ମର୍ଣ୍ଣିଂ ୱାକରେ ଯାଉଥିଲେ, ଠେଙ୍ଗାରେ ପିଟି ପକାଇଲେ ଦୁଇ ଯୁବକ

ଟିଟିଲାଗଡ଼(ମାନସ ରଞ୍ଜନ ମହାନ୍ତି): ଭୋର ସମୟରେ ମର୍ଣ୍ଣିଂ ୱାକ କରୁଥିବା ବେଳେ ଦୁଇ ଯୁବକ ଠେଙ୍ଗାରେ ପିଟିଥିଲେ। ଫଳରେ ପେପର ମିଲ୍‌ ମ୍ୟାନେଜ ଗୁରୁତର ଆହତ ହୋଇଛନ୍ତି। ଆଜି ସକାଳେ ଏପରି ଘଟଣା ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଥାନା ଅଞ୍ଚଳରେ ଘଟିଛି। ମାତ୍ର ତାଙ୍କୁ କିଏ ଓ କାହିଁକି ମାଡ଼ ମାରିଲା, ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଟିଟିଲାଗଡ଼ ଥାନା ଚୋରମରା ଗାଁରେ ଥିବା ମହାବୀର ପେପର ମିଲ୍‌ର ଜେନେରାଲ ମ୍ୟାନେଜର ଜଗଦୀଶ ଚନ୍ଦ୍ର କୁଣ୍ଡୁ ଆଜି ଭୋର ସମୟରେ ପ୍ରାତଃ ଭ୍ରମଣ କରିବାକୁ ଯାଉଥିଲେ। ପେପର ମିଲ୍‌ର ବାହାରେ ଚାଲି ଚାଲି ଯାଉଥିବା ବେଳେ ଅତର୍କିତ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ଦୁଇ ଜଣ ଯୁବକ ଆସି ଠେଙ୍ଗାରେ ନିର୍ଧୁମ ପିଟିଥିଲେ। ସେ ଗୁରୁତର ଆହତ ହୋଇ ରାସ୍ତାରେ ପଡ଼ିଯାଇଥିଲେ।

ସ୍ଥାନୀୟ ଲୋକେ ଶ୍ରୀ କୁଣ୍ଡୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଟିଟିଲାଗଡ଼ ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଦୁର୍ବୃତ୍ତଙ୍କ ଆକ୍ରମଣ ରେ ମ୍ୟାନେଜରଙ୍କ ଦୁଇ ଗୋଡ ଓ ହାତ ଭାଙ୍ଗି ଯାଇଥିଲା। ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ବଲାଙ୍ଗିର ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ଏନେଇ ଅଭିଯୋଗ ହେବା ପରେ ଟିଟିଲାଗଡ଼ ଥାନା ପୁଲିସ ମାମାଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମାତ୍ର ଏପର୍ଯ୍ୟନ୍ତ ଆକ୍ରମଣକାରୀ ଦୁଇ ଯୁବକ କିଏ ଜଣାପଡ଼ି ନାହିଁ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।