ନୀଳଗିରି( ବିଶ୍ୱମ୍ବର ଦାଶ): ଭଳିକି ଭଳି ଫୁଲରେ ସଜେଇ ହୋଇଥିଲା ସବାରୀ। ଆଉ ସେଇ ସବାରୀରେ ଝିଅ ବିଦାୟ ନେଇଥିଲା। ବାପ ଘରକୁ ସବୁ ଦିନ ପାଇଁ ପର କରି ଯାଉଥିବାରୁ ସବାରୀ ଭିତରେ ମାନ ଅଭିମାନ କରି ଭୋ ଭୋ ହୋଇ କାନ୍ଦୁଥିଲା କନିଆ। ହସ-ଖୁସି ଓ ଆନନ୍ଦ ଭିତରେ ସାହି ପଡ଼ିଶା, ବନ୍ଧୁ-ବାନ୍ଧବ, ଘର-ପରିବାର ସମସ୍ତଙ୍କ ଆଖି ବି ଲୁହରେ ଭିଜିଥିଲା । ଭଦ୍ରକ ଜିଲ୍ଲା ବାସୁଦେବପୁର ନିକଟ ରାଧାକାନ୍ତପୁର ଗାଁର ସୁଶାନ୍ତ ମାନାଙ୍କ ଝିଅ ବିଦା ବେଳେ ଏହି ଦୃଶ୍ୟ ଥିଲା ବେଶ ମର୍ମସ୍ପର୍ଷୀ ଓ ନିଆରା। ଯେଉଁ ଦୃଶ୍ୟ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଏକା ସୁଶାନ୍ତ ନୁହଁନ୍ତି ରାଧାକାନ୍ତପୁର ଗାଁର କାହା ଘରେ ସାହାନାଇ ବାଜିଲେ ସବାରୀ ଖୋଜାପଡ଼େ।
ଆଧୁନିକତାର ଚାକଚାକ୍ୟ ମଧ୍ୟରେ ଏହି ସବାରୀ ସଂସ୍କୃତି ଉଜ୍ଜୀବୀତ ପଛରେ ଏଠି ପରମ୍ପରାକୁ ଆବୋରି ବସିବା କିମ୍ବା ପୁରୁଣା ସ୍ମୁତିକୁ ସାଇତି ରଖିବା କାରଣ ନୁହେଁ। ବରଂ ଏହା ପଛରେ ରହିଛି ଏକ ଅଭିଶପ୍ତ କାହାଣୀ। ସ୍ୱାଧୀନତାର ୭୨ ବର୍ଷ ପରେ ମଧ୍ୟ ଗାଁକୁ ଖଣ୍ଡେ ରାସ୍ତା ନଥିବାରୁ ଏଠିକାର ଲୋକଙ୍କ ପାଇଁ ଗାଡ଼ି ଘୋଡ଼ା ସ୍ୱପ୍ନ ପାଲଟିଛି। ଯେଉଁଥି ପାଇଁ ବରଟିଏ ଆସିଲେ ତା’ପାଇଁ କାରଟିଏ ଆସିପାରୁନି।
ଆଉ ସମ୍ବଳ ଥାଇବି କାର ସୁଖ ଏଠିକାର ଲୋକଙ୍କ ପାଇଁ ସାତ ସପନ ପାଲଟିଯାଏ। ଖାସ୍ ସେଇଥି ଲାଗି ଏହି ଗାଁର ଲୋକେ ସବାରୀକୁ ସାଇତି ରଖିଛନ୍ତି। ଗାଁର ଭୌଗଳିକ ଅବସ୍ଥାକୁ ପରଖିଲେ ଏହା କେଉଁ ଉପାନ୍ତ ଇଲାକା କି ବଣପାହାଡ଼ ଘେରା ଦୁର୍ଗମ ଅଞ୍ଚଳ ନୁହେଁ। ଭଦ୍ରକ ଜିଲ୍ଲାର ବାସୁଦେବପୁର ଅଞ୍ଚଳଟି ଜାତୀୟ ରାଜପଥଠାରୁ ୩୦ କିମି ଏବଂ ଭଦ୍ରକ ମୁଖ୍ୟାଳୟଠାରୁ ୩୦ରୁ ୩୫ କିମି ଦୂର ହେବ।
ଗାଁଠାରୁ କେଇଟି ମାଇଲ ଦୂରରେ ଝଲମଲ ସହର ଥିବା ବେଳେ ଉକ୍ତ ଗାଁରେ ସାମାନ୍ୟ ମୌଳିକ ସୁବିଧାଟିଏ ନ ପହଞ୍ଚିବା ଦୀପ ତଳେ ଅନ୍ଧାର କହିଲେ ଅତ୍ୟୁକ୍ତି ହେବ ନାହିଁ। ତଥାପି ଆଜିର ହାଇଟେକ୍ ଜମାନାରେ କନିଆ ହାକୁମ ଢାଵଲର ସ୍ୱରରେ ସବାରିରେ ବିଦା ହେବା ଆଗ କାଳର ସେହି ଅଭୁଲା ସୁନ୍ଦର ସ୍ମୃତିକୁ ସତେଜ କରିଦିଏ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।