ଆମ ମୁଖ୍ୟମନ୍ତ୍ରୀ ନମ୍ବର ୱାନ, ହେଲେ ଆମ ରାସ୍ତା...

ବିନିକା (ଦିଲୀପ କୁମାର ସାହୁ): ‘କେନ୍ଦ୍ର ସରକାରଙ୍କଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ସମସ୍ତେ ନିଜ ଡେଙ୍ଗୁରା ପିଟିବାରେ ବ୍ୟସ୍ତ । ହେଲେ ଲୋକଙ୍କ ଦୁଃଖ ବୁଝିବାକୁ କାହାର ତର ନାହିଁ।  ଆମେ ନମ୍ବର ୱାନ, ଆମ ମୁଖ୍ୟମନ୍ତ୍ରୀ ନମ୍ବର ୱାନ ତଥା ଆମ ଯୋଜନା ବି ବିଶ୍ୱସ୍ତରୀୟ ବୋଲି ଡେଙ୍ଗୁରା ପିଟୁଛନ୍ତି ରାଜ୍ୟ ସରକାର। ସେହିଭଳି ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି ହର୍‌ ଘର୍‌ ତ୍ରିରଙ୍ଗା ଅଭିଯାନ […]

road

road

Niharika Rout
  • Published: Tuesday, 09 August 2022
  • Updated: 09 August 2022, 12:34 PM IST

Sports

Latest News

ବିନିକା (ଦିଲୀପ କୁମାର ସାହୁ): ‘କେନ୍ଦ୍ର ସରକାରଙ୍କଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ସମସ୍ତେ ନିଜ ଡେଙ୍ଗୁରା ପିଟିବାରେ ବ୍ୟସ୍ତ । ହେଲେ ଲୋକଙ୍କ ଦୁଃଖ ବୁଝିବାକୁ କାହାର ତର ନାହିଁ।  ଆମେ ନମ୍ବର ୱାନ, ଆମ ମୁଖ୍ୟମନ୍ତ୍ରୀ ନମ୍ବର ୱାନ ତଥା ଆମ ଯୋଜନା ବି ବିଶ୍ୱସ୍ତରୀୟ ବୋଲି ଡେଙ୍ଗୁରା ପିଟୁଛନ୍ତି ରାଜ୍ୟ ସରକାର। ସେହିଭଳି ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି ହର୍‌ ଘର୍‌ ତ୍ରିରଙ୍ଗା ଅଭିଯାନ ।  ହେଲେ ଆମ ଗାଁ ରାସ୍ତା ଦେଖିଲେ ଯେ କେହି ନିଶ୍ଚୟ ପଚାରିବ ଯେ, ଏହା କେଉଁ ବିଶ୍ୱସ୍ତରୀୟ ଯୋଜନାରେ ଅନ୍ତର୍ଭୁକ୍ତ । ଆଉ ଆମ ମୁଖ୍ୟମନ୍ତ୍ରୀ ନମ୍ବର ୱାନ୍‌ କି ଜିରୋ, ତାହା ବି ଜଣାପଡ଼ିବ। ଏହି କାଦୁଅ ପଚ ପଚ ରାସ୍ତାରେ ଠିକ୍‌ ଭାବେ ଚାଲିବା କଷ୍ଟକର ହେଉଥିବା ବେଳେ ଆମ ପିଲା କିପରି ତ୍ରିରଙ୍ଗା ଉଡ଼ାଇ ଯିବେ।’ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଏପରି ପ୍ରଶ୍ନ ପଚାରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ମେଘଲା ପଞ୍ଚାୟତର ସିଲଯୁରୀ ଗ୍ରାମବାସୀ।

[caption id="attachment_756094" align="aligncenter" width="650"]road କାଦୁଅ ପଚ ପଚ ରାସ୍ତାରେ ଯିବାକୁ ଅପେକ୍ଷା କରିଛନ୍ତି ଗ୍ରାମବାସୀ ।[/caption]

ବିନିକା ବ୍ଲକର ସିଞ୍ଜୁରୀ ଓ କୁଇବାହାଲକୁ ସଂଯୋଗ କରୁଥିବା ରାସ୍ତାରେ ବର୍ଷା ଦିନେ ଯିବା କଷ୍ଟକର ହୋଇପଡ଼ୁଛି। ୨ କିମି ପରିବ୍ୟାପ୍ତ ଏହି ରାସ୍ତା ବର୍ଷା ଦିନେ କାଦୁଅ ପଚ ପଚ ହୋଇଯାଉଥିବାରୁ ପିଲାଠୁ ବୁଢ଼ା ସମସ୍ତେ ଯା’ଆସ କଲା ବେଳେ ନାକେଦମ ହେଉଛନ୍ତି। କାଦୁଅ ଯୋଗୁ ଏହି ରାସ୍ତାରେ ପିଲାମାନେ ସ୍କୁଲ୍ ଯାଇପାରନ୍ତି ନାହିଁ। ସେଥିପାଇଁ ୫ କିମି ବାଟ ବୁଲି ବୁଲି ସେମାନେ ସ୍କୁଲ୍ ଯାଆନ୍ତି। ଏହାବାଦ ରୋଗୀଙ୍କୁ ମଧ୍ୟ ଡାକ୍ତରଖାନା ନେବାକୁ ନାକେଦମ ହେବାକୁ ପଡ଼େ। ସରକାର ତୁରନ୍ତ ଏହି ରାସ୍ତା କାମ ନ କଲେ ରାଜରାସ୍ତାକୁ ଓହ୍ଲାଇବାକୁ ଧମକ ଦେଇଛନ୍ତି ଗ୍ରାମବାସୀ।

ଏନେଇ ଜଣେ ଗ୍ରାମବାସୀ କହିଛନ୍ତି, ଆମ ସିଏମ୍‌ ନମ୍ବର ୱାନ ବୋଲି ସବୁବେଳେ ଡେଙ୍ଗୁରା ପିଟା ହେଉଛି। ହେଲେ ଆମ ଗାଁ ରାସ୍ତା ଦେଖନ୍ତୁ, ଏହି ରାସ୍ତାରେ ଛୋଟ ଛୋଟ ପିଲା କିପରି ସ୍କୁଲ ଯିବେ। ତାଙ୍କ ସହ କିଏ ଅଭିଭାବକ ନ ଗଲେ, ପିଲାମାନେ ଦୁର୍ଘଟଣାର ସମ୍ମୁଖିନ ହେବା ଥୟ।  ଆମ ପିଲାଙ୍କର ଯଦି କିଛି ହୁଏ, ଏଥିପାଇଁ କ’ଣ ସରକାର ଦାୟୀ ରହିବେ।

ଏନେଇ ଗ୍ରାମର ଜଣେ ମହିଳା କହିଛନ୍ତି, ରାସ୍ତା ପାଇଁ ବହୁ ହଇରାଣ ହେଉଛୁ। ସ୍ୱାଧୀନତାର ୭୫ ବର୍ଷ ପରେ ଆମ ଦେଶ ବଦଳୁଛି, ହେଲେ ଆମ ଗାଁ ରାସ୍ତା ବଦଳି ପାରୁନି। ନେତାମନ୍ତ୍ରୀ ଆସି ରାସ୍ତା କରିଦେବେ କହି ଭୋଟ ନେଇ ଆଉ ଦେଖା ଦେଉ ନାହାନ୍ତି। ଆମ ପିଲାମାନେ ପ୍ରଥମରୁ ଅନ୍ୟ ଗାଁକୁ ପଢ଼ିବାକୁ ଯାଉଛନ୍ତି। ଏହି ରାସ୍ତାରେ ଗଲେ ସ୍କୁଲ ୨ କିମି ପଡ଼ୁଥିବା ବେଳେ ଅନ୍ୟ ପଟେ ଗଲେ ୫ କିମିରୁ ଅଧିକ ପଡ଼ୁଛି। ତେଣୁ ଆମ ରାସ୍ତା ଠିକ୍‌ କରିବାକୁ ସରକାରଙ୍କୁ ଗୁହାରୀ କରୁଛୁ ।

[caption id="attachment_756140" align="aligncenter" width="650"]road ଜଣେ ବ୍ୟକ୍ତି ବାଇକ୍‌ରେ କାଦୁଅ ପଚ ପଚ ରାସ୍ତା ପାର୍‌ ହେଉଛନ୍ତି।[/caption]

ରାସ୍ତା ପାଇଁ ବହୁ ଅସୁବିଧା ଭୋଗୁଛି। ଝିଅ ବୋହୂ ହସ୍ପିଟାଲ ଯିବାକୁ ତଥା ଛୁଆମାନେ ସ୍କୁଲ ଯିବାକୁ ନାନା ଅସୁବିଧା ଭୋଗୁଛନ୍ତି। ଏହି ରାସ୍ତାରେ ଗଲେ ପଡ଼ି ଖଣ୍ଡିଆଖାବରା ହେଉଛନ୍ତି। ବାଧ୍ୟ ହୋଇ ଛୁଆଙ୍କୁ ଧରି ସ୍କୁଲ ଯାଉଛି। ସେଠାରେ ବସୁଛୁ। ପାଠପଢ଼ା ସରିଲେ ପୁଣି ଧରି ଗାଁକୁ ଫେରୁଛୁ ।  ଓଡ଼ିଶାରେ ବିଶ୍ୱସ୍ତରୀୟ ଯୋଜନା କରୁଛନ୍ତି ବୋଲି କହୁଛନ୍ତି। ହେଲେ ଆମ ୨ କିମି ରାସ୍ତାକୁ କାହିଁକି ସୁଧାରି ପାରୁ ନାହାନ୍ତି ବୋଲି ପଚାରିଛନ୍ତି ଗ୍ରାମର ଜଣେ ବୟସ୍କ ବ୍ୟକ୍ତି ।

ବିନିକା ବିଡିଓ କହିଛନ୍ତି, ସେ ରାସ୍ତାରେ ଯେପରି ଲୋକେ ସୁରୁଖୁରୁରେ ଯାତାୟତ କରିପାରିବେ ସେଥିପାଇଁ ଆମେ ତୁରନ୍ତ ବ୍ୟବସ୍ଥା କରିବୁ।

ପୂର୍ବରୁ ପ୍ରଶାସନିକ ଓ ରାଜନୀତିକ ବ୍ୟକ୍ତି ବିଶେଷଙ୍କ ଠାରୁ ଏମିତି ଅନେକ ପ୍ରତିଶ୍ରୁତି ମିଳିଥିବା ବେଳେ ଏହି ରାସ୍ତାର ଭାଗ୍ୟ କେବେ ସୁଧୁରିବ ତାହା ଉପରେ ସମସ୍ତଙ୍କ ନଜର ରହିଛି।

https://www.youtube.com/watch?v=IkvP-F_ePt0

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos