରତ କର, ପଞ୍ଚମରେ ଦେବବ୍ରତ ମହାରଣା, ଷଷ୍ଠରେ ଅଭିସ୍ମିତା ତିୱାରୀ, ସପ୍ତମରେ ଶୁଭଶ୍ରୀ ରଥ, ଅଷ୍ଟମରେ ଶ୍ରୀତପା ମିଶ୍ର, ନବମରେ ବିବେକାନନ୍ଦ ଷଡ଼ଙ୍ଗୀ, ଦଶମରେ ତପତି ରାଜ, ଏକାଦଶରେ ପଙ୍କଜ କୁମାର ମହାନ୍ତ, ଦ୍ୱାଦଶରେ ତନ୍ମିତା କର ଓ ୧୩ ନମ୍ୱରରେ ଅଭିଜିତ ଷଡ଼ଙ୍ଗୀ ରହିଛନ୍ତି।
ସେହିପରି ୧୪ ନମ୍ୱର ସ୍ଥାନରେ କସ୍ତୁରୀ ପଣ୍ଡା, ୧୫ ନମ୍ୱରରେ ବିଭୂପ୍ରସାଦ ସିଂହ, ୧୬ ନମ୍ୱରରେ ବିଶ୍ୱଜିତ ପଣ୍ଡା, ୧୭ ନମ୍ୱରରେ ହରପ୍ରିୟା ପୃଷ୍ଟି, ୧୮ ନମ୍ୱରରେ ରାମକୃଷ୍ଣ ସତ୍ୟରାଜ ଗୁରୁ, ୧୯ ନମ୍ୱର ଅଣାକାର ନାୟକ, ୨୦ ନମ୍ୱରରଆ ଲିତୁସ୍ମିତା ମିଶ୍ର ଅଛନ୍ତି।
ପ୍ରଥମ ଆଟେମ୍ଟରେ ଟପର ହୋଇଥିବା ତେଜସ୍ୱିନୀ ବେହେରା କହିଛନ୍ତି, ପ୍ରଥମ ହେବି ବୋଲି ଭାବି ନଥିଲି। କିନ୍ତୁ ଲିଷ୍ଟରେ ନାଁ ରହିବ ନିଶ୍ଚିତ ଥିଲି। ଅର୍ଥନୀତି ଏବଂ ଗୃହ ବିଜ୍ଞାନ ଅପ୍ସନାଲ ରଖିଥିଲି। JNUରେ ଅର୍ଥନୀତିରେ ପିଜି କରିବା ଦିନରୁ ପ୍ରସ୍ତୁତି ଚଳାଇଥିଲି। ପ୍ରସ୍ତୁତି କରିବା ପାଇଁ JNU ଭଲ ପରିବେଶ ଦେଇଥିଲା। ସାକ୍ଷାତକାର ପରୀକ୍ଷା ମାତ୍ର ୧୫ ମିନିଟ ଥିବାରୁ ଟିକେ ଆଶଙ୍କା ଥିଲା। ସାକ୍ଷାତକାରରେ ଅର୍ଥନୀତି ଓ ରାଜନୀତି ବିଷୟରେ ପ୍ରଶ୍ନ ଥିଲା ବୋଲି ତେଜସ୍ୱିନୀ କହିଛନ୍ତି।
ଓଏଏସ୍ ପରୀକ୍ଷାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଶୁଭଙ୍କରୀ ସୁଦେଷ୍ଣା ଦାଶ କହିଛନ୍ତି, “ଦ୍ୱିତୀୟ ଆଟେମ୍ପ୍ସରେ ସଫଳତା ପାଇଛି। ୨୦୧୯ ମସିହାରେ ପ୍ରଥମେ OAS ଦେଇଥିଲି। କିନ୍ତୁ ପ୍ରିଲିମ୍ରୁ କଟିଥିଲି। ପ୍ରାଣୀ ଚିକିତ୍ସକ ଭାବେ ଚାକିରି କରୁଥିଲି। OAS ପାଇଁ ଚାକିରି ଛାଡ଼ିଥିଲି। ଜୁଲୋଜି ଓ ଭେଟେରିନାରୀ ଅପ୍ସନାଲ ରଖିଥିଲି। ୨ୟ ଥର ବେଳକୁ କୋଚିଂ ନେଲି। ଜଣେ ଭଲ ମେଣ୍ଟର ମଧ୍ୟ ମିଳିଲେ। ପ୍ରାଣୀ ଚିକିତ୍ସକ ଭାବେ ଚାକିରି କରୁଥିଲି। ପରୀକ୍ଷା ପାଇଁ ଚାକିରି ଛାଡ଼ିଥିଲି।”
ଓଏଏସ୍ ପରୀକ୍ଷାରେ ତୃତୀୟ ଟପର ଅନନ୍ୟା ସୃଷ୍ଟି ଶତପଥୀ କହିଛନ୍ତି, “ରେଜଲ୍ଟ ଭଲ ହେବ ନିଶ୍ଚିତ ଥିଲି। ୩ୟ ହେବି ବୋଲି ଭାବି ନଥିଲି। ଏହା ମୋର ପ୍ରଥମ ଆଟେମ୍ପ୍ଟ ଥିଲା। ସମାଜ ବିଜ୍ଞାନ, ଗୃହ ବିଜ୍ଞାନ ଅପ୍ସନାଲ ଥିଲା। ବୁର୍ଲାରୁ ଇଂଜିନିୟରିଂ ପରେ ଏବେ ମୁଁ Ph.D କରୁଛି। ସୋଶାଲ୍ ମିଡିଆରୁ ଯଥେଷ୍ଟ ଦୂରରେ ରହୁଥିଲି। ଫେସବୁକ୍ ନଥିଲା। ରିଲାକ୍ସ ପାଇଁ ଗଜଲ ଶୁଣେ।”
୨୦୨୦-୨୧ ବର୍ଷ ପାଇଁ ଅନୁଷ୍ଠିତ ଓସିଏସ୍ ପରୀକ୍ଷାରେ ପ୍ରିଲିମ୍ ପାଇଁ ପ୍ରାୟ ୬୦ ହଜାର ପିଲା ପରୀକ୍ଷା ଦେଇଥିଲେ। ସେ ଭିତରୁ ମେନ ପାଇଁ ୪ ହଜାର ୭ ଶହ ୪ ଜଣ ସିଲେକ୍ଟ ହୋଇଥିଲେ। ତେବେ ଶେଷ ପର୍ଯ୍ୟାୟ ସାକ୍ଷାତକାର ପରୀକ୍ଷା ପାଇଁ ମୋଟ୍ ୭୮୪ ପରୀକ୍ଷାର୍ଥୀ ମନୋନୀତ ହୋଇଥିଲା ବେଳେ କୃତକାର୍ଯ୍ୟ ହୋଇଛନ୍ତି ମୋଟ୍ ୩୯୨। ଉତ୍ତୀର୍ଣ୍ଣଙ୍କ ଭିତରୁ ପୁରୁଷଙ୍କ ସଂଖ୍ୟା ୨୪୪ ଥିଲା ବେଳେ ମହିଳାଙ୍କ ସଂଖ୍ୟା ହେଉଛି ୧୪୮। ୨୦୧୯ରେ ୧୯୮ଟି ପଦବୀ ପାଇଁ ପରୀକ୍ଷା ହୋଇଥିଲା ବେଳେ ଏଥର ସର୍ବାଧିକ ୩୯୨ ପଦବୀ ପାଇଁ ପରୀକ୍ଷା ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।