ହିଂସା ଓ ଗଣ୍ଡଗୋଳରେ ସରିଲା ପଂଚାୟତ ନିର୍ବାଚନ, ୨୬ରୁ ଗଣତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ନିର୍ବାଚନ କମିଶନ ଓ ପୁଲିସ ଡିଜିଙ୍କ ଆଶ୍ୱାସନା ସତ୍ତ୍ୱେ ବ୍ୟାପକ ହିଂସା ଓ ଗଣ୍ଡଗୋଳ ମଧ୍ୟରେ ସମସ୍ତ ପର୍ଯ୍ୟାୟ ପଂଚାୟତ ନିର୍ବାଚନ ଆଜି ଶେଷ ହୋଇଛି। ପଂଚମ ତଥା ଶେଷ ପର୍ଯ୍ୟାୟରେ ହାରାହାରି ୭୦ ପ୍ରତିଶତ ମତଦାନ ହୋଇଥିବାବେଳେ ଆଜି ଅନେକ ସ୍ଥାନରେ ହିଂସାକାଣ୍ଡ, ବୁଥ ରିଗିଂ ଆଦି ପାଇଁ ମତଦାନ ପ୍ରଭାବିତ ହୋଇଛି। ଆସନ୍ତା ୨୬ରୁ ୨୮ତାରିଖ ପର୍ଯ୍ୟନ୍ତ ୩ଦିନ ଧରି ରାଜ୍ୟର ସମସ୍ତ ୩୧୪ଟି ବ୍ଲକରେ ଭୋଟଗଣତି ଅନୁଷ୍ଠିତ ହେବ। […]

Aditya

Ordigital Desk
  • Published: Thursday, 24 February 2022
  • , Updated: 24 February 2022, 07:17 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ନିର୍ବାଚନ କମିଶନ ଓ ପୁଲିସ ଡିଜିଙ୍କ ଆଶ୍ୱାସନା ସତ୍ତ୍ୱେ ବ୍ୟାପକ ହିଂସା ଓ ଗଣ୍ଡଗୋଳ ମଧ୍ୟରେ ସମସ୍ତ ପର୍ଯ୍ୟାୟ ପଂଚାୟତ ନିର୍ବାଚନ ଆଜି ଶେଷ ହୋଇଛି। ପଂଚମ ତଥା ଶେଷ ପର୍ଯ୍ୟାୟରେ ହାରାହାରି ୭୦ ପ୍ରତିଶତ ମତଦାନ ହୋଇଥିବାବେଳେ ଆଜି ଅନେକ ସ୍ଥାନରେ ହିଂସାକାଣ୍ଡ, ବୁଥ ରିଗିଂ ଆଦି ପାଇଁ ମତଦାନ ପ୍ରଭାବିତ ହୋଇଛି। ଆସନ୍ତା ୨୬ରୁ ୨୮ତାରିଖ ପର୍ଯ୍ୟନ୍ତ ୩ଦିନ ଧରି ରାଜ୍ୟର ସମସ୍ତ ୩୧୪ଟି ବ୍ଲକରେ ଭୋଟଗଣତି ଅନୁଷ୍ଠିତ ହେବ।

ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ପଂଚମ ପର୍ଯ୍ୟାୟରେ ହାରାହାରି ୭୦ ପ୍ରତିଶତ ମତଦାନ ହୋଇଛି। କଳାହାଣ୍ଡିର ଥୂଆମୂଳ ରାମପୁର ଏବଂ ମାଲକାନଗିରିର ଚିତ୍ରକୋଣ୍ଡା ବ୍ଲକର ସ୍ୱାଭିମାନ ଅଚଂଳରେ ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ଶେଷ ହୋଇଛି। ୨୫ଟି ଜିଲ୍ଲାର ୪୮ଟି ବ୍ଲକର ୧୩୧ଟି ଜିଲ୍ଲା ପରିଷଦ ଜୋନର ପ୍ରାୟ ୪୧.୮୮ଲକ୍ଷ ଭୋଟର ୧୩୫୧୪ଟି ବୁଥ ମାଧ୍ୟମରେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ସମସ୍ତ ପର୍ଯ୍ୟାୟ ମତଦାନ ଶେଷ ହେବାପରେ ନିର୍ବାଚନ କମିଶନର ଶ୍ରୀ ପାଢ଼ୀ ସମସ୍ତ ପୁଲିସ କର୍ମଚାରୀ, ପୋଲିଂ କର୍ମଚାରୀ, ରାଜନୀତିକ ଦଳ, ସାଧାରଣ ଲୋକ ଓ ସାମ୍ବାଦିକମାନଙ୍କୁ ନିର୍ବାଚନ ପରିଚାଳନାରେ ସେମାନଙ୍କ ସହଯୋଗ ପାଇଁ କୃତଜ୍ଞତା ଜଣାଇଛନ୍ତି। ଏହାସହିତ ନବରଙ୍ଗପୁରରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ନିର୍ବାଚନ ଦାୟିତ୍ୱରେ ମୁତୟନ କର୍ମଚାରୀଙ୍କ ପରିବାରକୁ ୧୫ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଦିଆଯିବ ବୋଲି ରାଜ୍ୟ ନିର୍ବାଚନ କମିଶନ ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟର ମୋଟ ୨.୭୯ କୋଟି ଭୋଟର ୯୧୯୧୩ଟି ବୁଥ୍ ମାଧ୍ୟମରେ ୧ଲକ୍ଷ ୬ହଜାର ୩୫୩ଟି ବିଭିନ୍ନ ପଦବୀ ନିମନ୍ତେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ମତଦାନ ହାର ବେଶ୍ ଉତ୍ସାହଜନକ ରହିଛି। ପାଂଚ ପର୍ଯ୍ୟାୟ ପଂଚାୟତ ନିର୍ବାଚନ ୧୬ରୁ ଆରମ୍ଭ ହୋଇ ଆଜି ଶେଷ ହୋଇଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୭୭.୨%, ଦ୍ୱିତୀୟ ପର୍ଯ୍ୟାୟରେ ୭୮.୩%, ତୃତୀୟ ପର୍ଯ୍ୟାୟରେ ୭୮.୬% ଓ ଚତୁର୍ଥ ପର୍ଯ୍ୟାୟରେ ୭୯% ମତଦାନ ରେକର୍ଡ କରାଯାଇଛି । ମାତ୍ର ଚଳିତ ପଂଚାୟତ ନିର୍ବାଚନରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଯେଭଳି ହିଂସକାଣ୍ଡ, ବୁଥ ରିଗିଂ ଓ ଅନ୍ୟାନ୍ୟ କାରଣରୁ ନିର୍ବାଚନ ପ୍ରଭାବିତ ହୋଇଛି, ତାହା ଓଡ଼ିଶା ନିର୍ବାଚନ ଇତିହାସରେ ପୂର୍ବରୁ କେବେ ହୋଇନଥିଲା।

ପ୍ରଥମ ଦୁଇଟି ପର୍ଯ୍ୟାୟରେ ହିଂସା ଓ ଅନ୍ୟାନ୍ୟ କାରଣରୁ ବାଧାପ୍ରାପ୍ତ ହୋଇଥିବା ବୁଥରେ ସାନି ମତଦାନ କାଲି ଶେଷ ହୋଇଥିବାବେଳେ ତୃତୀୟରୁ ପଂଚମ ପର୍ଯ୍ୟାୟରେ ହୋଇଥିବା ଗଣ୍ଡଗୋଳ ନିମନ୍ତେ ସାନି ମତଦାନ ବାକି ରହିଛି।

ସେପଟେ ରାଜ୍ୟର ସମସ୍ତ ୩୧୪ ବ୍ଲକରେ ଭୋଟ ଗଣତି ହେବାର ଥିବାରୁ ଷ୍ଟଙ୍ଗରୁମଗୁଡ଼ିକର ସୁରକ୍ଷାକୁ ଅଧିକ କଡ଼ାକଡ଼ି କରାଯାଇଛି। ପ୍ରଥମ ଦିନରେ ଗୋଟିଏ ଜୋନ, ଦ୍ୱିତୀୟ ଦିନରେ ଆଉ ଏକ ଜୋନ୍ ଓ ଶେଷଦିନରେ ତୃତୀୟ ଓ ଚତୁର୍ଥ ଜୋନର ଗଣତି ହେବ। ଗଣତିକେନ୍ଦ୍ରରେ କୌଣସି ପ୍ରକାରର ବିଶୃଙ୍ଖଳା ଯେଭଳି ନହୁଏ ସେଥିପାଇଁ ନିର୍ବାଚନ କମିଶନର କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି।

Related story