ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ଦ୍ୱିତୀୟ ସମ୍ ହସ୍ପିଟାଲ ନିର୍ମାଣ କାର୍ଯ୍ୟ ଉପରେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ୍ (ଏନଜିଟି) ଦେଇଥିବା ଆଦେଶ ଉପରେ ରହିତାଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ। ପରିବେଶ ମଂଜୁରୀ ନଥାଇ ହସ୍ପିଟାଲ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଡିସେମ୍ବର ୧୨ ତାରିଖରେ ନିର୍ମାଣ କାର୍ଯ୍ୟ ଉପରେ ରହିତାଦେଶ ଦେଇଥିଲେ ଜାତୀୟ ଗ୍ରିନ୍ ଟ୍ରିବ୍ୟୁନାଲ। ମାତ୍ର ହାଇକୋର୍ଟର ଜଣିକିଆ ଖଣ୍ଡପୀଠ ଜଷ୍ଟିସ ଏସ କେ ପାଣିଗ୍ରାହୀ ସୋମବାର ଏନଜିଟି ରାୟ ଉପରେ ରହିତାଦେଶ ଜାରି କରିବା ସହ ଫେବ୍ରୁଆରୀ ୧୬ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି।
ଜାତୀୟ ଗ୍ରିନ୍ ଟ୍ରିବ୍ୟୁନାଲ (ଏନଜିଟି)ରେ କଟକ-ଭୁବନେଶ୍ୱର ଜାତୀୟ ରାଜପଥର ଫୁଲନଖରା ପାଖ ୮.୯୪ ଏକର ଜମିର କିସମ ‘ନୟନଜୋରି’ ବୋଲି ଦର୍ଶାଯାଇଥିଲା। ଜମିର କିସମ ନୟନଜୋରି ବା ଜଳନିଷ୍କାସନ କିସମର ହୋଇଥିବା ବେଳେ ପରିବେଶ ମଂଜୁରୀ ନନେଇ ସୋଆ କର୍ତୃପକ୍ଷ ହସ୍ପିଟାଲ ନିର୍ମାଣ କରୁଥିବା ଦର୍ଶାଯାଇଥିଲା।
ହାଇକୋର୍ଟ ‘ନୟନଜୋରି’ କିସମ ପରିବେଶ ଉପରେ କୌଣସି ପ୍ରତିକୂଳ ମନ୍ତବ୍ୟ ପକାଇବ ନାହିଁ ବୋଲି ଦର୍ଶାଇଛନ୍ତି। ତେବେ ମାମଲାକୁ ଭଲ ଭାବେ ତଜର୍ମା କରିବା ପାଇଁ ଏନଜିଟି ରାୟ ଉପରେ ରହିତାଦେଶ ଦେଇଛନ୍ତି।