କରୋନା ଲଢ଼େଇର ହିସାବ ଦେଲେ ସରକାର: ବଜେଟର ହେବ ନବକଳେବର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ଯୋଗୁ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ରାଜ୍ୟର ଆର୍ଥିକ ସ୍ଥିତିକୁ ସୁଧାରିବା ନିମନ୍ତେ ରାଜ୍ୟ ସରକାର ୨୦୨୦-୨୧ ଆର୍ଥିକ ବର୍ଷର ବଜେଟର ପୁନଃସମୀକ୍ଷା କରିବେ। ସ୍ୱାସ୍ଥ୍ୟ, କୃଷି, ସାମାଜିକ ନିରାପତ୍ତା,ଗ୍ରାମାଂଚଳ ରୋଜଗାର ସୁଯୋଗ ସୃଷ୍ଟିକୁ ସର୍ବାଧିକ ଗୁରୁତ୍ୱ ଦେବା ସହ ଅନ୍ୟ ସମସ୍ତ ବିଭାଗକୁ ଆବଣ୍ଟିତ ହୋଇଥିବା ଅର୍ଥର କାଣ୍ଟଛାଣ୍ଟ୍ କରିବେ। ଏହାସହିତ ବିଭିନ୍ନ ଯୋଜନା, ବିଭାଗ ଓ ସରକାରୀ ଖାତାରେ ପଡ଼ି ରହିଥିବା ଅର୍ଥକୁ ଫେରସ୍ତ ଆଣିବା ସହ ବିବାଦୀୟ ସ୍ଥିତିରେ ଥିବା […]

finance

Manoranjan Sial
  • Published: Wednesday, 22 July 2020
  • , Updated: 22 July 2020, 10:25 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ଯୋଗୁ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ରାଜ୍ୟର ଆର୍ଥିକ ସ୍ଥିତିକୁ ସୁଧାରିବା ନିମନ୍ତେ ରାଜ୍ୟ ସରକାର ୨୦୨୦-୨୧ ଆର୍ଥିକ ବର୍ଷର ବଜେଟର ପୁନଃସମୀକ୍ଷା କରିବେ। ସ୍ୱାସ୍ଥ୍ୟ, କୃଷି, ସାମାଜିକ ନିରାପତ୍ତା,ଗ୍ରାମାଂଚଳ ରୋଜଗାର ସୁଯୋଗ ସୃଷ୍ଟିକୁ ସର୍ବାଧିକ ଗୁରୁତ୍ୱ ଦେବା ସହ ଅନ୍ୟ ସମସ୍ତ ବିଭାଗକୁ ଆବଣ୍ଟିତ ହୋଇଥିବା ଅର୍ଥର କାଣ୍ଟଛାଣ୍ଟ୍ କରିବେ। ଏହାସହିତ ବିଭିନ୍ନ ଯୋଜନା, ବିଭାଗ ଓ ସରକାରୀ ଖାତାରେ ପଡ଼ି ରହିଥିବା ଅର୍ଥକୁ ଫେରସ୍ତ ଆଣିବା ସହ ବିବାଦୀୟ ସ୍ଥିତିରେ ଥିବା ସରକାରୀ ପାଣ୍ଠିର ଆପୋଷ ସମାଧାନ କରି ରାଜସ୍ୱ ଖର୍ଚ୍ଚ ତୁଲାଇବାକୁ ଲକ୍ଷ୍ୟ ରଖିଛନ୍ତି। ଏନେଇ ଆଜି ଅର୍ଥ ବିଭାଗ ପକ୍ଷରୁ ଆଗତ ପ୍ରସ୍ତାବ ‘ଲାଇଫ୍ ଏବଭ୍ ରେଷ୍ଟ’କୁ ରାଜ୍ୟ ମନ୍ତ୍ରିପରିଷଦ ଅନୁମୋଦନ କରିଛନ୍ତି ବୋଲି ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି।

ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅପରାହ୍ନ ୫ଟାରେ ମନ୍ତ୍ରିପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା। କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଅର୍ଥ ବିଭାଗ ପକ୍ଷରୁ ‘ଲାଇଫ୍ ଏବଭ୍ ରେଷ୍ଟ’କୁ ପ୍ରସ୍ତାବକୁ ମନ୍ତ୍ରିପରିଷଦ ସମ୍ମୁଖରେ ଉପସ୍ଥାପନ କରାଯାଇଥିଲା। କରୋନା ପରିସ୍ଥିତି , ମୁକାବିଲା ଓ ଭିତ୍ତିଭୂମି ସମ୍ପର୍କରେ ମନ୍ତ୍ରି ପରିଷଦକୁ ଅବଗତ କରାଯିବା ସହ ଆଗଧାଡ଼ିରେ ଥିବା କରୋନା ଯୋଦ୍ଧାଙ୍କ ସଂଖ୍ୟା ଓ ଏପର୍ଯ୍ୟନ୍ତ କେଉଁ କ୍ଷେତ୍ରରେ କେତେ ଖର୍ଚ୍ଚ ହୋଇଛି ତା’ର ହିସାବ ମଧ୍ୟ ଦିଆଯାଇଥିଲା। ଏବେ କୋଭିଡ୍ ମୁକାବିଲା ପାଇଁ ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଉପକରଣ ଓ ଭିତ୍ତିଭୂମି ରହିଥିବା ନେଇ ମନ୍ତ୍ରୀମାନଙ୍କୁ ଅବଗତ କରାଯାଇଛି।

ଶ୍ରୀ ତ୍ରିପାଠୀ କହିଥିଲେ ଯେ, ରାଜ୍ୟରେ କୋଭିଡ୍ ପରିଚାଳନା ପାଇଁ ରାଜ୍ୟ ସରକାର ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୩୦୪କୋଟି, ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ୬୨୪କୋଟି, ପଂଚାୟତିରାଜ ବିଭାଗରୁ ୮୭୫କୋଟି ଓ ବିଧାୟକମାନଙ୍କ ପାଣ୍ଠିରୁ ୭୩ କୋଟି ଟଙ୍କା ଏଭଳି ମୋଟ ୧୮୭୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

ମନ୍ତ୍ରିପରିଷଦକୁ ରାଜ୍ୟର ଆର୍ଥିକ ସ୍ଥିତି ସମ୍ପର୍କରେ ଦିଆଯାଇଥିବା ସୂଚନା ବିଷୟରେ ମୁଖ୍ୟ ସଚିବ କହିଥିଲେ ଯେ, ରାଜ୍ୟ ସରକାର ଏବେ କାମ୍ପା ଓ ଓମ୍ବାଡ୍ ପାଣ୍ଠିରୁ ୧ହଜାର କୋଟି ଟଙ୍କାର ଋଣ ଆଣିଛନ୍ତି। ଆଗାମୀ ଦିନରେ ଖୋଲାବଜାର ପରିବର୍ତ୍ତେ ଏହି ପାଣ୍ଠିରୁ ଋଣ ଆଣିବାକୁ ଲକ୍ଷ୍ୟ ରଖାଯାଇଛି। କେନ୍ଦ୍ର ସରକାର ନିକଟରେ ଋଣ ଆହରଣର ସୀମାକୁ ସର୍ତ୍ତମୂଳକ ୨ପ୍ରତିଶତ ବୃଦ୍ଧି କରିଛନ୍ତି, ଯାହାକୁ ଓଡ଼ିଶା ପୂରଣ କରୁଛି। କମ ସୁଧହାରରେ ମିଳୁଥିବା ପାଣ୍ଠିରୁ ଯଥୋଚିତ ପରିମାଣ ଋଣ ଅଣାଯିବ। ଏବେସୁଦ୍ଧା ଏଫଆରବିଏମ୍ ଆଇନ ଦ୍ୱାରା ନିର୍ଦ୍ଧାରିତ ସୀମାରେ ଓଡ଼ିଶା ଋଣ କରିଛି। ଏପ୍ରିଲ ଓ ମେ’ ମାସରେ ରାଜ୍ୟକୁ ମିଳିଥିବା ରାଜସ୍ୱ ଗତ ଆର୍ଥିକବର୍ଷ ତୁଳନାରେ ୭୦% କମ୍ ଥିବାବେଳେ ଗତମାସରେ ଏହା ୨୦ପ୍ରତିଶତକୁ ହ୍ରାସ ପାଇଛି । ଅର୍ଥାତ୍ ଗତବର୍ଷ ଜୁନ୍ ମାସ ତୁଳନାରେ ଚଳିତବର୍ଷ ଜୁନ ମାସରେ ୨୦ପ୍ରତିଶତ କମ୍ ରାଜସ୍ୱ ମିଳିଛି।

ରାଜସ୍ୱ ସଂଗ୍ରହ ବୃଦ୍ଧି ପାଇ ରାଜ୍ୟ ସରକାର ଏବେ ମୁଖ୍ୟତଃ ଜଳସମ୍ପଦ, ଶକ୍ତି ଓ ବାଣିଜ୍ୟକର ବିଭାଗରେ ବିବାଦୀୟ ସ୍ଥିତିରେ ପଡ଼ି ରହିଥିବା ପ୍ରାୟ ୧୬-୧୭ହଜାର କୋଟି ଟଙ୍କାକୁ ‘ଓଟିଏସ’ ମାଧ୍ୟମରେ ସମାଧାନ କରି ସଂଗ୍ରହ ନିମନ୍ତେ ଲକ୍ଷ୍ୟ ରଖିଛନ୍ତି। ଏହାବ୍ୟତୀତ ବିଭିନ୍ନ ଯୋଜନା ଓ ଜରୁରୀ ନଥିବା ପ୍ରକଳ୍ପ ପାଇଁ ପଡ଼ିରହିଥିବା ଅର୍ଥକୁ ଫେରସ୍ତ ଅଣାଯିବ। ପୁଣି ଯେତେବେଳେ ଆବଶ୍ୟକ ପଡ଼ିବ ତାହା ଦିଆଯିବ। ତାହାସହିତ ଅଣପ୍ରାଥମିକ କ୍ଷେତ୍ରରେ କୌଣସି ନୂଆ କାର୍ଯ୍ୟ ବା ପୁଞ୍ଜିବିନିଯୋଗ କରାଯିବ ନାହିଁ। ୨୦୨୦-୨୧ ଆର୍ଥିକ ବର୍ଷରେ ବିଭାଗଗୁଡ଼ିକୁ ଯେଉଁସବୁ ଅର୍ଥ ଆବଣ୍ଟନ କରାଯାଇଛି ତାକୁ ସମୀକ୍ଷା ସହ ଫେରସ୍ତ ଅଣାଯିବ। ଆଉ ଏହି ସଂଶୋଧିତ ବଜେଟ ବା ଅତିରିକ୍ତ ବଜେଟକୁ ଆଗାମୀ ଅକ୍ଟୋବର ମାସରେ ବିଧାନସଭାରେ ଉପସ୍ଥାପନ କରାଯିବ। କେବଳ ସ୍ୱାସ୍ଥ୍ୟ, କୃଷି, ଶିକ୍ଷା, ସାମାଜିକ ନିରାପତ୍ତା, ଗ୍ରାମାଚଂଳରେ ରୋଜଗାର ସୃଷ୍ଟି, ଚାଲୁ ରହିଥିବା କାର୍ଯ୍ୟ ଓ ପ୍ରକଳ୍ପ ନିମନ୍ତେ ଅର୍ଥବରାଦ କରାଯିବ । ବାକି ସମସ୍ତ କ୍ଷେତ୍ରର ଅର୍ଥକୁ କାଣ୍ଟଛାଣ୍ଟ କରାଯିବ ଓ ସେଗୁଡ଼ିକୁ ଫେରସ୍ତ ଆଣିବାକୁ ମନ୍ତ୍ରିପରିଷଦ ଅନୁମତି ଦେଇଛନ୍ତି।

ଏସବୁ ବ୍ୟତୀତ ଅନଲାଇନ ସେବା ଓ ଡିଜିଟାଲ ମୋଡରେ ସରକାରୀ କାର୍ଯ୍ୟ ସମ୍ପାଦନକୁ ଅଧିକ ଗୁରୁତ୍ୱ ଦେବା ପାଇଁ ମଧ୍ୟ ମନ୍ତ୍ରିପରିଷଦ ଅନୁମୋଦନ କରିଛନ୍ତି। କରୋନା ଲଢ଼େଇରେ ଶହୀଦ ହୋଇଥିବା ୮ଜଣ କରୋନା ଯୋଦ୍ଧାଙ୍କ ସମ୍ମାନରେ ୧ମିନିଟର ନିରବ ପ୍ରାର୍ଥନା କରାଯିବା ସହ ସେମାନେ ଅବସର ନେବାପର୍ଯ୍ୟନ୍ତ ଯେଭଳି ହାରରେ ଦରମା ପାଇଥାନ୍ତେ ସେପରି ଆର୍ଥିକ ସହାୟତା ସେମାନଙ୍କ ପରିବାରକୁ ଦେବାକୁ ମନ୍ତ୍ରିପରିଷଦ ନୀତିଗତ ନିଷ୍ପତ୍ତି ନେଇଛି।

Related story